ବଦଳିବେ ପିସିସି ସଭାପତି

ମନୋନୟନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି ମନୋନୟନ ଲାଗି ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ପରେ ଓଡ଼ିଶା ପିସିସି ସଭାପତି ପଦରେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ପିସିସି ସଭାପତିଙ୍କ ନିଯୁକ୍ତି ପାଇଁ କଂଗ୍ରେସ ହାଇକମାଣ୍ଡ ସ୍ଥିର କରିଛନ୍ତି। ଗତ ସପ୍ତାହରେ ସଂସଦର ବଜେଟ ଅଧିବେଶନ ଶେଷ ହେବା ପରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ସମ୍ପ୍ରତି ତାମିଲନାଡୁ ଅନ୍ତର୍ଗତ ନିଜ ନିର୍ବାଚନମଣ୍ଡଳୀ କ୍ରିଷ୍ଣାଗିରି ଗସ୍ତରେ ଅଛନ୍ତି। ଦୁଇ ତିନି ଦିନ ମଧ୍ୟରେ ଦିଲ୍ଲୀ ଫେରିବା ପରେ ନୂତନ ପିସିସି ସଭାପତି ନିଯୁକ୍ତି ନେଇ ଦଳୀୟ ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ବିଚାରବିମର୍ଶ କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ।
ସ୍ୱାସ୍ଥ୍ୟଗତ କାରଣରୁ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଦଳୀୟ ବିଶୃଙ୍ଖଳା ଦୃଷ୍ଟିରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପିସିସି ସଭାପତି ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। କଂଗ୍ରେସର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ନୂତନ ସଭାପତି ଚୟନ କରିବାକୁ ଖୋଦ୍‍ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶୀର୍ଷ ନେତୃତ୍ୱ ଏବେ ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଡ. ଚେଲାକୁମାର ଦଳୀୟ ନେତାଙ୍କ ସହ ଆଲୋଚନା କରି ନୂତନ ପିସିସି ସଭାପତି ମନୋନୟନ ସାମ୍ଭବ୍ୟ ତାଲିକା ପ୍ରସ୍ତୁତ କରି ହାଇକମାଣ୍ଡଙ୍କୁ ଜଣାଇବେ। ସମ୍ଭାବ୍ୟ ତାଲିକାରେ ଆଶାୟୀ ପିସିସି ସଭାପତିଙ୍କ ପୂର୍ବ ଅଭିଜ୍ଞତା, ଦଳୀୟ ଆନୁଗତ୍ୟ, ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ତାଙ୍କ ଅଞ୍ଚଳରେ କଂଗ୍ରେସ ଦଳର ପ୍ରଦର୍ଶନ, କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନରେ ସମ୍ପୃକ୍ତ ନେତାଙ୍କ ଅବଦାନ, ଭାବମୂର୍ତ୍ତି, ଦଳ ମଧ୍ୟରେ ଅନ୍ୟ ନେତା ଓ କର୍ମୀଙ୍କ ମଧ୍ୟରେ ଗ୍ରହଣୀୟତା ବିଷୟରେ ସବିଶେଷ ତଥ୍ୟ ରହିବ। ଏହି ତାଲିକାରେ ଜନପ୍ରତିନିଧି ଏବଂ ବରିଷ୍ଠ ନେତାଙ୍କ ଦୁଇଟି ବର୍ଗ ରହିବ। ଜନପ୍ରତିନିଧି ତାଲିକାରେ କୋରାପୁଟ ସାଂସଦ ତଥା ଏଆଇସିସି ସମ୍ପାଦକ ସପ୍ତଗିରି ଉଲାକା, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, କଣ୍ଟାବାଞ୍ଜୀ ବିଧାୟକ ସନ୍ତୋଷ ସିଂ ସାଲୁଜା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାମ ରହିଛି। ସେହିପରି ବରିଷ୍ଠ ନେତାଙ୍କ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଏବଂ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନାମ ସାମିଲ ଅଛି। ରାଜ୍ୟ କଂଗ୍ରେସର ଏହି ସମସ୍ତ ନେତାଙ୍କ ବିଷୟରେ ତଥ୍ୟ ସଂଗ୍ରହ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଲାଗି କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ତାଲିକା ପଠାଯିବ। ଡ. ଚେଲାକୁମାରଙ୍କ ଦ୍ୱାରା ପ୍ରସ୍ତୁତ ତାଲିକାକୁ ଆଧାର କରି ନୂତନ ପିସିସି ସଭାପତି ଘୋଷଣା ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ତାଲିକା ପ୍ରସ୍ତୁତି ସମୟରେ ଆବଶ୍ୟକ ପଡ଼ିଲେ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଦିଲ୍ଳୀ ଡକାରା ଯୋଜନା ରହିଛି। ଦଳୀୟ ବିଧାୟକ ଚାହିଁଲେ ଦିଲ୍ଳୀ ଆସି ସିଧାସଳଖ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ରାଜ୍ୟ କଂଗ୍ରେସ ସଂଗଠନର ପୁନର୍ବିନ୍ୟାସ ଲାଗି ନିଜ ନିଜର ମତ ଜଣାଇ ପାରିବେ। ସେହିପରି କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ମଧ୍ୟ ଓଡ଼ିଶା ଗସ୍ତ କରି ଅନ୍ୟ ଦଳୀୟ ନେତାଙ୍କଠାରୁ ମତାମତ ସଂଗ୍ରହ କରିପାରନ୍ତି ବୋଲି ଜଣାପଡ଼ିଛି।

Comments are closed.