୨୦୩୦ ସୁଦ୍ଧା ଓଡ଼ିଶାକୁ ବାଲ୍ୟବିବାହ ମୁକ୍ତ କରାଯିବ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବାଲ୍ୟବିବାହ। ବାଲ୍ୟବିବାହ ମୁକ୍ତ ଓଡିଶା କରିବା ପାଇଁ ମହିଳା ଓ ଶିଶୁବିକାଶ ବିଭାଗପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଯେପରି ସମ୍ପୂର୍ଣ୍ଣ ରାଜ୍ୟରୁ ବାଲ୍ୟବିବାହକୁ ରୋକାଯାଇ ପାରିବ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ସମସ୍ତ ଜିଲାର ଜିଲାପାଳମାନେ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କମିସନପକ୍ଷରୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ମୋଟ ୯୦ଟି ଗାଁକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଚଳିତ ମାସ ନୟାଗଡ ଜିଲାର ସର୍ବାଧିକ ୪୧ଟି ଗାଁକୁ ବିଭାଗ ବାଲ୍ୟବିବାହ ମୁକ୍ତ ଘୋଷଣା କରିଛନ୍ତି। ଜିଲା ବାଲ୍ୟବିବାହ ନିରୋଧ ଅଧିକାରୀ ତଥ୍ୟ ପ୍ରଦାନ କରିବା ପରେ ବିଭାଗୀୟ ଅଧିକାରୀ ଓ ସ୍ବେଚ୍ଛାସେବୀମାନେ ତଦନ୍ତ କରିବା ପରେ ଏହାକୁ ବାଲ୍ୟବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଥିଲେ।
୨୦୧୪ ମସିହା ସୁବର୍ଣ୍ଣପୁରରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁବର୍ଣ୍ଣପୁର ଜିଲାର ୧୨ଟି, ବୌଦ୍ଧର ୧୦ଟି, ନୟାଗଡର ୨ଟି ଏବଂ ଦେଓଗଡରୁ ୧ଟି, ମୟୂରଭଞ୍ଜରୁ ୨୦ ଓ ନବରଙ୍ଗପୁରର ୫ଟି ଗାଁକୁ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଏହି ଗାଁ ଗୁଡିକ‌େ‌ର ୨ ବର୍ଷ ହେବ କୌଣସି ଶିଶୁକନ୍ୟା ବାଲ୍ୟବିବାହ କରି ନଥିବା ରାଜ୍ୟ ଶିଶୁ ଅଧିକାର ଜଣାପଡିଛି।
ଜିଲା ପ୍ରଶାସନ, ୟୁନିସେଫ ଏବଂ ଆକ୍ସନଏଡର ମିଳିତ ସହଯୋଗରେ ଓଡିଶାର ୧୫ଟି ଜିଲାରେ ବାଲ୍ୟବିବାହ ନେଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଦୁଇବର୍ଷ ମଧ୍ୟରେ ସୋନପୁର ଜିଲାର ରୁଗୁଡ଼ିପାଳି, ଜାନମୁରା, ଜାମପାଲି, ସାଲେପାଲି ଭଳି ମୋଟ ୧୨ଟି ଗ୍ରାମରେ ବାଲ୍ୟବିବାହ ମୁକ୍ତ ହୋଇଛି। ବୌଦ୍ଧର ଚନ୍ଦ୍ରପୁର, କୁସୁମଜୁଲି, କନକପୁର, ନୂଆପଡା, ସାନ ବୁଟୁପାଲି, ମାରଡିଂ, ଲୁନିବାହାଲ, ଦେଉଳି, ସୁବର୍ଣ୍ଣପାଲି, ସୁଲିୟା ଗ୍ରାମକୁ ବାଲ୍ୟବିବାହମୁକ୍ତ ବୋଲି ଘୋଷଣା କରାଯାଇଛି। ନୟାଗଡର ଉଦୟପୁର, ଭାପୁର ବ୍ଲକର ୫ଟି ଗାଁ, ଖଣ୍ଡପଡାର ଗୋଳାସାହି, ଦଶପଲାର ୧୪ଟି ଗାଁ, ଓଡଗାଁର ଯାତ୍ରାବରପାଟଣା, ରଣପୁରର ୨ଟି, ଗଣିଆର ୭ଟି ଏବଂ ନୂଆ ଗାଁର ୮ଟି ଗାଁକୁ ଚଳିତ ମାସ ବିଭାଗ ପକ୍ଷରୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।

Comments are closed.