୨୩ ବର୍ଷ ପରେ ଚିଲିକାରେ ଦେଖାଗଲା : ‘ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍‌ଟ’ ବାର୍ଡ

ଭୁବନେଶ୍ବର,୨ା୨(ନି.ପ୍ର): ଚିଲିକାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପକ୍ଷୀ ଆସିଥାନ୍ତି। ଏସବୁ ପକ୍ଷୀକୁ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ଗଣନା କରାଯାଇଥାଏ। କେଉଁ ପ୍ରଜାତିର ପକ୍ଷୀ ସବୁ ଆସିଥାନ୍ତି ସେସବୁକୁ ଚିହ୍ନଟ କରାଯାଇଥାଏ। ୨୩ ବର୍ଷ ପରେ ଚିଲିକାକୁ ଫେରିଛି ଅଷ୍ଟ୍ରେଲିଆନ୍ ଷ୍ଟିଲ୍‌ଟ ନାମକ ଏକ ପକ୍ଷୀ। ଦୀର୍ଘ ବର୍ଷ ପରେ ଚିଲିକାର ମଙ୍ଗଳାଯୋଡିକୁ ଏଥର ଆସିଛି ଅଷ୍ଟ୍ରେଲିଆନ୍ ଷ୍ଟିଲଟ୍‌। ମଙ୍ଗଳାଯୋଡିରେ ପକ୍ଷୀ ଗାଇଡ଼ ଭାବେ ବେଶ ଜଣାଶୁଣା ମଧୁ ବେହେରା ଗତକାଲି ଏହି ବିରଳ ପକ୍ଷୀକୁ ଠାବ କରିବା ସହ ନିଜ କ୍ୟାମେରାରେ ତା’ର ଫଟୋ ଉଠାଇଛନ୍ତି। ମଧୁଙ୍କ ଫଟୋ ଦେଖିବା ପରେ ଓଡ଼ିଶାର ଖ୍ୟାତନାମା ପକ୍ଷୀ ବିଶାରଦ ୟୁ ଏନ୍‌ ଦେବ ମଧ୍ୟ ଏହି ପକ୍ଷୀ ଅଷ୍ଟ୍ରେଲିଆନ୍ ଷ୍ଟିଲ୍‌ଟ ବୋଲି ସୂଚନା ଦେଇଛନ୍ତି। ବନ ବିଭାଗର ଅଧିକାରୀମାନେ ଏହି ଫଟୋ ଦେଖିବା ପରେ ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ଲାଗି କସରତ ଆରମ୍ଭ ହୋଇଥିବା ଚିଲିକା ଡିଏଫ୍‌ଓ ଆଲୋକ ହୋତା କହିଛନ୍ତି। ବିଭାଗର କର୍ମଚାରୀଙ୍କୁ ମଙ୍ଗଳାଯୋଡ଼ିକୁ ପଠାଯାଇ ପକ୍ଷୀଙ୍କ ଫଟୋ ସଂଗ୍ରହ କରାଯାଉଛି। ଫଟୋ ଉଠାଯାଇ ଅଣାଯିବା ପରେ ଏହାକୁ ତାଳମେଳ କରାଯିବା ପରେ ସ୍ପଷ୍ଟ କରାଯିବ ବୋଲି ଡିଏଫ୍‌ଓ ଶ୍ରୀ ହୋତା ସୂଚନା ଦେଇଛନ୍ତି।

ପକ୍ଷୀ ବିଶାରଦ ଶ୍ରୀ ଦେବଙ୍କ କହିବା ଅନୁସାରେ ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍‌ଟ୍‌ ପକ୍ଷୀକୁ ୧୯୮୭ରେ ଚିଲିକାର ନଳବଣଠାରେ ଦେଖା ଯାଇଥିଲା। ତା’ର ଫଟୋ ଉଠାଇବା ସହ ସେ ନିଜର ‘ଏ ଫିଲ୍ଡ ଗାଇଡ୍‌ ଟୁ ବାର୍ଡସ ଅଫ୍ ଚିଲିକା’ ବହିରେ ଏହି ପକ୍ଷୀ ବିଷୟରେ ବର୍ଣ୍ଣନା ମଧ୍ୟ କରିଥିଲେ। ତାଙ୍କ କହିବା ଅନୁସାରେ ‘ମୁଁ ୧୯୮୭ରେ ପ୍ରଥମ କରି ଅଷ୍ଟ୍ରେଲିଆନ୍ ଷ୍ଟିଲ୍ଟକୁ ଦେଖିଥିଲି, ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଏହି ପକ୍ଷୀ ଚିଲିକାରେ ଦେଖାଯାଇ ଆସୁଥିଲେ। ଚିଲିକାର ମୁହାଣ ଖୋଳା ହୋଇ ଯେବେଠାରୁ ସମୁଦ୍ରର ଲୁଣି ପାଣି ମିଶିଲା ଏବଂ ପାଣି ଅଧିକ ଲବଣାକ୍ତ ହୋଇଯିବାରୁ ଏହି ପକ୍ଷୀ ଆଉ ଚିଲିକାକୁ ଆସିଲେ ନାହିଁ। ମଧୁଙ୍କ କହିବା ଅନୁସାରେ ୨୦୨୦ରେ ଏହି ଚଢେଇ ଆଉଥରେ ମଙ୍ଗଳାଯୋଡିରେ ଦେଖା ଯିବା ନିଶ୍ଚୟ ଖୁସିର କଥା। ବିଏନ୍ଏଚ୍‌ଏସ୍‌ ତରଫରୁ ୨୦୦୯ରେ ପ୍ରକାଶିତ ‘ବାର୍ଡ ଆଟଲାସ ଅଫ ଚିଲିକା’ ବହିରେ ମଧ୍ୟ ଏହି ଚଢେଇର ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଭାରତୀୟ ପକ୍ଷୀଙ୍କ ଉପରେ ଲିଖିତ ଅନ୍ୟତମ ଶ୍ରେଷ୍ଠ ବହି ‘ବାର୍ଡ୍ସ ଅଫ୍‌ ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟ’ରେ ମଧ୍ୟ ଅଷ୍ଟ୍ରେଲିଆନ୍ ଷ୍ଟିଲ୍‌ଟ ସମ୍ପର୍କରେ ଉଲ୍ଲେଖ ନାହିଁ।

ଓଡ଼ିଶାର ଅନ୍ୟତମ ପକ୍ଷୀ ବିଶାରଦ ତଥା ସେଞ୍ଚୁରିଆନ ୟୁନିଭରସିଟିର ଆସୋସିଏଟ ପ୍ରଫେସର ଡ଼ା ଶିବ ପ୍ରସାଦ ପରିଡା ବିଗତ ୧୦ ବର୍ଷ ଧରି ଚିଲିକା​‌େ​‌ର ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ତାଙ୍କ କହିବା ଅନୁସାରେ  ଅଷ୍ଟ୍ରେଲିଆନ୍  ଷ୍ଟିଲଟ୍‌ ପକ୍ଷୀକୁ ମଙ୍ଗଳାଯୋଡିରେ ମିଳିବା ଏକ ନୂଆ ରେକର୍ଡ। ଏହି ପକ୍ଷୀ ଚିଲିକାର ପକ୍ଷୀ ଗଣନା କରୁଥିବା ଦଳ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଯାଇଥିଲା। ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍‌ଟ ପକ୍ଷୀର ବୈଜ୍ଞାନିକ ନାମ ‘ହିମା​‌େ​‌ଣ୍ଟାପସ୍  ଲିଉକୋସେଫାଲସ୍’। ଏହି ପକ୍ଷୀ ଇଣ୍ଡୋନେସିଆଠାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ଦେଖା ଯାଆନ୍ତି। ଏମାନେ ମଧୁର ଜଳକୁ ଭଲ ପାଆନ୍ତି। ଚିଲିକା ଜଳରେ ଅଧିକ ଲବଣ ଅଂଶ ବୃଦ୍ଧି ପାଇବାରୁ ଏହି ପକ୍ଷୀ ଆଉ ଆସୁ ନ ଥିଲେ। ପକ୍ଷୀ ପ୍ରେମୀମାନଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Comments are closed.