ବିଦେଶରେ ଚାକିରି ନାଁରେ ଠକେଇ

ଜଣେ ଗିରଫ, ୧୩ ବ୍ୟାଙ୍କ ଖାତା ଓ ୫ ପାସପୋର୍ଟ ଜବତ

ବ୍ରହ୍ମପୁର : ବିଦେଶରେ ଚାକିରି ଦେବାକୁ କହି ପାଖାପାଖି ୨୦ ଜଣ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଠଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିକୁ ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ସଞ୍ଜୟ କୁମାର ଜେନା(୪୧)। ଅଭିଯୁକ୍ତ ନିକଟରୁ ବିଭିନ୍ନ ବ୍ୟାଙ୍କର ୧୩ଟି ବ୍ୟାଙ୍କ ଆକାଉଣ୍ଟ, ୫ଟି ପାସପୋର୍ଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟଙ୍କ ଠାରୁ ମିଳିଥିବା ସୂଚନାପ୍ରକାରେ ଅଭିଯୁକ୍ତ ସଞ୍ଜୟ ବ୍ରହ୍ମପୁର ସମେତ ବିଭିନ୍ନ ଜିଲାର ବେକାର ଯୁବକଙ୍କୁ ମାଲଦୀପ ଓ ବ୍ରୁନେଇ ଭଳି ଦେଶରେ ଉଚ୍ଚ ଦରମାରେ ଚାକିରି ଦେବାକୁ କହି ଲୋଭ ଦେଖାଉଥିଲା। ସଞ୍ଜୟଙ୍କ କଥାକୁ ବିଶ୍ବାସ କରି ବେକାର ଯୁବକମାନେ ନିଜର ସମସ୍ତ ଡକ୍ୟୁମେଣ୍ଟ ସହ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ନେବା ପାଇଁ ଅଭିଯୁକ୍ତ ସଞ୍ଜୟ ବିଭିନ୍ନ ବ୍ୟାଙ୍କରେ ୧୩ ଟି ଆକାଉଣ୍ଟ ବ୍ୟବହାର କରୁଥିଲା ା ଏପରିକି ଯୁବକଙ୍କ ଠାରୁ ଟଙ୍କା ନେବା ପରେ ସେମାନଙ୍କୁ ବିଭିନ୍ନ ମଲ୍ଟି ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ କମ୍ପାନୀର ନକଲି ଲେଟରପ୍ୟାଡରେ ନିଯୁକ୍ତିପତ୍ର ଦେଉଥିଲା। ତେବେ ନିଯୁକ୍ତିପତ୍ର ପାଇଥିବା କିଛି ଯୁବକ କିଛି ଦିନ ତଳେ ମାଲଦୀପ ଯିବା ପାଇଁ ଏୟାରପୋର୍ଟକୁ ଯାଇଥିଲେ ମଧ୍ୟ ନକଲି ଟିକଟ ଓ ନିଯୁକ୍ତିପତ୍ର ବିଷୟରେ ଜାଣିପାରି ନିରାଶ ହୋଇ ଫେରିଥିଲେ ା ସେଥିରେ ବ୍ରହ୍ମପୁର ବଡବଜାର ଅଞ୍ଚଳର ଜଣେ ଯୁବକ ରହିଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେହି ଯୁବକ ଜଣଙ୍କ ଅଭିଯୁକ୍ତ ସଞ୍ଜୟଙ୍କୁ ଟଙ୍କା ଫେରାଇବାକୁ ଚାପ ପକାଇଥିଲେ। ବାରମ୍ବାର ଚାପ ପକାଇବା ପରେ ସଞ୍ଜୟ ଯୁବକଙ୍କୁ ମାତ୍ର ୪୦ ହଜାର ଟଙ୍କା ଫେରାଇଥିଲେ ା କିନ୍ତୁ ଆହୁରି ୮୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ନଫେରାଇବା ପରେ ସଂପୃକ୍ତ ଯୁବକ ଜଣଙ୍କ ବଡ଼ବଜାର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ବଡ଼ବଜାର ଥାନାରେ ୨ ଦିନ ତଳେ କେସ ନଂ ୭୩/୨୧ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିଲା। ବଡ଼ବଜାର ପୁଲିସ ଗତକାଲି ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସଞ୍ଜୟଙ୍କ ଘରେ ଚଢଉ କରି ତାଙ୍କୁ ଗିରଫ କରିବା ପରେ ବ୍ରହ୍ମପୁର ଆଣିଥିଲା।
ସଞ୍ଜୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। ଚଢଉ ସମୟରେ ସଞ୍ଜୟଙ୍କ ଘରୁ ବିଭିନ୍ନ ବ୍ୟାଙ୍କର ୧୩ଟି ପାସବୁକ ସହ, ୧୩ଟି ଚେକ ବୁକ୍, ୫ଟି ପାସପୋର୍ଟ, ଲାପଟପ, ମୋବାଇଲ, ବିଭିନ୍ନ କମ୍ପାନୀର ନକଲି ଲେଟରପ୍ୟାଡ ଆଦି ଜବତ କରାଯାଇଛି। ପ୍ରାୟ ୨୦ ଜଣ ଯୁବକଙ୍କ ଠାରୁ ସାଢେ ୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିବା ପରେ ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ା

Comments are closed.