ଚୀନ ଜାରିକଲା କରୋନା ଶ୍ବେତପତ୍ର; ନିଜକୁ ଦାବିକଲା ନିର୍ଦୋଷ

ବେଜିଂ: ଚୀନ୍ର ଉହାନ ସହରରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏହାପରେ ଏହା ସମଗ୍ର ବିଶ୍ବକୁ ବ୍ୟାପିଥିଲା। ଏବେ କରୋନା ମହାମାରୀକୁ ନେଇ ସାରା ବିଶ୍ବ ଲଢ଼େଇ କରୁଛି। ଚୀନ୍ ପକ୍ଷରୁ କରୋନା ଭୂତାଣୁ ସମ୍ପର୍କରେ ବିଳମ୍ବରେ ସୂଚନା ଦିଆଯାଇଥିବାରୁ ଏବେ ସାରା ବିଶ୍ବରେ ବହୁ ଧନଜୀନବ ହାନି ହେଉଛି। ପ୍ରଥମରୁ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ଚୀନ୍ ବିଶ୍ବ ସମୁଦାୟକୁ ଅବଗତ କରିନାହିଁ। କରୋନା ଭୂତାଣୁ ସଂକ୍ରମଣ ପ୍ରସଙ୍ଗରେ ତଥ୍ୟ ଲୁଚାଥିବା ବିଶ୍ବସ୍ତରରେ ଅଭିଯୋଗ କରାଯାଇଛି। ତେବେ ଏଭଳି ଅଭିଯୋଗକୁ ନେଇ ଚିନ୍ତିତ ଥିବା ଚୀନ୍ ରବିବାରରେ କରୋନା ଭୂତାଣୁ ସଂକ୍ରମଣ ନେଇ ଏକ ଶ୍ବେତପତ୍ର ଜାରି କରିଛି। ଏଥିରେ ଚୀନ୍ ନିଜକୁ ନିର୍ଦୋଶ ବୋଲି କହିଛନ୍ତି। ଚୀନ୍ ପକ୍ଷରୁ ଜାରି କରାଯାଇଥିବା ଶ୍ବେତପତ୍ରରେ କୁହାଯାଇଛି ଯେ ଉହାନ୍ ସହରରେ ଡିସେମ୍ବର ୨୭ରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହା ଏକ ନିମୋନିଆ ଭୂତାଣୁ ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଆଉଜଣଙ୍କୁ ବ୍ୟାପୀବାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ତେବେ ଜାନୁଆରୀ ୧୯ରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜଣାପଡ଼ିଥିଲା। ତେଣୁ ଚୀନ୍ ପକ୍ଷରୁ କରୋନା ଭୂତାଣୁ ସମ୍ପର୍କରେ ବିଳମ୍ବରେ ଆଦୌ ସୂଚନା ଦିଆଯାଇନାହିଁ ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି।
କରୋନା ମହାମାରୀ ଭୟାବହତା ସମ୍ପର୍କରେ ଚୀନ୍ ବିଳମ୍ବରେ ସୂଚନା ଦେବାରୁ ବହୁ ଲୋକଙ୍କ ଜୀବନ ଯାଉଥିବାବେଳେ ଅର୍ଥନୈତିକ କ୍ଷତି ହେଉଥବା ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ ଏବଂ ଅନେକ ଦେଶର ନେତା ଅଭିଯୋଗ ଆଣିଛନ୍ତି, ଯାହା ଠିକ୍ ନୁହେଁ ବୋଲି ଚୀନ୍ ପକ୍ଷରୁ ଶ୍ବେତପତ୍ରରେ ଦର୍ଶାଯାଇଛି।
ଚାଇନିଜ୍ ସେଣ୍ଟର ଫର ଡିଜିଜ୍ କେଣ୍ଟ୍ରାଲ୍ ଆଣ୍ଡ ପ୍ରିଭେନ୍ସନ୍ ନିର୍ଦେଶକ ଗାଓ ଫୁ କହିଛନ୍ତି ଯେ ଜାନୁଆରୀ ୧୯ରେ କରୋନା ସଂକ୍ରମଣ ନେଇ ଆଲୋଚନା କରାଯାଇଥିଲା। ନିମୋନିଆରୁ କରୋନା ବୋଲି ଚିହ୍ନଟ ହେବା ପରେ ଉହାନ ସହରରେ ଏଥିନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।