ବୋଉର ବିକଳ୍ପ ନାହିଁ
ସାହିତ୍ୟିକା ଜୟଶ୍ରୀ ଦାସଙ୍କ ଶିଶୁଗଳ୍ପ ସଂକଳନ ‘ସୁନା ଚଢେଇ’ ଉନ୍ମୋଚିତ

ଭୁବନେଶ୍ୱର : କଟକ କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବୋଉ ପତ୍ରିକାର ଦ୍ୱିତୀୟ ବାର୍ଷିକ ଉତ୍ସବ ଡ଼ଗରପଡ଼ାସ୍ଥିତ ନେତାଜୀ ପବ୍ଲିକ ସ୍କୁଲ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଲୀନା ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ଏବଂ ଅଧ୍ୟାପିକା ଜୟଶ୍ରୀବାଳା ମଲ୍ଲିକ, ମୁଖ୍ୟବକ୍ତା ଭାବେ ଯନ୍ତ୍ରୀ ଓ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବେନଶ୍ୱରର ସଞ୍ଜୟ କୁମାର ପଣ୍ଡା ଯୋଗଦେଇ ବୋଉର ବିକଳ୍ପ ନାହିଁ ଓ ସାହିତ୍ୟର ସଠିକ ପରିଭାଷା ନିରୂପଣ ହେବା ଆବଶ୍ୟକ ବୋଲି ମତ ରଖିଥିଲେ। ବୌଦ୍ଧିକ ତତ୍ତ୍ୱ, ଭାବତତ୍ତ୍ୱ, ଶିଳ୍ପୀତତ୍ତ୍ୱ ସହିତ କଳ୍ପନା ବିଳାସୀ ଓ ସାହିତ୍ୟ ଏବଂ ବିଜ୍ଞାନ ମଧ୍ୟରେ ସଂଯୋଗୀକରଣ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁସାହିତ୍ୟିକା, ଲେଖିକା, ସମାଜସେବିକା ଜୟଶ୍ରୀ ଦାସଙ୍କ ଶିଶୁ ଗଳ୍ପ ସଂକଳନ ‘ସୁନା ଚଢେଇ’ ଉନ୍ମୋଚିତ ହୋଇଥିଲା। ବିଭିନ୍ନ ଜିଲ୍ଲାରୁ ସାରସତ୍ତ୍ୱ ସାଧକ, ସାଧିକା ଯୋଗଦେଇ ସାହିତ୍ୟ ଜୀବନଧର୍ମୀ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବନମାଳି ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ପରିଚୟ ଓ ସଂଯୋଜନା କରିଥିଲେ କବି ସଞ୍ଜୟ କୁମାର ଚୌଧୁରୀ ଓ ଛବିରାଣୀ ପତି।