ନକଲି ପ୍ରଶ୍ନପତ୍ର ସଞ୍ଚାରକାରୀ ଓ ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆଗାମୀ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ସୁପାରିଚାଳନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନକଲି ପ୍ରଶ୍ନପତ୍ର ସଞ୍ଚାରକାରୀ ଓ ଗୁଜବକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସବୁ ଜିଲାର ଏସପିମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ନକଲି ପ୍ରଶ୍ନପତ୍ର ସଞ୍ଚାର କରିବେ ଏବଂ ଗୁଜବ ସୃଷ୍ଟି କରିବେ ସେଭଳି ଲୋକଙ୍କୁ ଠାବ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପିମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି। ପରୀକ୍ଷାଗତ ଆଇନଶୃଙ୍ଖଳା ନିମନ୍ତେ ସେକ୍ଟରୱାରୀ ପୁଲିସ ମୁତୟନ ସହ ପ୍ରତି ନୋଡାଲ ସେଣ୍ଟରରେ ସିସିଟିଭି ସହ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଏପ୍ରିଲ ୨୯ରୁ ମେ’ ୭ ଏବଂ ଏପ୍ରିଲ ୨୮ରୁ ମେ’ ୩୧ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ।

 

ଏଥିପାଇଁ ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାବେଳେ ସେକ୍ଟର ଅଫିର ମୁତୟନ ହେବେ। ପ୍ରତି ସେଣ୍ଟର ଓ ନୋଡାଲ ସେଣ୍ଟର ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ହେବ। ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପରିଚାଳନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସୁରକ୍ଷା, ସଞ୍ଚାଳନ, ପରିବହନ ଓ ମୂଲ୍ୟାୟନ ତଦାରଖ ଜିଲାପାଳମାନେ କରିବେ ବୋଲି ଲୋକସେବା ଭବନରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ସବୁ ଜିଲାର ଜିଲପାଳ ଓ ଏସପିମାନେ ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଥିଲେ।

Comments are closed.