ଚରିତ୍ର ପରିବର୍ତ୍ତନର ସଙ୍କେତ

କଂଗ୍ରେସ ଶାସନ ସମୟରେ ଯେଉଁ ‘ହାଇକମାଣ୍ଡ’ ସଂସ୍କୃତି ରହିଥିଲା, ତାହା ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଘଟନାଗୁଡ଼ିକରେ ପ୍ରତିଫଳିତ ହେଉଛି

ସୋମବାର ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିଛନ୍ତି। ଅପ୍ରତ୍ୟାଶିତ ଘଟନାକ୍ରମେ ବିଜୟ ରୂପାଣିଙ୍କୁ ଇସ୍ତଫା ଦେବାକୁ କୁହାଯିବା ପରେ ରାଜ୍ୟ ରାଜନୀତିରେ ସେତେଟା ପ୍ରଭାବଶାଳୀ ବୋଲି ଧରାଯାଉ ନ ଥିବା ଶ୍ରୀ ପଟେଲଙ୍କୁ ରାଜ୍ୟଭାର ଅର୍ପଣ କରିଛି ଭାରତୀୟ ଜନତା ପାର୍ଟି (ବିଜେପି), ଯାହା ରାଜନୈତିକ ବିଶେଷଜ୍ଞଙ୍କୁ ମଧ୍ୟ ଚକିତ କରିଛି। ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର ୧୫ ମାସ ବାକି ଥିବାବେଳେ ଏପରି ମୁଖ୍ୟମନ୍ତ୍ରିତ୍ବ ପରିବର୍ତ୍ତନର କାରଣ କ’ଣ, ତାକୁ ନେଇ ଆଲୋଚନା ହେବା ସ୍ବାଭାବିକ। ଗତ ଜୁନ୍‌ ମାସରେ ମଧ୍ୟ ରୂପାଣିଙ୍କୁ ପରିବର୍ତ୍ତନ କରାଯିବ ବୋଲି ଗୁଜବ ପ୍ରଚାର ହୋଇଥିଲା, ଯେତେବେଳେ ହାର୍ଦ୍ଦିକ ପଟେଲ୍‌ ଏ ସମ୍ପର୍କରେ କିଛିଟା ସଙ୍କେତ ଦେଇଥିଲେ; କିନ୍ତୁ ସେତେବେଳେ ଏହା ନ ହୋଇ ତିନି ମାସ ପରେ ତାହା ଘଟିଛି। ହାର୍ଦ୍ଦିକ ଏବେ ପ୍ରଶ୍ନ କରିଛନ୍ତି ଯେ ଯଦି ଶ୍ରୀ ରୂପାଣି ଠିକ୍‌ଠାକ୍‌ କାର୍ଯ୍ୟ ତୁଲାଉଥିଲେ, ତେବେ ତାଙ୍କୁ ବଦଳାଇବାର ଆବଶ୍ୟକତା କାହିଁକି ପଡ଼ିଲା ? ବିଜେପି ତା’ର ମୁଖ୍ୟମନ୍ତ୍ରୀମାନଙ୍କ ଉପରେ ବିଶ୍ବାସ ରଖେ ନାହିଁ ବୋଲି ମଧ୍ୟ ସେ ଅଭିଯୋଗ ବାଢ଼ିଛନ୍ତି। ବର୍ତ୍ତମାନ ସ୍ଥିତିରେ ତାଙ୍କର ଏହି ନିର୍ଦିଷ୍ଟ ଅଭିଯୋଗର ସତ୍ୟତା ଆଦୌ ନାହିଁ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ; କାରଣ ଗତ କିଛି ମାସ ଭିତରେ ହିଁ ବିଜେପି କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଚାରି ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି। ଆଧିକାରିକ ଭାବେ କିଛି କୁହାଯାଉନଥିଲେ ହେଁ ମୁଖ୍ୟତଃ ମତଦାତାଙ୍କ ସରକାର ବିରୋଧୀ ମନୋଭାବ ପରିବର୍ତ୍ତନ କରିବା ଏବଂ ଜାତିଗତ ସମୀକରଣ ଏହାର କାରଣ ହୋଇପାରେ।
ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲଙ୍କର ସରକାର ଚଳାଇବା ନେଇ ପୂର୍ବରୁ କୌଣସି ଅଭିଜ୍ଞତା ନାହିଁ। ତେବେ ସେ ଶକ୍ତିଶାଳୀ ପଟେଲ୍‌ ସମ୍ପ୍ରଦାୟର ହୋଇଥିବାରୁ ୨୦୨୨ ବିଧାନସଭା ନିର୍ବାଚନରେ ବଡ଼ ଭୂମିକା ତୁଲାଇପାରନ୍ତି ବୋଲି ସମ୍ଭବତଃ ବିଜେପି ଚିନ୍ତା କରିଛି। ଅନ୍ୟ ପକ୍ଷରେ ବିଜୟ ରୂପାଣିଙ୍କ କୋଭିଡ଼ କୁପରିଚାଳନା, ସାମାଜିକ ସଂଗଠନଗୁଡ଼ିକର ବିଶ୍ବାସ ଜିଣିବାରେ ବିଫଳତା ଆଦି କାରଣରୁ ବିଜେପିର ଶୀର୍ଷ ନେତୃତ୍ବ ତାଙ୍କୁ ପରିବର୍ତ୍ତନ କରିଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ରୂପାଣି ମଧ୍ୟ ଶ୍ରୀ ପଟେଲଙ୍କ ପରି ରାଜ୍ୟ ରାଜନୀତିରେ ସେତେଟା ପ୍ରଭାବଶାଳୀ ନଥିଲେ, ଯେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଥିଲା। ତାଙ୍କୁ ପଦରୁ ହଟାଯିବା ପରେ ଶ୍ରୀ ରୂପାଣି ମୁଖ୍ୟମନ୍ତ୍ରିତ୍ବ ପରିବର୍ତ୍ତନକୁ ଏକ ‘ରିଲେ ରେସ୍‌’ ବା ‘ବଦଳ ଦୌଡ଼’ ଅଭିହିତ କରି କହିଛନ୍ତି ଯେ ‘‘ମୁଁ ଦୌଡୁଥିଲି; ବର୍ତ୍ତମାନ ମୁଁ ଆଉ ଜଣକ ହାତରେ ପତାକା ଦେବି ଓ ସେ ଦୌଡ଼ିବ’’। ତାଙ୍କ ବକ୍ତବ୍ୟ ବିଜେପିର ଚରିତ୍ରଗତ ପରିବର୍ତ୍ତନ ପ୍ରତି ମଧ୍ୟ ଇଙ୍ଗିତ କରିଥାଏ କହିଲେ ଭୁଲ୍‌ ହେବ ନାହିଁ। ଏହାର କାରଣ, ନିକଟ ଅତୀତରେ ହିଁ ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ମଧ୍ୟ ବିଜେପି ତା’ର ମୁଖ୍ୟମନ୍ତ୍ରୀମାନଙ୍କୁ ଏହିପରି ଢଙ୍ଗରେ ପରିବର୍ତ୍ତନ କରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେହିସବୁ ରାଜ୍ୟରେ ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଅର୍ପଣ କରାଯାଇଛି, ସେମାନଙ୍କର ମଧ୍ୟ ଦଳର ଶୀର୍ଷ ନେତୃବୃନ୍ଦଙ୍କ ଉପରେ ସୀମିତ ପ୍ରଭାବ ରହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ଦୃଷ୍ଟାନ୍ତ ଭା​‌େ​‌ବ ନିଆଯାଇପାରେ। ସେ ବିଜେପିରେ ୨୦୦୮ ମସିହାରେ ଯୋଗ ଦେଇଥିଲେ। ତେଣୁ ତାଙ୍କର ପ୍ରଭାବ ସେଠାକାର ଅନ୍ୟ ବରିଷ୍ଠ ନେତାଙ୍କଠାରୁ କମ୍‌ ହେବା ସ୍ବାଭାବିକ। ଏହାବ୍ୟତୀତ ରାଜ୍ୟଗୁଡ଼ିକରେ ରାଜ୍ୟସ୍ତରୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଦର୍ଶିତ ନ କରି ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମ୍ନାରେ ରଖି ନିର୍ବାଚନ ଲଢ଼ୁଥିବା ଦେଖାଯାଏ। ଉତ୍ତର ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ ହେଉ କି ଉତ୍ତରାଖଣ୍ଡ, ଅଧିକାଂଶ ରାଜ୍ୟରେ ଏହା ଦେଖାଯାଇଛି। ଏହାଦ୍ବାରା ରାଜ୍ୟ ନେତୃମଣ୍ଡଳୀର ପ୍ରଭାବ ହ୍ରାସ ପାଇବା ଅସ୍ବାଭାବିକ ନୁହେଁ।
ଏପରି ରଣନୀତିକୁ ଦେଖିଲେ ମନେହେଉଛି ବିଜେପି କଂଗ୍ରେସର ପଦାଙ୍କ ଅନୁସରଣ କରୁଛି; କାରଣ କଂଗ୍ରେସ ଶାସନ ସମୟରେ ଯେଉଁ ‘ହାଇକମାଣ୍ଡ୍‌’ ସଂସ୍କୃତି ରହିଥିଲା, ତାହା ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଘଟନାଗୁଡ଼ିକରେ ପ୍ରତିଫଳିତ ହୋଇଛି। ଶୀର୍ଷ ନେତୃତ୍ବ ଯେତେବେଳେ ଚାହୁଁଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଭଳି ଅତି ଗୁରୁତ୍ବପୂର୍ଣ୍ଣ ପଦାସୀନ ବ୍ୟକ୍ତିଙ୍କୁ ମଧ୍ୟ ପରିବର୍ତ୍ତନ କରିଦେଉଛନ୍ତି। ଶ୍ରୀ ରୁପାଣିଙ୍କ ଭାଷାରେ କହିଲେ ମୁଖ୍ୟମନ୍ତ୍ରୀଙ୍କୁ ‘ବଦଳ ଦୌଡ଼’ର ଧାବକ କରିଦିଆଯାଉଛି। ଏହାର ଔଚିତ୍ୟ ଓ ପ୍ରଭାବ କେତେ, ତାହା ବିଚାର୍ଯ୍ୟ ବିଷୟ। ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କ ସମୟରେ ବିଜେପିର ରଣନୀତି ଏପରି ନ ଥିଲା ଏବଂ ରାଜ୍ୟଗୁଡ଼ିକର ନେତୃତ୍ବ ଓ ସଙ୍ଘୀୟ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିଲା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବା ଏକ ଦଳୀୟ ବ୍ୟାପାର ଧରାଯାଉଥିଲେ ହେଁ ଏଥିସହ ରାଜ୍ୟସ୍ବାର୍ଥ ଜଡ଼ିତ ଥିବାରୁ ଏହା ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ଗଭୀର ଚିନ୍ତନର ବିଷୟ ହେବା ଆବଶ୍ୟକ।

Comments are closed.