କଥା ନୁହେଁ କାମରେ ବିଶ୍ବାସ କରେ : ଚେତନ ଶର୍ମା

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲରାଉଣ୍ଡର ଚେତନ ଶର୍ମା ଗୁରୁବାର ସିନିୟର କ୍ରିକେଟ୍ ଦଳର ମୁଖ୍ୟ ମନୋନୟନକାରୀ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ସହ ମୁମ୍ବଇର ଆବି କୁରୁଭୁଲ୍ଲା ଓ ଓଡ଼ିଶାର ଦେବାଶିଷ ମହାନ୍ତି।
ମୁଖ୍ୟ ମନୋନୟନକାରୀ ଭାବେ ନିଯୁକ୍ତି ପାଇବା ପରେ ନିଜ ପ୍ରତିକ୍ରିୟାରେ ଚେତନ ଶର୍ମା କହିଛନ୍ତି ତାଙ୍କୁ ଏହି ପଦରେ ଅବସ୍ଥାପିତ କରିଥିବାରୁ ସେ ବିସିସିଆଇ ନିକଟରେ କୃତଜ୍ଞ। ଏହାଫଳରେ ତାଙ୍କୁ ଭାରତୀୟ କ୍ରିକେଟ୍‌ର ସେବା କରିବାର ସୁଯୋଗ ମିଳିବ। ଭବିଷ୍ୟତ ପାଇଁ ତାଙ୍କର କ’ଣ ଯୋଜନା ଅଛି ସେ ସଂପର୍କରେ ପ୍ରଶ୍ନର ଉତ୍ତରରେ ଚେତନ କହିଥିଲେ ସେ କଥା ନୁହେଁ କାମରେ ବିଶ୍ବାସ କରନ୍ତି। ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଯାହା ଉଚିତ୍‌ ହେବ ସେ ସେହି କାମ କରିବେ। ଏକ ଶକ୍ତିଶାଳୀ ଭାରତୀୟ ଦଳ ମନୋନୟନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ।
ସୂଚନାଥାଉକି ଚେତନ ଶର୍ମା ନିଜର ୧୧ ବର୍ଷର କ୍ୟାରିୟରରେ ଭାରତ ତରଫରୁ ୨୩ଟି ଟେଷ୍ଟ ଓ ୬୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେ ମାତ୍ର ୧୬ ବର୍ଷ ବୟସରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ ସେ ଟେଷ୍ଟରେ ପଦାର୍ପଣ କରିଥିବା ବେଳେ ୧୯ ବର୍ଷ ବୟସରେ ଦିନିକିଆରେ ପଦାର୍ପଣ କରିଥିଲେ।

Comments are closed.