ଶ୍ରଦ୍ଧାଳୁ ଦେଖିବେ ଶ୍ରୀଜୀଉଙ୍କ ହାତୀ ବେଶ, ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ସ୍ଥିରୀକୃତ

ଡେସ୍କ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଆଜି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀଜିଉଙ୍କର ଆଗାମୀ ସ୍ନାନଯାତ୍ରା ଠାରୁ ରଥଯାତ୍ରା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହେବା ସହିତ ତାହାର ଅନୁମୋଦନ ଲାଗି ପରିଚାଳନା କମିଟିକୁ ପଠାଯିବା ଲାଗି ନିଷ୍ପତି ହୋଇଥିଲା। କୋଭିଡ କଟକଣା ଯୋଗୁ ବିଗତ ଦୁଇ ବର୍ଷ ଧରି ସାଧାରଣ ଭକ୍ତ ଉଭୟ ସ୍ନାନଯାତ୍ରା ଓ ରଥଯାତ୍ରାରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ ଭକ୍ତ ଓ ଦର୍ଶନାର୍ଥୀମାନେ ଅଂଶ ଗ୍ରହଣ କରିବେ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଥିବାରୁ ଏହାକୁ କିଭଳି ଶୃଙ୍ଖଳିତ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା।

ସୂଚନା ଅନୁଯାଇ ସ୍ନାନଯାତ୍ରା ଲାଗି ଭୋର ଚାରିଟାରୁ ପହଣ୍ଡି ଆରମ୍ଭ କରାଯିବ। ରାତି ୧୦ ଟାରେ ହେବାକୁ ଥିବା ସାହାଣ ମେଳାରେ ଶ୍ରଦ୍ଧାଳୁମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଶ୍ରୀଜୀଉଙ୍କର ହାତୀ ବେଶ ଦେଖି ପାରିବେ। ସତ୍ୱାଲିପିରେ ଅଧିକାର ପାଇଥିବା ସେବକମାନେ ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇପାରିବେ। ପହଣ୍ଡି ସମୟରେ ଓ ସ୍ନାନମଣ୍ଡପ ଉପରେ କେହି ବାହାର ଲୋକ ଶ୍ରୀଜୀଉଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଠାକୁରମାନେ ସ୍ନାନମଣ୍ଡପ ଉପରେ ଥିବା ସମୟରେ ଭକ୍ତମାନେ ଦର୍ଶନରୁ ଯେପରି ବଞ୍ଚିତ ନହେବେ ସେଥିଲାଗି ସେବାୟତମାନେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଠିଆ ହୋଇପାରିବେନି ବୋଲି ବୈଠକରେ ସ୍ଥିର ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ ବି ସିଂହଙ୍କ ସମେତ ବିଭିନ୍ନ ନିଯୋଗର ପ୍ରତିନିଧି ଉପସ୍ଥିତ ଥିଲେ।

Comments are closed.