ଚୀନ୍‌ ପାଇଁ ଚକ୍ରବ୍ୟୂହ ; ନେତୃତ୍ବ ନେଉଛି ଆମେରିକା

ୱାଶିଂଟନ : ବିସ୍ତାରବାଦୀ ଚୀନ୍‌କୁ ଘେରିବା ପାଇଁ ଆମେରିକା ନିଜ ରଣନୀତି ଜୋରଦାର କରିଛି ।  ଭାରତ, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଚୀନ୍‌କୁ ପାନେ ଚଖାଇବା ପାଇଁ ଭିତିରିଆ ଉଦ୍ୟମ ଆରମ୍ଭ କରିଛି ଆମେରିକା ।  ଏ ସଂକ୍ରାନ୍ତରେ ଏକ ବିଲ ଆମେରିକା କଂଗ୍ରେସ(ଦେଶର ପାର୍ଲାମେଣ୍ଟ)ରେ ଆଗତ କରାଯାଇଛି।
‘ଦ ନ୍ୟାସନାଲ ଡିଫେନ୍ସ ଅଥୋରାଇଜେସନ ଆକ୍ଟ’ ଆମେରିକା ସଂସଦର ଉଚ୍ଚ ସଦନ ସିନେଟରେ ଆଗତ ହୋଇଛି । ଏହି ଆକ୍ଟ ଅନୁଯାୟୀ ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ବାୟୁ ସେନାକୁ ଆମେରିକା ପ୍ରଶିକ୍ଷଣ ଦେବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ।  ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ ପ୍ରତି ଚୀନ୍‌ ବିପଦ ସୃଷ୍ଟି କରି ଚାଲିଛି। ସେହିପରି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କ୍ଷୁଦ୍ରକ୍ଷୁଦ୍ର ରାଷ୍ଟ୍ରଗୁଡ଼ିକୁ ଚୀନ୍‌ କରାୟତ୍ତ କରି ସେଠାରେ ସାମରିକ ଘାଟି ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଚଳାଇଛି। ଚୀନ୍‌କୁ ଜବାବ ଦେବା ପାଇଁ ଭାରତ, ଜାପାନ ଓ ଅଷ୍ଟ୍ରେଲିଆକୁ ସାମରିକ ସହାୟତା ଯୋଗାଇ ଦିଆଯିବ ବୋଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର କହିଛନ୍ତି। ଏପଟେ ଆମେରିକାରେ ରହୁଥିବା ଅଧିକାଂଶ ଭାରତୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଜଣାପଡ଼ିବା ପରେ ଚୀନ୍‌ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ଭାରତକୁ ଅଧିକ ସହଯୋଗ କରିପାରନ୍ତି । ଏପଟେ କିରିବାଟୀରୁ ଚୀନ୍‌କୁ ହଟାଇବା ପାଇଁ ଅଷ୍ଟ୍ରେଲିଆ ନିଜ ରଣନୀତି ଜୋରଦାର କରିଛି । ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ଏହି କ୍ଷୁଦ୍ର ଦେଶକୁ କରଜ ଦେଇ ଚୀନ୍‌ ସେଠାରେ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଚାହୁଁଛି । ଅ​‌​‌ଷ୍ଟ୍ରେଲିଆର ସାମୁଦ୍ରିକ ସୀମା ଏହି ଦେଶକୁ ଲାଗିଛି । କିରିବାଟୀକୁ ଆର୍ଥିକ ସହାୟତା ଦେଇ ଅ​‌​‌ଷ୍ଟ୍ରେଲିଆ ସରକାର ସେଠାରୁ ଚୀନ୍‌ କମ୍ପାନୀକୁ ତଡ଼ିବାରେ ସଫଳ ହେବା ସହ ଏକ ଯୁଦ୍ଧ ଜାହାଜ ଏଠାରେ ନିୟୋଜିତ କରିଛି ।
ଏବେ ଚୀନ୍‌କୁ ସବୁଠାରୁ ଅଧିକ ବିବ୍ରତ କରିଛି ଋଣ ଦେବା ନୀତି । ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶଗୁଡ଼ିକୁ ଋଣ ଦେଇ ସେଠାରେ ନିଜର ପ୍ରତିପତ୍ତି ଜାହିର କରିବା ପାଇଁ ଚୀନ୍‌ ‘ଡୋନେସନ ଡିପ୍ଲୋମାସୀ’ (ଦାନ କୂଟନୀତି)କୁ ଆପଣାଇ ଥିଲା । ଏହିସବୁ ଦେଶକୁ ଋଣ ଦେଇ ବିଶ୍ବର ସର୍ବେସର୍ବା ହେବାକୁ ଚାହୁଁଥିବା ଚୀନ୍‌ ଏବେ ହତାଶାର ସମ୍ମୁଖୀନ ହୋଇଛି । ବିଶ୍ବର ପ୍ରାୟ ୧୭୦ଟି ଦେଶକୁ ଚୀନ୍‌ ଋଣ ଦେଇଛି । ଏମାନଙ୍କ ମଧ୍ୟରେ ଶ୍ରୀଲଙ୍କା, ମାଳଦୀପ ଓ ପାକିସ୍ତାନ ମଧ୍ୟ ସାମିଲ । ଯେଉଁ ୧୭୦ଟି ଦେଶକୁ ଚୀନ୍‌ ଋଣ ଦେଇଛି ସେମାନଙ୍କଠାରୁ ଅର୍ଥ ଫେରି ପାଉ ନାହିଁ କିମ୍ବା ସେମାନଙ୍କ ଜମିକୁ କବ୍‌ଜା କରିପାରୁ ନାହିଁ । ଚୀନ୍‌କୁ ଋଣ ପଇଠ କରିବାରେ ପାକିସ୍ତାନ ସର୍ବଦା ଟାଳଟୁଳ ନୀତି ଅବଲମ୍ବନ କରୁଛି । ଋଣ ଶୁଝିବା ପାଇଁ ଅଧିକ ୧୦ ବର୍ଷ ସମୟ ଦେବାକୁ ପାକିସ୍ତାନ ଚାହୁଁଛି । ଚୀନ୍‌ ଏଥିପାଇଁ ପ୍ରସ୍ତୁତ ନଥିଲେ ହେଁ ସାମରିକ ସହଯୋଗୀ ଯୋଗୁଁ କୌଣସି ନିଷ୍ପତ୍ତି ନେଇ ପାରୁ ନାହିଁ । ବିଶ୍ବରେ ନିଜ ଛବିକୁ ଚମକାଇବା ପାଇଁ ୭୭ଟି ଦେଶ ଉପରୁ ଋଣଛାଡ଼ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ କେବଳ ୪୦ଟି ଦେଶ ଆଫ୍ରିକା ମହାଦେଶର । ଚୀନ୍‌ ଯେଉଁସବୁ ଦେଶକୁ ଋଣ ଦେଇଛି ସୁଧ ସହ ବୃଦ୍ଧି ପାଇ ୫ ଟ୍ରିଲିଅନ(୫ରେ ୧୨ଟି ଶୂନ)ଆମେରିକୀୟ ଡଲାରରେ ପହଞ୍ଚିଲାଣି। ଏତେ ବଡ଼ ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ଚୀନ୍‌ ନିକଟରେ ଏବେ କୌଣସି ବିକଳ୍ପ ନାହିଁ। କାରଣ କରୋନା ମହାମାରୀକୁ ଲୁଚାଇଥିବା ଯୋଗୁଁ ବିଶ୍ବର ଅଧିକାଂଶ ରାଷ୍ଟ୍ର ଚୀନ୍‌ ଉପରେ ଖପ୍ପା । ଏପଟେ ବିଶ୍ବର ସର୍ବବୃହତ୍‌ ଭାରତୀୟ ବଜାର ହାତରୁ ଖସିବାରେ ଲାଗିଛି। ଏ ପରିସ୍ଥିତିରେ ଚୀନ୍‌ର ଆର୍ଥିକ ସଙ୍କଟ ଆଗକୁ ଭୟଙ୍କର ରୂପ ନେଇପାରେ ।

Comments are closed.