କୁନି ଧାବକ କିଶୋର ଦୌଡ଼ିଲେ ୩୫ କିମି

କେନ୍ଦ୍ରାପଡ଼ା : ବୟସ ମାତ୍ର ୬। କଅଁଳ ପାଦ। ବିସ୍ମୟ ବାଳକ କିଶୋର ଏଇ ପାଦରେ ଏକ ମୁହଁା ଦୌଡ଼ିଛି ଦୀର୍ଘ ୩୫କିଲୋମିଟରର ରାସ୍ତା। କେନ୍ଦ୍ରାପଡ଼ାରୁ ଜଗତସିଂହପୁର ଜିଲାର ମା’ ଶାରଳାଙ୍କ ମନ୍ଦିର ପର୍ଯ୍ୟନ୍ତ। ପିଲାବେଳୁ ଦୌଡ଼ିବାର ଅଭ୍ୟାସ କରୁଛି କିଶୋର। ନୂଆବର୍ଷରେ ୩୫କିମି (କେନ୍ଦ୍ରାପଡ଼ାରୁ ଶାରଳା) ଦୌଡ଼ି ଏକ ରେକର୍ଡ଼ କରିବା ନେଇ ଦେଢ଼ ସପ୍ତାହ ତଳେ ସୂଚନା ଦେଇଥିଲେ କିଶୋରଙ୍କ ପରିବାର। ଆଜି କିଶୋର ଏହି ବିରଳ ରେକର୍ଡ଼ର ଅଧିକାରୀ ହୋଇଛନ୍ତି।
ଶୁକ୍ରବାର ସକାଳ ୫ଟାରେ ଦୌଡିବା ଆରମ୍ଭ କରି ମଧ୍ୟାହ୍ନ ୧୨ଟାରେ ମା’ ଶାରଳାଙ୍କ ମନ୍ଦିରରେ ସେ ପହଞ୍ଚିଥିଲେ। ଏହି ବିସ୍ମୟ ବାଳକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସହର ଠାରୁ ୬ କିଲୋମିଟର ଦୂର ତରାଣ୍ଡୋ ଗ୍ରାମର କିଶୋର କୁମାର ବେହେରା। କିଶୋର ହେଉଛନ୍ତି ଏକାଦଶୀ ବେହେରା ଓ ଶାନ୍ତିଲତାଙ୍କ ପୁଅ ଓ ଦୌଡ଼ରାଣୀ ଲିଜାରାଣୀଙ୍କ ସାନ ଭାଇ। କିଶୋରଙ୍କ ସହ ଲିଜାରାଣୀ ମଧ୍ୟ ଦୌଡୁଥିଲେ। ଏହାସହ ଦୌଡୁଥିଲେ ଲିଜାରାଣୀଙ୍କ ସାନ ଭଉଣୀ ନିରୁପମା ଓ ତାଙ୍କର ଗ୍ରାମର ଆଉ ଜଣେ ବାଳକ ନିହାର ରଞ୍ଜନ ନାୟକ। ପୂର୍ବରୁ ଲିଜାରାଣୀ ଓ ନିରୂପମା ମା’ ଶାରଳାଙ୍କ ମନ୍ଦିରକୁ ଦୌଡିକି ଯାଇଥିଲେ। ଏହାସହ କଟକ ଧବଳେଶ୍ୱର ମନ୍ଦିରକୁ ମଧ୍ୟ ଦୌଡିଥିଲେ। ଲିଜାରାଣୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ନିଜେ ଯେପରି ଜାତୀୟ ସ୍ତରୀୟ ଦୌଡରାଣୀ ହୋଇଛନ୍ତି ନିଜ ଭାଇକୁ ମଧ୍ୟ ସେହିପରି ଜାତୀୟ ଓ ଆନ୍ତର୍ଜାତୀୟ ଆଥଲେଟ୍‍ ବନାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ନିଜ ଭାଇଙ୍କୁ ଅଭ୍ୟାସ କରାଇଛନ୍ତି। ତେଣୁ ଭାଇଙ୍କ ସହ ନିଜେ ମଧ୍ୟ ଦୌଡି ମା’ ଶାରଳାଙ୍କ ମନ୍ଦିରରେ ଆଜି ପହଞ୍ଚିଥିଲେ। ଲିଜାରାଣୀ ଓ ତାଙ୍କ ସାନ ଭଉଣୀଙ୍କ ଦୌଡିବା ଅଭ୍ୟାସ ଥିଲା। ତେଣୁ ସେମାନେ ସାନ ଭାଇ ମନରେ ସାହାସ ଦେଇ ତାକୁ ମଧ୍ୟ ଦୀର୍ଘ ୩୫ କିଲୋମିଟର ଦୌଡାଇଥିଲେ। ସେଠାରେ ମନ୍ଦିର ପକ୍ଷରୁ ମାନପତ୍ର ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ କିଶୋର ଗଣମାଧ୍ୟମକୁ କହିଛନ୍ତି, ‘‘ମୁଁ କଥା ଦେଇଥିଲି ମୋ ଭଉଣୀ ପରି ମା’ ଶାରଳାଙ୍କ ମନ୍ଦିର ପର୍ଯ୍ୟନ୍ତ ଦୌଡିବା ପାଇଁ। ସେଥିପାଇଁ ଦୌଡା ଆରମ୍ଭ କରି ସଠିକ ସମୟରେ ମଧ୍ୟ ପହଞ୍ଚି ଯାଇଥିଲି। ଏହାପରେ ମୋ ଭଉଣୀ ପରି ମୁଁ ମଧ୍ୟ ଧବଳେଶ୍ୱର ମନ୍ଦିର ଓ ମା’ ବିରଜାଙ୍କ ମନ୍ଦିରକୁ ଦୌଡି ଦୌଡି ଯିବି। ଏଥିପାଇଁ ମୋତେ ଆଉ କିଛି ଦିନ ଅଭ୍ୟାସ କରିବାକୁ ପଡ଼ିବ। କାରଣ ଧବଳେଶ୍ୱର ମନ୍ଦିର ହେଉଛି କେନ୍ଦ୍ରାପଡ଼ାରୁ ୮୦ କିଲୋମିଟର ବାଟ ଓ ବିରଜା ମନ୍ଦିର ହେଉଛି ୭୦ କିଲୋମିଟର। ଏବେ ୩୫ କିମି ପର୍ଯ୍ୟନ୍ତ ଦୌଡି ପଳାଇଲି। କିଛି ଅସୁବିଧା ହେଲା ନାହିଁ। ଆଗକୁ ଅଧିକ ବାଟ ଦୌଡିବା ପାଇଁ ଲକ୍ଷ୍ୟ ରଖିଛି।’’ ଦୌଡରାଣୀ ଲିଜାରାଣୀ ଗଣମାଧ୍ୟମକୁ କହିଛନ୍ତି, ‘‘ମୋର ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଡକରା ଆସିଗଲାଣି। ତେଣୁ ଆସନ୍ତା ୧୬ ତାରିଖରେ ମୁଁ ଗାଁରୁ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ପଳାଇବି। ସେଠାରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାହାରିଯିବି। ତାଲାବନ୍ଦ ଯୋଗୁ ଗାଁକୁ ଆସିଥିଲି। ତେଣୁ ଭାଇକୁ ଦୌଡିବାର କୌଶଳ ଶିଖାଇଥିଲି। ମୁଁ ଯେଉଁ ସବୁ କୌଶଳ ଶିଖିଛି ସେଗୁଡିକୁ ମୋ ଭାଇ ଓ ଭଉଣୀଙ୍କୁ ଶିଖାଇ ଦେଇଛି। ସେହି କୌଶଳକୁ ଅନୁସରଣ କରି ମୋ ଭାଇ ପ୍ରତିଦିନ ଅଧିକରୁ ଅଧିକ ବାଟ ଦୌଡିବ। ତାକୁ ଏବେ ମାତ୍ର ୬ ବର୍ଷ। ତାର ବୟସ ବଢିଲେ ସେ ମଧ୍ୟ ସ୍ପୋର୍ଟସ ହଷ୍ଟେଲରେ ରହି ପାଠ ପଢିବ। ଏହାସହ ଦୌଡିବା ଅଭ୍ୟାସ କରିବ। ମୋ ଭାଇ ଜଣେ ଅନ୍ତର୍ଜାତୀୟ ଦୌଡାଳି ହେଉ ବୋଲି ମୋର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ମୁଁ ସାକାର କରିବା ପାଇଁ ଚେଷ୍ଟା କରିବି ବୋଲି ଲିଜାରାଣୀ କହିଛନ୍ତି।’’
ସେହିପରି ଏହି ଅବସରରେ କିଶୋରଙ୍କ ବାପା ଏକାଦଶୀ ବେହେରା କହିଛନ୍ତି, ‘‘ମୋ ପୁଅକୁ ପ୍ରତିଦିନ ୨୪ କିଲୋମିଟର ଦୌଡାଉଥିଲି। ପରେ ମା ଶାରଳାଙ୍କ ମନ୍ଦିର ପର୍ଯ୍ୟନ୍ତ ଦୌଡାଇ ନେବା ପାଇଁ ଯୋଜନା କରିଥିଲି। ସେହି ଯୋଜନା ଏବେ ସଫଳ ହୋଇଛି। ଏହାପରେ ସେ ଧବଳେଶ୍ୱର ମନ୍ଦିର ଓ ବିରଜା ମନ୍ଦିର ପର୍ଯ୍ୟନ୍ତ ଦୌଡିବା ପାଇଁ ଅଭ୍ୟାସ ଜାରି ରଖିବ। ମୋ ଅଭାବ ସଂସାର ମଧ୍ୟରେ ଏଥିପାଇଁ ଯାହା ଆବଶ୍ୟକ ପଡ଼ିବ ତାହା ମୁଁ ଯୋଗାଇଦେବି ବୋଲି ସେ କହିଛନ୍ତି।’’
କୁନି ଧାବକ କିଶୋରଙ୍କ ଘଟଣା ଏବେ ପୁଣି ଥରେ ଓଡ଼ିଶାବାସୀଙ୍କ ପାଇଁ ବିସ୍ମୟ ବାଳକ ବୁଦ୍ଧିଆ ସିଂହର ଘଟଣାକୁ ସ୍ମରଣ କରାଇ ଦେଉଛି।

Comments are closed.