ପୂର୍ବ ଲଦାଖରେ ଚୀନର କ୍ଷେପଣାସ୍ତ୍ର, ରକେଟ୍‌ ବାହିନୀ ମୁତୟନ

ଲେହ : ଭାରତ ସହିତ ଲାଗି ରହିଥିବା ସୀମା ବିବାଦକୁ ନେଇ ଚୀନ ନିଜର ସାମରିକ ଶକ୍ତି ନିୟମିତ ବୃଦ୍ଧି କରିବାରେ ଲାଗିଛି। ଏପରିକି ସୀମା ସ୍ଥିତାବସ୍ଥାରେ ପରିବର୍ତ୍ତନ ପୂର୍ବକ ଭାରତକୁ ଉତ୍ତେଜିତ କରିବା ଭଳି ପଦକ୍ଷେପ ​‌େ​‌ନଉଛି ଚୀନ। ଏହି କ୍ରମରେ ଚୀନ ପୂର୍ବ ଲାଦଖର ସୀମାନ୍ତ ଅଞ୍ଚଳରେ ସ୍ବତନ୍ତ୍ର କ୍ଷେପଣାସ୍ତ୍ର ଓ ରକେଟ୍‌ ବାହିନୀକୁ ମୁତୟନ କରିବାରେ ଲାଗିଛି।
ସୂଚନା ଅନୁଯାୟୀ ପୂର୍ବ ଲଦାଖ ସେକ୍ଟରର ବିପରୀତ ପାର୍ଶ୍ବ ଅକସାଇ ଚୀନରେ ଚୀନ ରାଜପଥ ନିର୍ମାଣ କରୁଛି। ଏହି ରାଜପଥ ନିର୍ମାଣ ଦ୍ବାରା ବାସ୍ତବ ନିୟନ୍ତ୍ରଣ ରେଖାକୁ ଯୋଗାଯୋଗ ତ୍ବରାନ୍ବିତ ହୋଇପାରିବ। ପୂର୍ବ ଅପେକ୍ଷା କମ୍ ସମୟ ମଧ୍ୟରେ ଏହି ଅଞ୍ଚଳରେ ପହଞ୍ଚିହେବ। କାଶଗଡ, ଗରଗୁନସା ଓ ହୋଟନ ଘାଟି ବ୍ୟତୀତ ରାଜପଥକୁ ପ୍ରଶସ୍ତ ପୂର୍ବକ ନୂଆ ବିମାନ ଘାଟି ତିଆରି ଦିଗରେ ଚୀନ ଧ୍ୟାନ ଦେଇଛି। ସେହିପରି, ତିବ୍‌ବତ ସ୍ବଂୟଶାସିତ ଅଞ୍ଚଳର ପଶ୍ଚାତ୍‌ ଅଞ୍ଚଳରେ ବହୁସଂଖ୍ୟାରେ ଚୀନ୍‌ ସେନାର କ୍ଷେପଣାସ୍ତ୍ର ଏବଂ ରକେଟ୍‌ ବାହିନୀ ମୁତୟନ କରାଯିବା ସହ ଛଦ୍ମ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ଏହି ଅଞ୍ଚଳରେ ନିରୀକ୍ଷଣ ପାଇଁ ଡ୍ରୋନ୍‌ ମୁତୟନ ବୃଦ୍ଧି କରାଯାଇଛି।
ତିବ୍‌ତୀୟମାନଙ୍କୁ ‌ମନୋନୟନ କରି ଚୀନ୍‌ ସେନା ମେନ୍‌ଲାଣ୍ଡ ହାନ୍‌ ସୈନିକମାନଙ୍କ ସହ ସୀମାନ୍ତ ପୋଷ୍ଟଗୁଡିକରେ ମୁତୟନ କରିବା କାର୍ଯ୍ୟ ମଧ୍ୟ ଦ୍ରୁତ ବେଗରେ କରୁଛି। ବିପଜ୍ଜନକ ପାହାଡ଼ିଆ ଅଞ୍ଚଳରେ ତିଷ୍ଠିବା ‘ମେନ୍‌ଲାଣ୍ଡ୍‌’ ସୈନିକମାନଙ୍କ ପାଇଁ କଷ୍ଟକର ହୋଇଥିବାରୁ ଚୀନ୍‌ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ମୁତୟନ କରୁଛି। ସୈନିକଙ୍କ ଶିବିରି, ‌ରାସ୍ତା ସଂଯୋଗ ଏବଂ ରହଣି କ୍ଷେତ୍ରରେ ଚୀନ ଗତବର୍ଷ ଅପେକ୍ଷା ଅଧିକ ଭଲ ପ୍ରସ୍ତୁତି କରିଛି। ନିକଟରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ସୀମାରେ ବେଜିଂର ସାମରିକ ଭିତ୍ତିଭୂମି ବିକାଶକୁ ନେଇ ନୂଆଦିଲ୍ଲୀ ଉଦ୍‌ବେଗ ପ୍ରକାଶ କରିଥିଲା।

Comments are closed.