ଛାତ୍ରଛାତ୍ରୀଙ୍କୁ ଠକିଲେ କଲେଜ ଅଧ୍ୟକ୍ଷ : ଧନୁପାଲୀ ଥାନାରେ ଅଭିଯୋଗ

ପରୀକ୍ଷାରେ ପାସ କରାଇବା ନାମରେ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଠାରେ ରହିଥିବା ଏକ ବେସକାରୀ କଲେଜର ଛାତ୍ରଛାତ୍ରୀ ମାନଙ୍କୁ କରୋସ୍ପଣ୍ଡେନାନ୍ସ ମାଧ୍ୟମରେ ଯୁକ୍ତ ଦୁଇ ପରୀକ୍ଷା ପାସ କରାଇ ଦେବା ନାମରେ ଲକ୍ଷାଧିକ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତସୂଚନାନୁଯାୟୀ, ଧନୁପାଲୀ ଥାନା ଅର୍ନ୍ତଗତ ଚାରଭାଟି ଅଞ୍ଚଳରେ ଯମୁନା ଦେବୀ ଜୁନିୟର (କଳା) କଲେଜ ରହିଛି। ଜଣଙ୍କ ପିଛା ବାର୍ଷିକ ୧୮ ହଜାର ଟଙ୍କାର ଦେୟ ଛାତ୍ରଛାତ୍ରୀମାନଙ୍କ ଠାରୁ ନିଆଯାଉଥିଲା। ଏହି କଲେଜର ଏଫିଲେସନ ନ ଥିବାରୁ ଛାତ୍ରଛାତ୍ରୀମାନେ ଅନ୍ୟ କଲେଜରେ ପରୀକ୍ଷା ଦେଉଥିଲେ। ୨୦୧୫ ମସିହାରେ ଖୋଲିଥିବା ବେଳେ ଏହାର ଛାତ୍ରଛାତ୍ରୀ ମାନେ ୨୦୧୮ ମସିହାରେ ପ୍ରଥମ ବ୍ୟାଚ ପରୀକ୍ଷା ଦେଇଥିଲେ। ତେବେ ୨୦୧୭ ବ୍ୟାଚରେ ଯୋଗ ଦେଇଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଗତ ବର୍ଷ କଲେଜର ପ୍ରିନସିପାଲ ତୁଷାର ବାରିକ ଓ ଉପ ପ୍ରିନସିପାଲ ମଞ୍ଜୁଲତା ବାରିକ ଚଳିତ ବର୍ଷ ପରୀକ୍ଷା ନ ଦେଇ ଭଲଭାବରେ ପ୍ରସ୍ତୁତ ହୋଇ ଆସନ୍ତା ୨୦୨୦ରେ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷର ପରୀକ୍ଷା ପାଇଁ ପ୍ରିନ୍ସପାଲ ତୁଷାର ୩ରୁ ୪ ଦିନ ତଳେ ଭୁବନେଶ୍ୱର ଆଡମିଟ କାର୍ଡ ଆଣିବା ପାଇଁ ଯାଇଥିଲେ। ପରେ ସେ ହ୍ୱାଡସ ଅଫ ମାଧ୍ୟମରେ ସୁବର୍ଣ୍ଣପୁର ଜିଲାର ସିଣ୍ଡୋଲ କଲେଜରେ ୨୭ ଜଣ ପିଲାଙ୍କର ପରୀକ୍ଷା ଦେବା ପାଇଁ ସ୍ଥିରିକୃତ ହୋଇଥିବାର ଏକ ଚିଠି ପଠାଇଥିଲେ। କିନ୍ତୁ ସେହି ଚିଠିର ଶେଷ ଧାଡିକୁ ଧଳା ରଙ୍ଗ ଦେଇ ଲିଭାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଖକୁ ଆସିଥିବା ଚିଠି ଉପରେ ଅଭିଭାବକ ମାନେ ସନ୍ଦେହ ପ୍ରକାଶ କରୁଥିବା ସମୟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରିନସପାଲ ତୁଷାର କଲେଜର ଛାତ୍ର ସାହିଲ ସାହୁଙ୍କୁ ଫୋନ କରି କହିଥିଲେ ଯେ, ମୁଁ ଭୁବନେଶ୍ୱରରେ ଏକ ମାମଲାରେ ଗିରଫ ହୋଇଯାଇଛି। ଏଣୁ ତୁମେ ମାନେ ଚଳିତ ବର୍ଷ ପରୀକ୍ଷା ଦେଇ ପାରିବ ନାହିଁ। ଏହା ପରେ ଛାତ୍ରଛାତ୍ରୀମାନେ ଅଭିଭାବକ ମାନଙ୍କ ସହିତ ଧନୁପାଲୀ ଥାନାରେ ପହଞ୍ଚି ଠକେଇର ଶିକାର ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟ ପଟରେ ବୁଧବାର ଦିନ ଛାତ୍ରଛାତ୍ରୀମାନେ ହ୍ୱାଟସଅପ ମାଧ୍ୟମରେ ପାଇଥିବା ଚିଠି ଆଧାର ପରୀକ୍ଷା ଦେବାପ ପାଇଁ ସିଣ୍ଡୋଲ କଲେଜ ଯାଇଥିଲେ। କିନ୍ତୁ ସେମାନଙ୍କ ନିକଟରେ ଆଡମିଟ୍ କାର୍ଡ ଏବଂ ସେଣ୍ଟର ତାଲିକାରେ ସେମାନଙ୍କ ନାମ ନ ଥିବାରୁ ଛାତ୍ରଛତ୍ରୀମାନେ ପରୀକ୍ଷା ଦେଇ ନଥିଲେ। ପରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଧନୁପାଲୀ ଥାନାରେ ପହଞ୍ଚି ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ମଧ୍ୟ ଜଣାପଡିଛି ଯେ, କଲେଜ ଅଧ୍ୟକ୍ଷ ତୁଷାର ବାରିକ ପୂର୍ବରୁ ମାନେଶ୍ୱର ସ୍ଥିତ ମନ୍ଧାତାବାବା କଲେଜରେ ଓଡିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିଲେ। ସେ ତାଙ୍କର ପତ୍ନୀ ମଞ୍ଜୁଲତାଙ୍କ ସହିତ ଗୋବିନ୍ଦତୋଲା ଡ୍ରାଇଭର କଲୋନୀରେ ଘର ଭଡା ନେଇ ରହୁଥିଲେ। କିନ୍ତୁ ବିଗତ ୬ ମାସ ହେବ ଘର ଭଡା ମଧ୍ୟ ଦେଇ ନ ଥିବା ଘର ମାଲିକ ଅଭିଯୋଗ କରିଛନ୍ତି।

Comments are closed.