କଂଗ୍ରେସରେ ପରିବର୍ତ୍ତନର ସ୍ବର

ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନରେ ଦୟନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସ ସାଙ୍ଗଠନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ପାଇଁ ଦଳ ଭିତରୁ ସ୍ବର ତେଜିଲାଣି। ବିଶେଷ କରି ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ବିଧାୟକ ତାରାପ୍ରସାଦ ବାହିନୀପତି ଦଳରେ ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରିବା ସହିତ ବିଧାୟକମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯିବା ସପକ୍ଷରେ ରଖିଥିବା ମତାମତକୁ ନେଇ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ଭିତରେ ଭିନ୍ନ ମତ ଦେଖାଦେଲାଣି। ଏପରିକି ଶ୍ରୀ ବାହିନୀପତି ସଭାପତି ଚଉକି ଯଦି ତାଙ୍କୁ ଦିଆଯାଏ ସେଥିପାଇଁ ମନା କରିବେ ନାହିଁ ବୋଲି କହିଥିଲେ। ତେବେ ତାରାଙ୍କ ମତ ଉପରେ କଂଗ୍ରେସ ବିଧାୟକ ସୁରେଶକୁମାର ରାଉତରାୟ କହିଥିଲେ ଯେ ବିଧାୟକଙ୍କ ଭିତରୁ ଅନେକ ପିସିସି ସଭାପତି ପଦ ପାଇଁ ଯୋଗ୍ୟ ନେତା ଥିବାବେଳେ ବିଧାୟକ ନଥିବା ନେତାଙ୍କ ଭିତରୁ ବି ଅନେକ ଦକ୍ଷ ନେତା ଅଛନ୍ତି। ତେବେ ଏ ବିଷୟରେ କଂଗ୍ରେସ ହାଇକମାଣ୍ଡ, ଏଆଇସିସି ନିଷ୍ପତ୍ତି ନେବ ଏବଂ ସେ ଏହି ଲବିରେ ନାହାନ୍ତି। ଅନ୍ୟପକ୍ଷରେ କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ତଥା ଦଳର ବରିଷ୍ଠ ନେତା ସନ୍ତୋଷସିଂ ସାଲୁଜା ଗଣମାଧ୍ୟମକୁ କହିଥିଲେ ଯେ ପିସିସି ସଭାପତି ପଦ ପାଇଁ ଦଳରେ ଅନେକ ଯୋଗ୍ୟ ନେତା ଅଛନ୍ତି। ବିଧାୟକଙ୍କ ଭିତରୁ ଜଣକୁ ଏ ପଦରେ ବସାଇବା ଦାବି ଉଠୁଥିବାବେଳେ ପିସିସି ସଭାପତି ପଦ ପାଇଁ ସେ ଦାବିଦାର ଅଛନ୍ତି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏଥିପାଇଁ ତାଙ୍କର ଆଗ୍ରହ ନାିହଁ କିମ୍ବା ସେ ଚାହାନ୍ତି ନାହିଁ। ଏପରିକି ଏଆଇସିସି ଏ ପଦ ତାଙ୍କୁ ଦେବାକୁ ଚାହିଁଲେ ବି ସେ ମନା କରିଦେବେ।
କଂଗ୍ରେସର କିଛି ବରିଷ୍ଠ ନେତା ପିସିସି ସଭାପତି ପରିବର୍ତ୍ତନ ପାଇଁ ଚାହୁଁଥିଲେ ହେଁ ଏଥିପାଇଁ ଗଣମାଧ୍ୟମରେ ମୁହଁ ଖୋଲି ଚିହ୍ନା ପଡିବାକୁ ଚାହୁଁନାହାନ୍ତି। ଅନେକ ସକ୍ରିୟ ନେତା ଅନ୍ତତଃ ମାସକ ଭିତରେ ପିସିସି ସଭାପତି ପଦରେ ପରିବର୍ତ୍ତନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ନିକଟରେ କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ହେବାର ଏବେ କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ମାସକ ଭିତରେ ପିସିିସି ସଭାପତି ପରିବର୍ତ୍ତନ ହେବାର ଆଶା ରହିଛି। ତେବେ କଂଗ୍ରେସ ହାଇକମାଣ୍ଡ ପିସିସି ସଭାପତି କିଏ ହେବ ସେ ସମ୍ପର୍କରେ ନିଷ୍ପତ୍ତି ନେବେ।
କଂଗ୍ରେସରେ ଦୁର୍ବଳ ସଙ୍ଗଠନ ଏବଂ ନେତୃତ୍ବ ସଙ୍କଟ ଯୋଗୁଁ ନିର୍ବାଚନରେ ପରାଜୟ ଘଟୁଥିବା ନେଇ ଦଳର ତୃଣମୂଳସ୍ତରରୁ ଉପର ମହଲ ପର୍ଯ୍ୟନ୍ତ ସମସ୍ତେ ଅବଗତ। ଦଳୀୟ ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ଦରକାର। ଏହା ଅଧିକାଂଶ ନେତାଙ୍କ ମତ। ତେବେ ପ୍ରଥମ ପାଳି ପିସିସି ସଭାପତି ପଦରେ ଥାଇ ନିରଞ୍ଜନ ସଙ୍ଗଠନକୁ ଯେଭଳି ସକ୍ରିୟ କରାଇଥିଲେ ଦ୍ବିତୀୟ ପାଳି ସଭାପତି ହେବା ପରେ ସେଭଳି ସ୍ଥିତି ଦେଖିବାକୁ ମିଳିଲାନାହିଁ। ଅବଶ୍ୟ ନିରଞ୍ଜନ ପ୍ରଥମ ପାଳିର ସଭାପତି ହେବା ପରେ ଦଳ ଭିତରେ ତତ୍ପରତା ଓ ଆଗ୍ରହ ବଢିଥିଲା। ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଥିଲା। ଭୁବନେଶ୍ବରରେ ଦଳ ପକ୍ଷରୁ ଏକ ବିରାଟ ସମାବେଶ କରାଯାଇଥିଲା। କିନ୍ତୁ ନିର୍ବାଚନର ଠିକ୍‌ ପୂର୍ବରୁ ହଟାଇ ଅନ୍ୟ ଜଣକୁ ଦାୟିତ୍ବରେ ରଖାଯିବା ଦ୍ବାରା ଦଳରେ ବିଭେଦ ସୃଷ୍ଟି ହେବା ସହିତ କଂଗ୍ରେସ ପରାଜୟ ଆଡକୁ ଠେଲିହୋଇଗଲା। ପୁଣି ଥରେ ନିରଞ୍ଜନ ସଭାପତି ଭାବେ ଫେରିବାବେଳକୁ ମଝିରେ ଅନେକ ବର୍ଷର ବ୍ୟବଧାନ ଏବଂ ଦୁଇ ଦୁଇ ଜଣ ପିସିସି ସଭାପତି ଦାୟିତ୍ବ ନିର୍ବାହ କରିସାରିଥିଲେ। କିନ୍ତୁ କଂଗ୍ରେସ ରାଜ୍ୟରେ ଅଧିକ ଦୁର୍ବଳ ହୋଇପଡିବା କାରଣରୁ ପୁନର୍ବାର ନିରଞ୍ଜନଙ୍କୁ ଆଣି ଏହାକୁ ସୁଧାରିବା ସୂତ୍ର କାମ ଦେଲାନାହିଁ। ଏହି କାରଣରୁ ୨୦୧୯ ନିର୍ବାଚନରେ କଂଗ୍ରେସକୁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଛିଡ଼ା କରାଇବାକୁ ବି ନିରଞ୍ଜନଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। ୨୦୧୯ନିର୍ବାଚନ ପରାଜୟ ପରେ ନିରଞ୍ଜନ ନିଜ ଆଡୁ ଏଆଇସିସି ଅଧ୍ୟକ୍ଷାଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଦେଇଥିଲେ ବି ସେ ତାହା ଗ୍ରହଣ ନ କରି ନିରଞ୍ଜନଙ୍କୁ ଆହୁରି ସୁଯୋଗ ଦେଇଥିଲେ। କିନ୍ତୁ ୨୦୧୯ରୁ ୨୦୨୨ ମଧ୍ୟରେ କଂଗ୍ରେସ ସୁଧୁରିବା ତ ଦୂରର କଥା ରସାତଳକୁ ଚାଲିଯାଇଛି। ସାରା ରାଜ୍ୟରେ କଂଗ୍ରେସର ନିର୍ଦିଷ୍ଟ ପକେଟ ଭୋଟ ସତ୍ତ୍ବେ, ଦଳ ୨୦୧୯ରୁ ଏପର୍ଯ୍ୟନ୍ତ ସାଧାରଣ ନିର୍ବାଚନଠୁ ଆରମ୍ଭ କରି ପଞ୍ଚାୟତ ଓ ପୌର ନିର୍ବାଚନରେ କ୍ରମାଗତ ଭାବେ ହାରିଛି। ଏପରିକି ବିଜେପିକୁ ଆଗକୁ ଛାଡି ତୃତୀୟ ସ୍ଥାନକୁ ଖସିଆସିଛି। ୨୦୧୯ରୁ ଏପର୍ଯ୍ୟନ୍ତ ରାଜ୍ୟରେ ତିନିଟି ଉପନିର୍ବାଚନ ସହିତ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ପରାଜିତ ହେବା ସହିତ ଜନ ସମର୍ଥନ ପାଇବାରେ ତିନି ନମ୍ବରରୁ ଦୁଇ ନମ୍ବରକୁ ଉଠିବା ବି ସମ୍ଭବ ହେଉନାହିଁ।
ତେବେ କଂଗ୍ରେସର ବର୍ଷ ବର୍ଷର ଅସ୍ଥିରତା ଜଳ ଜଳ ଦିଶୁଥିଲେ ର୍ହେ ଏହାକୁ ରାଜ୍ୟସ୍ତରୀୟ ନେତା ବରଦାସ୍ତ କରିବା ଏବଂ ଏଆଇସିସି ଏଥିପ୍ରତି ଆଖିବୁଜି ଦେବା ଯୋଗୁଁ କଂଗ୍ରେସ ସ୍ଥିତି ବିଗିଡିଯାଇଛି। ଏପରିକି ଦଳରୁ ଗତ ନିର୍ବାଚନ ପୂର୍ବରୁ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝି, ଚନ୍ଦ୍ରଶେଖର ପତି, କୈଳାସଚନ୍ଦ୍ର କୁଲେସିକା ଓ ଅନ୍ୟ କେତେକ ନେତା ଅନ୍ୟ ଦଳକୁ ଡେଇଁବା ଘଟଣା ମଧ୍ୟ କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। ତେବେ ଏବେ କଂଗ୍ରେସକୁ ସୁଧାରିବା ପାଇଁ ଦଳ ଭିତରେ ସ୍ବର ଶାଣିତ ହେଉଥିବାରୁ କଂଗ୍ରେସର ପରବର୍ତ୍ତୀ ନେତା କିଏ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର। ଦଳର ମୁଖପାତ୍ର ବରିଷ୍ଠ ନେତା ଗଣେଶ୍ବର ବେହେରା କହିଛନ୍ତି ଯେ ପିସିସି ସଭାପତି ନିଜ ଆଡୁ କହିଛନ୍ତି ଯେ ସେ ଇସ୍ତପା ଦେଇସାରିଛନ୍ତି। ଏ ଦୃଷ୍ଟିରୁ ନୂଆ ପିସିସି ସଭାପତି ଖୁବ୍‌ଶୀଘ୍ର ନିଯୁକ୍ତ ହେବେ ଏହା ପ୍ରାୟତଃ ଅନିର୍ବାର୍ଯ୍ୟ। ଏଥିପାଇଁ ଆଶାୟୀ ତ ଅନେକ, ତେବେ ଆଶାୟୀଙ୍କ ଭିତରୁ କିମ୍ବା ବାହାରୁ କୌଣସି ନେତାଙ୍କୁ ଏଥିପାଇଁ ବଛାଯିବ। ଏହା ଏଆଇସିସିଙ୍କ ଇଚ୍ଛାଧୀନ କ୍ଷମତା। ଏଥିପାଇଁ ଅଭିଜ୍ଞତା, କାର୍ଯ୍ୟଦକ୍ଷତା, ସମସ୍ତଙ୍କ ପାଇଁ ଗ୍ରହଣୀୟତା ଥିବା ନେତା ନିଯୁକ୍ତ ହେବା ଦରକାର। କାରଣ ଆମେ ଅନେକ ବିପର୍ଯ୍ୟୟକୁ ସାମ୍‌ନା କଲୁଣି ଏବଂ ଆଗକୁ ୨୦୨୪ ଆମ ପାଇଁ ମହା ଆହ୍ବାନ। ତେଣୁ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ତାଙ୍କ ଉପରେ ନିର୍ଭର କରେ। ଏଆଇସିସି ଏ ଦିଗରେ ଉଚିତ ନିଷ୍ପତ୍ତି ନେବେ ସେ ଆଶା ରହିଛି।

Comments are closed.