କୋଭିଡ ଆକ୍ରାନ୍ତଙ୍କୁ ଧାତବ ବାକ୍ସରେ ଭର୍ତ୍ତିକରି ରଖୁଛି ଚୀନ

ନୂଆଦିଲ୍ଲୀ: ଚୀନରେ କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ସରକାର ଧାତୁ ତିଆରି ବାକ୍ସ ଭିତରେ ରହିବାକୁ ବାଧ୍ୟ କରୁଛନ୍ତି । ଚୀନ ସରକାରଙ୍କର ଏଭଳି ଏକ ଅମାନବୀୟ ନିଷ୍ପତ୍ତି ସଂପ୍ରତି ସର୍ବସମ୍ମୁଖକୁ ଆସିଛି । ସୂଚନାଯୋଗ୍ୟ ଯେ ଚୀନରେ ପ୍ରଥମ ଓ ଦ୍ୱିତୀୟ ଲହରକୁ ସେଠାକାର ସରକାର ବିଭିନ୍ନ ପଦକ୍ଷେପ ଦ୍ୱାରା ନିୟନ୍ତ୍ରଣକୁ ଆଣିଥିଲେ । ସେଥିମଧ୍ୟରେ ତାଲାବନ୍ଦ ଠାରୁ ଆରମ୍ଭ କରି ଦେଶର ସୀମାନ୍ତକୁ ବନ୍ଦ କରିବା ଏବଂ ବ୍ୟାପକ ନମୁନା ପରୀକ୍ଷା ଆଦି ପଦକ୍ଷେପ ରହିଥିଲା । କିନ୍ତୁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭର କିଛି ସପ୍ତାହ ପୂର୍ବରୁ ଦେଶର କେତେକ ପ୍ରମୁଖ ସହରରେ କୋଭିଡ ସଂକ୍ରମଣ ପୁନର୍ବାର ବୃଦ୍ଧିପାଇବା ଘଟଣା ଚୀନ ସରକାରଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ସେଥିପାଇଁ କେତେକ ସ୍ଥାନରେ ତାଲାବନ୍ଦ ବ୍ୟବସ୍ଥାକୁ କଡାକଡି ଭାବରେ ଲାଗୁ କରାଯାଇଛି । ଏପରିକି ସେହିସବୁ ସ୍ଥାନରେ ଲୋକଙ୍କୁ ସେମାନଙ୍କ ଘରଛାଡି ଶିବିରକୁ ଯିବାକୁ ବାଧ୍ୟ କରାଯାଉଛି । ବିଶେଷକରି ଗର୍ଭବତୀ ମହିଳା, ଶିଶୁ ଏବଂ ବୟସ୍କଙ୍କୁ କେନ୍ଦ୍ର ଚୀନର ଶାନଜି ପ୍ରଦେଶରେ ଥିବା ଜିଆନସ୍ଥିତ ଶିବିରକୁ ପଠାଯାଉଛି । ସେଠାରେ ସେମାନଙ୍କୁ ଦୁଇ ସପ୍ତାହ ରହିବାକୁ ବାଧ୍ୟ କରାଯାଉଛି । ଏହି ଶିବିରଗୁଡିକରେ ଧାତୁରେ ତିଆରି ବାକ୍ସ ରଖାଯାଇଛି, ଯେଉଁଥିରେ କାଠର ଛୋଟ ଖଟ ଏବଂ ସେଥିସହିତ ପାଇଖାନା ସଂଲଗ୍ନ ରହିଛି । ସେହିସବୁ ଧାତବ ବାକ୍ସରେ ଲୋକଙ୍କୁ ରଖାଯାଉଛି । ଇତିମଧ୍ୟରେ ଚୀନରେ ପ୍ରାୟ ୨୦ ନିୟୁତ ଲୋକଙ୍କୁ ସେମାନଙ୍କ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସେମାନେ ଖାଦ୍ୟ ପାଇଁ ବାହାରକୁ ବାହାରିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ ।

Comments are closed.