ଆଜି ଚିତାଲାଗି ଅମାବାସ୍ୟା

ଆଜି ଶ୍ରାବଣ ମାସର ଅମାବାସ୍ୟା ତିଥି। ଏହି ଦିନ ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ପାଳିତ ହୋଇଥାଏ। ଏହା ଓଡ଼ିଶାରେ ପାଳିତ ହେଉଥିବା ଏକ ଗଣପର୍ବ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ। ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି।

ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଶେଷଜ୍ଞଙ୍କ ମତ। ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି। ସେଥିପାଇଁ ଏହା ‘ଗେଣ୍ଡେଇକଟା ଓଷା’ ନାମରେ ମଧ୍ୟ ପ୍ରସିଦ୍ଧ। ବାଲେଶ୍ୱର, ମୟୂରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ ‘ଗେଣ୍ଡାକଟା ଅମାବାସ୍ୟା’ କୁହାଯାଏ। ସାଧାରଣତଃ ଚାଷୀମାନେ ବର୍ଷା ଋତୁରେ ଚାଷ କରିବା ସମୟରେ ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କଟିଯାଇ କ୍ଷତ ସୃଷ୍ଟି ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଜଳାଶୟମାନଙ୍କରେ ଭସାଯାଏ ବା ତା’ ମଧ୍ୟକୁ ଫିଙ୍ଗାଯାଇଥାଏ। n

Comments are closed.