ଛତିଶଗଡ଼ ସବୁଠୁ ସ୍ୱଚ୍ଛ ରାଜ୍ୟ, ଇନ୍ଦୋର କ୍ରମାଗତ ପଞ୍ଚମ ଥର ଶ୍ରେଷ୍ଠ ସ୍ବଚ୍ଛ ସହର

ନୂଆଦିଲ୍ଲୀ : ଦେଶର ସବୁଠୁ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଛତିଶଗଡ଼। ଏଥିସହିତ କ୍ରମାଗତ ପଞ୍ଚମ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ମହାନଗରୀ ଦେଶର ସବୁଠୁ ସ୍ୱଚ୍ଛ ସହର ବିବେଚିତ ହୋଇଛି। ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣର ଷଷ୍ଠ ସଂସ୍କରଣରେ ଉତ୍ତର ପ୍ରଦେଶର ବାରଣାସୀ ୨୦୨୧ର ସବୁଠୁ ସ୍ୱଚ୍ଛ ଗଙ୍ଗା ସହର ପୁରସ୍କାର ପାଇଛି। ଗୁଜରାତର ସୁରତ ସହର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱଚ୍ଛ ସହର ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି। ଆନ୍ଧ୍ର ପ୍ରଦେଶର ବିଜୟୱାଡା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାର ବ୍ରହ୍ମପୁର ମହାନଗର ନିଗମକୁ ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସେସ ବର୍ଗ (୩ରୁ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ)ରେ ସର୍ବୋତ୍ତମ ପ୍ରଦର୍ଶନ ଲାଗି ‘ସ୍ୱଚ୍ଛ ସହର ପୁରସ୍କାର’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ରହ୍ମପୁର ମହାନଗର ନିଗମକୁ ପୁରସ୍କୃତ କରିଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ମୋଟ୍ ୪,୩୨୦ ସହରକୁ ସାମିଲ୍ କରାଯାଇଥିଲା। ତାରକା ବ୍ୟବସ୍ଥା ଆଧାରରେ ପ୍ରସ୍ତୁତ କରାଯାଉଥିବା ତାଲିକାରେ ଚଳିତ ବର୍ଷ ୩୪୨ ସହର ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ୯ଟି ସହରକୁ ପାଞ୍ଚ ତାରକା ମିଳିଥିବାବେଳେ ୧୬୬ ସହରକୁ ତିନି ତାରକା ଓ ୧୬୭ ସହରକୁ ଗୋଟିଏ ତାରକା ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଇନ୍ଦୋରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ୩୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହରାଞ୍ଚଳ ବାହ୍ୟ ମଳମୁକ୍ତରେ ପରିଣତ ହୋଇଥିବା ସେ କହିଛନ୍ତି। ଶନିବାର ସ୍ଥାନୀୟ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବଚ୍ଛ ଅମୃତ ମହୋତ୍ସବରେ ଦେଶର ସ୍ବଚ୍ଛ ସହର ଓ ରାଜ୍ୟଗୁଡ଼ିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ସ୍ବଚ୍ଛ ସର୍ବେକ୍ଷଣ ସମ୍ମାନ-୨୦୨୧’ ପ୍ରଦାନ କରିଛନ୍ତି।

Comments are closed.