ଗଛରେ ପିଟି ହେଲା କାର ; ଜଣେ ଶିଶୁ ସମେତ ୬ ମୃତ

ଛତିଶିଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲି ଯାଇଛି ୬ ଜୀବନ। ଏକ କାର ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଛତିଶିଗଡ ସୀମାର ନିକଟବର୍ତ୍ତୀ ନୂଆପଡା ଜିଲାର ଜ୍ୟୋଙ୍କ ଥାନା ଅନ୍ତର୍ଗତ ସୁନସୁନିଆରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ସମସ୍ତ ମୃତକ ଛତିଶିଗଡର ମହାସମୁନ୍ଦ ଜିଲାର ବାସିନ୍ଦା ବୋଲି ଜଣାପଡିଛି। ମୃତକଙ୍କ ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ଅପରାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସଭିଏଁ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିଲେ। ସୁନସୁନିୟା ସ୍ଥିତ ମହାମାୟା କଲେଜ ନିକଟରେ ନୂଆପଡା-ବରଗଡ ଏକ୍ସପ୍ରେସ ୱେରେ କାର ଚାଳକଙ୍କ କାର ଉପରୁ ନିୟନ୍ତ୍ରଣ ହଟିବାରୁ ରାସ୍ତାରୁ ୧୦ ଫୁଟ ତଳକୁ ଖସି ଏକ ଗଛରେ ପିଟି ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

 

Comments are closed.