ବିନା ଭକ୍ତ ଓ ରକ୍ତରେ ପ୍ରସିଦ୍ଧ ଏବଂ ବିରଳ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଅନୁଷ୍ଠିତ

ସାରା ସହର ପୋଲିସ ଛାଉଣି, ଭକ୍ତଙ୍କ ଭାବନା ନିକଟରେ ପ୍ରଶାସନର ୧୪୪ ଧାରା ଫୁ

ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇତିହାସରେ ଦ୍ୱିତୀୟ ଥର ବିନା ଭକ୍ତ ଓ ରକ୍ତରେ ବୁଧବାର ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷ ପରି ଚଳିତ ବର୍ଷ କୌଣସି ପଶୁ ପକ୍ଷୀଙ୍କ ବିନା ରକ୍ତରେ ଭବାନୀପାଟଣା ସହରର ୪ କି.ମି ମୁଖ୍ୟ ରାଜରାସ୍ତା ଉପରେ ମା’ ମାଣିକେଶ୍ୱରୀ ବିନା ଭକ୍ତଙ୍କ ଗହଣରେ କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟ ମନ୍ଦିରକୁ ୧୩ ତାରିଖ ବୁଧବାର ସକାଳ ୮ ଟା ୪୫ ମି. ରେ ପ୍ରବେଶ କରିଥିଲେ। ଛତରଯାତ୍ରାରେ ବଳି ପ୍ରଥା ବନ୍ଦ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶନାମା ଦେଇଥିବା ବେଳେ ଉକ୍ତ ନିର୍ଦ୍ଦେଶନାମାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ରହିତାଦେଶ ଦେଇଥିଲେ। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ଚଳନ୍ତି ବର୍ଷ କରୋନା ସଂକ୍ରମଣଙ୍କୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‍-୧୯ ନିର୍ଦ୍ଦେଶନାମା ଅନୁଯାୟୀ ମାଣିକେଶ୍ୱରୀଙ୍କ ଛତରଯାତ୍ରା ସହିତ କେବଳ ମାଙ୍କ ଜେନା ବାଜା ଓ ପ୍ୟାଲେସ କାର୍ଯ୍ୟାଳୟ ନିମନ୍ତ୍ରୀତ ଘୁମୁରା ଦଳ ସହିତ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନ୍ୟ କୌଣସି ସାଂସ୍କୃତିକ ଦଳ ପୂର୍ବ ବର୍ଷପରି ଛତରଯାତ୍ରା ମା’ ମାଣିକେଶ୍ୱରୀଙ୍କ ସହିତ ଆସିବା ପାଇଁ ପ୍ରଶାସନ କଡା କଡି ଭାବେ ବାରଣ କରିଥିବାରୁ କୌଣସି ସାଂସ୍କୃତିକ ଦଳ ମାଙ୍କ ଆଗରେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିନଥିବାରୁ ଶହ ଶହ କଳାକାର ଏବଂ ଲକ୍ଷ ଲକ୍ଷ ଭକ୍ତ ମାଁ ଙ୍କୁ ଦର୍ଶନ କରିପାରିନଥିବାରୁ ସେମାନଙ୍କ ମନ ଭିତରେ ଥିବା ବେଦନା ଓ ଦୁଃଖକୁ ଚାପି ରଖି ଘର ଭିତରେ ରହି ମା ମାଣିକେଶ୍ୱରୀଙ୍କୁ କେବଳ ଗୁହାରୀ କରିବା ଛଡା ଅନ୍ୟ ଉପାୟ ନଥିଲା। ପ୍ରଶାସନ ତରଫରୁ ଅକ୍ଟୋବର ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରକୁ ୧୪୪ ଧାରା କରାଯିବା ସହିତ ଅକ୍ଟୋବର ୧୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥ ସିଲ କରାଯାଇ ଭବାନୀପାଟଣା ବାହାରୁ କୌଣସି ଗାଡି ମୋଟର ଓ ଜନସାଧାରଣକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ସେହିପରି ଭବାନୀପାଟଣା ସହରର ସମସ୍ତ ପଡାର ପ୍ରବେଶ ରାସ୍ତା ଓ ଜେନାଖାଲ ପଡା ଠାରୁ ପରଦେଶିପଡା-ଜେଲଛକ-ନୂଆ ବସ୍‍ଷ୍ଟାଣ୍ଡ-ଘୋଡାଘାଟଛକ-ପ୍ୟାଲେସରୋଡ(ଜଗନ୍ନାଥ ମନ୍ଦିରପଡା)-ମାଣିକେଶ୍ୱରୀ ମନ୍ଦିର- ଷ୍ଟେଚ୍ୟୁଛକ ରାସ୍ତାର ସମସ୍ତ ପ୍ରବେଶ ପଥକୁ ସିଲ୍‍ କରାଯାଇ କୌଣସି ଲୋକଙ୍କୁ ଘରୁ ବାହାରିବାକୁ ଦିଆଯାଇନଥିଲା। ଜିଲ୍ଲା ପ୍ରଶାସନର ସବୁ ପ୍ରକାର କଟକଣାକୁ ଖାତିର ନକରି ଭକ୍ତମାନେ ନିଜର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ ପାଇଁ ଘରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଏବଂ ଘର ଉପରେ, ଘରଦ୍ୱାର ମୁହଁରେ ଏବଂ ବିଭିନ୍ନ ରାସ୍ତାରେ ପ୍ରଶାସନ ତରଫରୁ ସିଲ୍‍ କରାଯାଇଥିବା ସ୍ଥାନରେ ଶହ ଶହ ଭକ୍ତ ପ୍ରଶାସନର ୧୪୪ ଧାରାକୁ ଫୁ’ କରିଦେଇ ମାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କରିଥିଲେ। ମାନସିକ କରିଥିବା ଭକ୍ତମାନେ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ମୁଖ୍ୟରାସ୍ତାକୁ ଛାଡିଦେଲେ ଭବାନୀପାଟଣା ସହରର ବିଭିନ୍ନ ପଡାର ରାସ୍ତା ସହିତ ଅନ୍ୟାନ୍ୟ ମୁଖ୍ୟ ରାସ୍ତାରେ ଶହ ଶହ ବୋଦା, ମେଣ୍ଢା, ପାରା, କୁକୁଡା ବଳି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପୁଣିଥରେ ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଯାଇଥିଲା ଭବାନୀପାଟନା ସହର ଓ ତାର ପାଶ୍ୱ ମୁଖ୍ୟରାସ୍ତା। ମା’ ତାହାର ଭକ୍ତକୁ ଦର୍ଶନ ଦେଇ ନିଜେ ହସିଖୁସିରେ ମନ୍ଦିରକୁ ଯାଇଥିବାବେଳେ ଭକ୍ତମାନେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶନାମା, କୋଭିଡ୍‍ ନିୟମକୁ ମାନିଥିଲେ ମଧ୍ୟ ୧୪୪ ଧାରା ଆଇନ ଭକ୍ତଙ୍କ ଉପରେ ସେପରି କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଥିଲା।

ଗତ ୧୨ ତାରିଖ ମହାଷ୍ଟମୀ ମଧ୍ୟ ରାତ୍ରିରେ ପାରମ୍ପରିକ ଓ ରୀତି ନୀତି ଅନୁଯାୟୀ ମହାବଳୀ ପରେ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା(ଭୈରବ)ଙ୍କ ସମ୍ମୁଖରେ ପୁଣି ପୋଢବଳୀ ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ୧୨ ତାରିଖ ରାତ୍ର ପ୍ରାୟ ୪ଟା ୪୫ମି. ସମୟରେ ଭବାନୀପାଟଣାର ପଶ୍ଚିମ ଦିଗରେ ଥିବା ଜେନାଖାଲ ପର୍ଯ୍ୟନ୍ତ ଯାଇଥିଲା। ୧୩ ତାରିଖ ବୁଧବାର ଦିନ ପ୍ରାତଃକାଳରେ ଜେନାଖାଲରେ ରୀତି ନୀତି ଅନୁଯାୟୀ ବୋଦା ବଳି ଓ ଗୁପ୍ତ ପୂଜା ପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଛିଟକନା, ମନ୍ଦାରଫୁଲ, ବେଲପତ୍ର ମାଳରେ ବସ୍ତ୍ରାବୃତ୍ତ ‘ଛତର’ ବିନା ଭକ୍ତ ଓ ରକ୍ତରେ ମୁଖ୍ୟ ୨୬ ନମ୍ବର ଜାତୀୟ ରାଜପଥର ୫ କି.ମି. ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ୱିତୀୟ ଥର ମାଙ୍କୁ କୌଣସି ଭକ୍ତ ନିଜର ମାନଷିକ କରିଥିବା ଛିଟକନା, ବେଲପତ୍ର, ମନ୍ଦାରଫୁଲ ମାଳ ଚଢାଇ ପରିନଥିବା ବେଳେ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କେବଳ ପୋଲିସ କର୍ମଚାରୀଙ୍କୁ ଛାଡିଦେଲେ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା। ଯେଉଁ ରାସ୍ତାର ଦୁଇପାର୍ଶ୍ବରେ ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଥିଲେ। ଆଜି ସେହି ରାସ୍ତା ବିନା ଭକ୍ତରେ ଖାଁ… ଖାଁ… ଲାଗୁଥିଲା। ଯେଉଁ ରାସ୍ତାର ଦୁଇପାର୍ଶ୍ବ ଏବଂ ତାଙ୍କୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ମାଙ୍କୁ ମାନଷିକ କରିଥିବା ଭକ୍ତ ମାନଙ୍କ ଦ୍ୱାରା ଦିଆଯାଉଥିବା ପଶୁ ପକ୍ଷୀ ବଳିର ରକ୍ତ ରଞ୍ଜିତ ହେଉଥିଲା, ଆଜି ବୁନ୍ଦାଏ ରକ୍ତ ବି ଦେଖିବାକୁ ମିଳୁନଥିଲା। ଯେଉଁ ରକ୍ତ ଉପରେ ମା ଝୁମି ଝୁମି ମନଖୁସିରେ ନିଜର ଭକ୍ତଙ୍କୁ ଦର୍ଶନ ଦେବା ସହିତ ତାଙ୍କର ଗୁହାରୀ ଶୁଣି ନିଜ ମୁଖ୍ୟ ମନ୍ଦିରକୁ ପ୍ରବେଶ କରୁଥିଲେ ଆଜି ସେହି ରାସ୍ତା କେବଳ ଶୁଖା ପଡିଥିଲା। ସେ ଶୁଖା ରାସ୍ତାରେ ମା’ ନିଜର ଭକ୍ତଙ୍କୁ ଦର୍ଶନ ଦେଇନପାରି ମନଉଣା କରି ନିଜ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର ସବୁ ପ୍ରକାର କଟକଣାକୁ ଖାତିର ନକରି ଭକ୍ତମାନେ ନିଜର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ ପାଇଁ ଘରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଏବଂ ଘର ଉପରେ ଓ ଘରଦ୍ୱାର ମୁହଁରେ ଏବଂ ବିଭିନ୍ନ ରାସ୍ତାରେ ପ୍ରଶାସନ ତରଫରୁ ସିଲ୍‍ କରାଯାଇଥିବା ସ୍ଥାନରେ ଶହ ଶହ ଭକ୍ତ ପ୍ରଶାସନର ୧୪୪ ଧାରାକୁ ଫୁ’ କରିଦେଇ ମାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କରିଥିଲେ। ମାନସିକ କରିଥିବା ଭକ୍ତମାନେ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ମୁଖ୍ୟରାସ୍ତାକୁ ଛାଡିଦେଲେ ଭବାନୀପାଟଣା ସହରର ବିଭିନ୍ନ ପଡାର ରାସ୍ତା ସହିତ ଅନ୍ୟାନ୍ୟ ମୁଖ୍ୟ ରାସ୍ତାରେ ଶହ ଶହ ବୋଦା, ମେଣ୍ଢା, ପାରା, କୁକୁଡା ବଳି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପୁଣିଥରେ ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଯାଇଥିଲା ଭବାନୀପାଟନା ସହର ଓ ତାର ପାର୍ଶ୍ବ ମୁଖ୍ୟରାସ୍ତା। ପ୍ରଶାସନର କଟକଣା ଭକ୍ତର ଭାବନା ଓ ଭକ୍ତି ପାଖରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ପୁଣିଥରେ ପ୍ରମାଣ ହୋଇଗଲା ମା’ ମାଣିକେଶ୍ୱରୀ ଓ ଭକ୍ତଙ୍କ ମଧ୍ୟରେ ଯିଏ ଯାହା ପ୍ରତିବନ୍ଧକ ସୃଷ୍ଟିକରୁ କିମ୍ବା ପୋଲିସ୍‍, ଆଇନ୍‍, କରୋନା ମହାମାରୀ ହେଉବା ପ୍ରଶାସନର ନାଲି ଆଖି ଦେଖାଇଲେ ମଧ୍ୟ ଭକ୍ତଙ୍କ ଉପରେ ତାହାର ପ୍ରଭାବ ପଡେନାହିଁ। ଯେପରି ହେଲେ ବି ମାଁ ତାହାର ଭକ୍ତକୁ ଦର୍ଶନ ଦେଇ ନିଜେ ହସିଖୁସିରେ ମନ୍ଦିରକୁ ପ୍ରବେଶ କରିଥିଲେ। କିନ୍ତୁ ପ୍ରଶାସନ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବାର ଆଖିଆଗରେ ରଖି ସାରା ସହରରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଆଇସିସି ସାଧାରଣ ସଂପାଦକ ଭକ୍ତଚରଣ ଦାସ ଓ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ପୌରପରିଷଦ କାର୍ଯ୍ୟାଳୟ ନିକଟରେ ମାଣିକେଶ୍ୱରୀଙ୍କ ଛତରକୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କରିଥିଲେ। ସେହିପରି ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ମଧ୍ୟ ମାଣିକେଶ୍ୱରୀ ମନ୍ଦିର ନିକଟରେ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ପରି ଚଳିତ ବର୍ଷ ପ୍ରଶାସନର କଟକଣା ଯୋଗୁଁ ଛତର ସମ୍ମୁଖରେ କେବଳ ରାଜ ଉଆଶ ଦ୍ୱାରା ନିମନ୍ତ୍ରୀତ ଘୁମୁରା ଦଳକୁ ଛାଡି ଦେଲେ ଅନ୍ୟ କୌଣଶି ଘୁମୁରାନୃତ୍ୟ, ସିଂହବାଦ୍ୟ, ଘଣ୍ଟବାଦ୍ୟ, ଆଦିବାସୀ ଓ ଶବର ନୃତ୍ୟ, ନିଶାନ ବାଦ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ ଦଳ ଭାଗନେଇ ପାରିନଥିଲେ। ପ୍ରତି ବର୍ଷ ଛତର ସମ୍ମୁଖରେ ଏହି କଳାକାରମାନେ ବାଜା ବଜାଇ ନାଚିନାଚି ନିଜକୁ ହଜେଇଦେଉଥିଲେ। ମାଁଙ୍କ ସମ୍ମୁଖରେ ଏହି ସାଂସ୍କୃତିକ ଅନୁଷ୍ଠାନ ଓ ତାହାର କଳାକାରମାନେ ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରଙ୍କ ସମ୍ମୁଖରେ ନିଜର ବାଦ୍ୟ ଓ ନୃତ୍ୟ ପରିବେଷଣ କରିବା ପାଇଁ ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି ଏହି ଛତର ଯାତ୍ରାକୁ। ଏହି ଯାତ୍ରାରେ ଭାଗନେଇ ନିଜର କଳା ପ୍ରଦର୍ଶନ କରିବା ପାଇଁ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ମାସ ଧରି ନିଜକୁ ପ୍ରସ୍ତୁତ କରିଥାନ୍ତି। କୌଣସି କଳାକାର ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ କରିନପାରିବା ଯଦି ବଞ୍ଚିଥିବେ ଆରବର୍ଷକୁ ମା’ଙ୍କୁ ଦର୍ଶନ କରିବେ ସେହି ଆଶାନେଇ ନିଜର ମନର ବେଦନା ଚାପିରଖି ଯିଏ ଯାହାର ଘରେ ରହିଥିଲେ। ମା’ଙ୍କ ଛତର ମୁଖ୍ୟ ମନ୍ଦିରରେ ପହଞ୍ଚିବା କ୍ଷଣି ମହାରାଜ ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ସପରିବାର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଣିକେଶ୍ୱରୀଙ୍କ ମୁଖ୍ୟପୂଜକ ବିଶିକେଶନ ତ୍ରିପାଠୀ ମନ୍ଦିରରେ ସମସ୍ତ ପୂଜାର୍ଚ୍ଚନା କରିଥିବା ବେଳେ ମା’ଙ୍କ ଛତରକୁ ପୂଜକ ମଧୁସୁଦନ ବେହେରା ବହନ କରିଥିବା ବେଳେ ଧବଳେଶ୍ୱର ବାହୁ ପାଟ୍ଟଖଣ୍ଡା ବହନ କରିଥିଲେ। ଜିଲ୍ଲାପାଳ ଗାଭିଲ ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ଓ ଶରତଚନ୍ଦ୍ର ଶ୍ରୀଚନ୍ଦନ, ଭବାନୀପାଟଣା ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଏବଂ ଅତିରିକ୍ତ ଏସପି ବିଜୟ ନନ୍ଦ, ଏସଡିପିଓ କେସିଙ୍ଗା ଏସ୍‍. ସୁଶ୍ରୀ ଓ ଏସଡିପିଓ ଭବାନୀପାଟଣା ସୁନାଧର ହେମରମ୍‍, ଡିଆଇଭି ଡିଏସ୍‍ପି ଗୁପ୍ତେଶ୍ୱର ଭୋଇ, ଟାଉନ୍‍ ଥାନା ଆଇ.ଆଇ.ସି. ପ୍ରଦୀପ ଧରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରାଙ୍କ ସମେତ ମାଜିଷ୍ଟ୍ରେଟ ଓ ଅନ୍ୟାନ୍ୟ ଅଧିକାରୀ ଏହି ଛତରଯାତ୍ରାରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ କିପରି ଛତର ଯାତ୍ରା ଅନୁଷ୍ଠିତ ହେବ ତାହା ତଦାରଖ କରୁଥିବା ଦେଖିବାକୁ ମିଳିଥିଲା।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସ୍‍ପି, ୧୦ ଜଣ ଇନ୍ସପେକ୍ଟର, ୫୦ ଜଣ ସବ୍‍ ଇନ୍ସପେକ୍ଟର ଓ ୩୨ ଜଣ ଏଏସ୍‍ଆଇ, ୭୪ ଜଣ କନେଷ୍ଟବଳ, ୭୦ ହୋମଗାର୍ଡ ସମେତ ଏସ୍‍ଓଜି, ଡିଭିଏଫ୍‍ ଏବଂ ସିଆରପିଏଫ୍‍ ଜବାନ୍‍ ଙ୍କୁ ମୁତୟନ କରାଯାଇଥିଲା। ଆସନ୍ତା ୧୫ ତାରିଖ ମାଁମାଣିକେଶ୍ୱରୀଙ୍କର ଲାଖମରା ଓ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେବ। ଭବାନୀପାଟଣା ସହରର ଗାନ୍ଧୀଛକ ଓ ରିଜର୍ଭ ପୋଲିସ ବ୍ୟତିତ ଅର୍କାବାହାଲିପଡା, ବାହାଦୁର ବଗିଚାପଡା, ସାପ୍ତାହିକ ହାଟପଦା (ଜନତା ପୂଜା ମଣ୍ଡପ), ମନ୍ଦାର ବଗିଚାପଡା, ପୁରୁଣା ବସଷ୍ଟାଣ୍ଡ, ପ୍ରଦେଶୀପଡା (ବାଲାଜୀ ମନ୍ଦିର ସମ୍ମୁଖ), ଇରିକେସନ କଲୋନୀ, ଗୋନ୍ତିଆପଡା ଏବଂ ନକଟିଗୁଡା (ଆରଟିଓ ଅଫିସ ସମ୍ମୁଖ) ୧୧ ଟି ସ୍ଥାନରେ କୋଭିଡ୍‍ ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗାପୂଜା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ଦୁର୍ଗାପୂଜା ଏବଂ ବିଶେଷ କରି ଜୁନାଗଡରେ ଲଙ୍କେଶ୍ୱରୀ, ଥୁଆମୂଳ ରାମପୁରର ମାଣିକେଶ୍ୱରୀ, ଧର୍ମଗଡର ଭଣ୍ଡାରଘରଣୀ, କୋକସରା ଓ ଆମପାଣିର ବୁଢାରାଜ, ବେହେରାର ଦନ୍ତେଶ୍ୱରୀ, କେସିଙ୍ଗାର ମାତାଜୀ ମନ୍ଦିରରେ ମଧ୍ୟ କରୋନା କଟକଣା ଓ ପ୍ରଶାସନର ନିର୍ଦ୍ଦେଶନାମା ଅନୁଯାୟୀ ବିନାଭକ୍ତରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଅଛି।

Comments are closed.