ଝିଆରୀ, ପୁତୁରା ଜୟଲଳିତାଙ୍କ ଉତ୍ତରାଧିକାରୀ

ଚେନ୍ନଇ: ତାମିଲନାଡୁର ଦିବଂଗତ ଲୋକପ୍ରିୟ ନେତ୍ରୀ ଜୟଲଳିତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ତାଙ୍କ ଝିଆରୀ ଦୀପା ଓ ପୁତୁରା ଦୀପକ। ଏହି ଦୁଇ ଜଣ ଜୟଲଳିତାଙ୍କ ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ସେମାନଙ୍କୁ ସମସ୍ତ ସମ୍ପତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିସହିତ ଚେନ୍ନଇର ପୋଏସ୍‌ ଗା​‌​‌ର୍ଡେନ୍‌ସ୍ଥିତ ଜୟଲଳିତାଙ୍କ ବାସଭବନ ‘ବେଦ ନିଳୟମ୍‌’କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିୟମିତ ଭାବେ ସରକାରୀ ବାସଭବନ ମର୍ଯ୍ୟାଦା ଦେବା ଓ ଏହାର ଏକ ଅଂଶରେ ଜୟାଙ୍କ ସ୍ମାରକୀ ନିର୍ମାଣ କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବିଚାରପତି ଏନ୍‌.କିରୁବାକରନ୍‌ ଓ ବିଚାରପତି ଅବଦୁଲ କାଧୋସ୍‌ଙ୍କୁ ନେଇ ଗଠିତ ପୀଠଙ୍କର ଏହି ରାୟ ଜୟାଙ୍କ ସମ୍ପତ୍ତିର ଉତ୍ତରାଧିକାରୀକୁ ନେଇ ଚାଲିଥିବା ବିବାଦର ଆପାତତଃ ଅନ୍ତ ଘଟାଇଛି।

ଦୀପକ ଓ ଦୀପା ହେଉଛନ୍ତି ଜୟଲଳିତାଙ୍କ ଭାଇ ଜୟକୁମାରଙ୍କ ପୁଅ-ଝିଅ। ଏଥିସହିତ ଜୟଲଳିତାଙ୍କ ମାଲିକାନାରେ ଥିବା ସମସ୍ତ ସଂସ୍ଥାର ପରିଚାଳନା ଅଧିକାର ସେମାନଙ୍କ ଉପରେ ନ୍ୟସ୍ତ ହେବ; ତେବେ ସେମାନଙ୍କ ଇଚ୍ଛା ମୁତାବକ ଦୀପକ ଓ ଦୀପା କିଛି ସମ୍ପତ୍ତି ଜୟଲଳିତାଙ୍କ ନାମରେ ଗଠିତ ଏକ ପଞ୍ଜିକୃତ ଟ୍ରଷ୍ଟ ଅଧୀନରେ ରଖି ଏହାକୁ ସମାଜସେବା କାର୍ଯ୍ୟରେ ଉପଯୋଗ କରିପାରିବେ ବୋଲି ହାଇ​‌କୋର୍ଟ କହିଛନ୍ତି। ଏହି ଟ୍ରଷ୍ଟ ଗଠନ କାର୍ଯ୍ୟ ଶେଷ ପାଇଁ ହାଇକୋର୍ଟ ୮ସପ୍ତାହ ସମୟ ଦେଇଛନ୍ତି। ଏହା ପରେ ମାମଲାର ପୁନଃ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଏଆଇଏଡିଏମ୍‌କେ ନେତା କେ. ପୁଗାଲେନ୍ଥି ତାଙ୍କୁ ସମସ୍ତ ସମ୍ପତ୍ତିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ କରିଥିବା ଆବେଦନକୁ ପୀଠ ଖାରଜ କରିଦେଇଛନ୍ତି। ଗତ ଅଗଷ୍ଟରେ ହାଇକୋର୍ଟ ଜୟଲଳିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଚଳିତ ମାସ ୨୨ରେ ଜାରି କରିଥିବା ଏକ ଅଧ୍ୟାଦେଶ ବଳରେ ରାଜ୍ୟ ସରକାର ବେଦ ନିଳୟମ୍‌କୁ ସାମୟିକ ଭାବେ ଦଖଲକୁ ନେବା ସହ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଫାଉଣ୍ଡେସନ୍‌ ଅଧୀନରେ ଏହାକୁ ରଖିଛନ୍ତି। ସରକାର ଏହାକୁ ଜୟଲଳିତାଙ୍କ ସ୍ମାରକୀ ଭାବେ ଉତ୍ସର୍ଗ କରିବାକୁ ଯୋଜନା କରିଛନ୍ତି। ଶହଶହ କୋଟି ଟଙ୍କା ମୂଲ୍ୟର ତିନି ମହଲା ବିଶିଷ୍ଟ ବେଦ ନିଳୟମ୍‌ରେ ବହୁ ମୂଲ୍ୟବାନ ଆସବାବପତ୍ର, ପୁସ୍ତକ, ଅଳଙ୍କାର ମହଜୁଦ ରହିଛି। ଏହାର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୟଲଳିତା ଅବିବାହିତ ଥିଲେ ଓ ତାଙ୍କର ୨୦୧୬ ଡିସେମ୍ବର ୫ରେ ମୃତ୍ୟୁ ହୋଇଥିଲା।

Comments are closed.