୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି: ମୁଖ୍ୟମନ୍ତ୍ରୀ

ବିଶ୍ବ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରଠାରେ ପ୍ରଥମ ଅଗ୍ରଗାମୀ ଦକ୍ଷତା ତାଲିମ ପ୍ରତିଷ୍ଠାନ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ଉଦ୍‌ଘାଟନ କରିଛନ୍ତି ଏବଂ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଆମର ଯୁବକମାନଙ୍କ ପାଇଁ ଯେକୌଣସି ସ୍ଥାନରେ ଥିବା ସେମାନଙ୍କ ପ୍ରତିପକ୍ଷଙ୍କ ସହିତ ପ୍ରତିଦ୍ୱନ୍ଦିତା ନିମନ୍ତେ ନୂତନ ସୁଯୋଗମାନ ସୃଷ୍ଟି କରିଛୁ। ଯୁବକମାନଙ୍କ ଆଶାଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ବିଶ୍ୱସ୍ତରରେ ନିଯୁକ୍ତିଯୋଗ୍ୟ କରି ଗଢ଼ିତୋଳିବା ଆମର ଲକ୍ଷ୍ୟ। ଯୁବକମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ସକାଶେ ଭିତ୍ତିଭୂମି ଓ ବିଭିନ୍ନ ପ୍ରକରଣ ସୃଷ୍ଟି ଉପରେ ସରକାର ଆଗ୍ରହର ସହିତ ପୁଞ୍ଜି ବିନିଯୋଗ କରୁଛନ୍ତି। ଆମର ଯୁବକମାନଙ୍କୁ ଉନ୍ନତ ଦକ୍ଷତା ତାଲିମ ଯୋଗାଇଦେବା ସହିତ ବିଶ୍ୱସ୍ତରରେ ସେମାନଙ୍କୁ ପ୍ରତିଦ୍ୱନ୍ଦିତା ପାଇଁ ପ୍ରସ୍ତୁତ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭାବରେ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।


ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ବିଗତ ୫ ବର୍ଷରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ର ସଫଳତା ଉପରେ ଆଲୋକପାତ କରିବା ସହିତ ଦକ୍ଷତା ବିକାଶ ଉଦ୍ୟମକୁ ପରବର୍ତ୍ତୀ ପର୍ଯ୍ୟାୟ, ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂପ୍ରସାରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ଆମର ଯୁବକମାନଙ୍କୁ ବିଶ୍ବବ୍ୟାପୀ ନିଯୁକ୍ତି ଦେବାକୁ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଏହା ଉତ୍ତମ ସୁଯୋଗ ଯୋଗାଇବ ଏବଂ ସାମଗ୍ରିକ ବିକାଶର ଆବଶ୍ୟକତା ପାଇଁ ରାଜ୍ୟ ସ୍କିଲ ଭିଜନ ୨୦୩୦ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଛନ୍ତି।
ମନ୍ତ୍ରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କର ମହାନିର୍ଦ୍ଦେଶକ କେନିଚି ୟୋକୋୟାମା, ଆଇଟିଇଇଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରୁସ୍‌ ପୋହ୍‌ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ସ୍ୱାଗତ ଜଣାଇବା ସହିତ ଭାରତରେ ଦକ୍ଷତା ବିକାଶ ପରିମଣ୍ଡଳରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଶିଳ୍ପାନୁଷ୍ଠାନ ସହଯୋଗ କେନ୍ଦ୍ର ଏବଂ ସେଗୁଡ଼ିକର ନିୟୋଜନ ଆବଶ୍ୟକତା ନିମନ୍ତେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବରେ କାର୍ଯ୍ୟ କରିବ।


ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷିଆ, ଗ୍ଲୋବଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ଓଡ଼ିଶଶ ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି। ରାଜ୍ୟର ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ୧ ହଜାର ୩୪୨ କୋଟି ଟଙ୍କା ଅନୁଦାନରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଥିବାବେଳେ ବିଶ୍ବ ଦକ୍ଷତା ପ୍ରତିଯୋଗିତା ପାଇଁ ଏହା ନୋଡାଲ ଏଜେନ୍ସି ଏବଂଓଡ଼ିଶାରେ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ଏହି କେନ୍ଦ୍ର ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ ଭାବେ କାର୍ଯ୍ୟ କରିବ। ସେହିପରି ଏହି କେନ୍ଦ୍ର ଆଇଟିଆଇ ପଲିଟେକ୍ନିକ ଛାତ୍ରଛାତ୍ରୀଙ୍କ ପାଇଁ ମଡୁଲାର ପାଠ୍ୟକ୍ରମ ପ୍ରଦାନ କରାଯିବ।
ବିଶ୍ବ ଦକ୍ଷତା କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫେସନ ଏବଂ ଡିଜାଇନ, ସୌନ୍ଦର୍ଯ୍ୟ ଓ ସୁସ୍ଥତା ଭଳି ଆତ୍ମ ନିର୍ଭରଶୀଳ ଓ ବୃତ୍ତିଭିତ୍ତିକ ପାଠ୍ୟକ୍ରମ ଏଠାରେ ପ୍ରଚଳନ କରାଯିବ।

Comments are closed.