ଦୁଇ କାନ୍ଥ ମଝିରୁ ଉଦ୍ଧାର ହେଲା ଶିଶୁ କନ୍ୟା

ଚୌଦ୍ୱାର: ଲୋକକଥା ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ’ ଉକ୍ତିଟି ପ୍ରମାଣିତ ହୋଇଛି ଏକ ଆସନ୍ନ ବିପଦରୁ ଉଦ୍ଧାର ପାଇଥିବା ଚୌଦ୍ୱାର ଅଞ୍ଚଳର ଅଢ଼େଇ ବର୍ଷର କୁନିଝିଅ ସାଇପ୍ରିୟା ପାଖରେ। ଘଟଣାରୁ ପ୍ରକାଶଯେ ଶନିବାର ଅପରାହ୍ଣ ୪ଟାରେ ଚୌଦ୍ୱାର ତଳବଜାରସ୍ଥିତ ଅମରେଶ ସାହୁଙ୍କ ପତ୍ନୀ ପୂଜା ତାଙ୍କ ଅଢ଼େଇ ବର୍ଷର କୁନି ଝିଅ ସାଇପ୍ରିୟା ସହିତ ନିଜ ଏକ ମହଲା ଘରର ଛାତ ଉପରକୁ ଯାଇଥିଲେ। ସେ ଛାତ ଉପରେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସାଇପ୍ରିୟା ଛାତ ଧାରକୁ ଚାଲି ଯାଇଥିଲା। ଅସାବଧାନତା ବସତଃ ତା ଗୋଡ଼ ଖସିଯିବାରୁ ସେ ଛାତର ୧୨ଫୁଟ ତଳକୁ ଗଳି ପଡ଼ିଥିଲା। ଅମରେଶଙ୍କ କୋଠା ଓ ପଡ଼ୋଶୀ କୋଠା ମଝିରେ ମାତ୍ର ୮ଇଞ୍ଚର ଫାଙ୍କ ଭିତରେ ଗଳି ପଡ଼ି ଥିବାରୁ ସାଇପ୍ରିୟାକୁ ବାହାର କରିବା ସମ୍ଭବ ହୋଇ ପାରି ନଥିଲା।

ସାଇପ୍ରିୟାର ପରିବାର ଲୋକେ ଓ ସ୍ଥାନୀୟ ଲୋକେ ବହୁଚେଷ୍ଟା କରିସୁଦ୍ଧା ପିଲାଟାକୁ ଉଦ୍ଧାର କରିବା ସମ୍ଭବ ନ ହେବାରୁ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଘରର କାନ୍ଥକାଟି ଏକ ସୁଢ଼ଙ୍ଗ କରି ଗଳି ଭିତରୁୁ ସାଇପ୍ରିୟାକୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ଛୋଟ ପିଲାଟି ଦୀର୍ଘ ୨ଘଣ୍ଟା କାଳ ଦୁଇ କାନ୍ଥ ମଝିରେ ଚାପିହୋଇ ରହି ଯାଇଥିବାରୁ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇ ସେ ଗୁରୁତର ହୋଇ ପଡ଼ିଥିଲା। ଉଦ୍ଧାର ପରେ ଚିକିତ୍ସା ପାଇଁ ତାକୁ ପ୍ରଥମେ ସ୍ଥାନୀୟ ଏକ ଘରୋଇ ହସପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ନିଆ ଯାଇଛି। ଏହି ଦୁର୍ଘଟଣା ହେତୁ ପିଲାଟିର ମା’ ଅତି ମାତ୍ରରେ ଆତଙ୍କିତ ହୋଇ ପଡ଼ିଥିବା ଓ ବାରମ୍ବାର ଚେତାଶୂନ୍ୟ ହୋଇ ପଡ଼ୁଥିବା ଦେଖିବାକୁ ମିଳିଥିଲା।

Comments are closed.