ପ୍ରଚାର ଶେଷ ହେବା କ୍ଷଣି ମହାମେଣ୍ଟ ପାଇଁ ବିରୋଧୀଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶୁକ୍ରବାର ଶେଷ ହେବା କ୍ଷଣି ମହାମେଣ୍ଟ ଗଠନ ପାଇଁ ବିରୋଧୀ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଚଳିତ ଥର କୌଣସି ଜାତୀୟ ଦଳକୁ ବହୁମତ ମିଳିବ ନାହିଁ ବୋଲି କିଛି ଦଳ ଅଙ୍କ କଷିଛନ୍ତି। ତେଣୁ ଏପରି ସ୍ଥିତିରେ ଶାସକ ଏନଡିଏ ଏବଂ ବିରୋଧୀ ଅଧିକରୁ ଅଧିକ ଆସନ ନିଜ ଅକ୍ତିଆରକୁ ନେବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମହାମେଣ୍ଟ ଅଭିଯାନ ପାଇଁ କାର୍ଯ୍ୟ କରୁଛନ୍ତି। ସେ ଦିଲ୍ଲୀରେ ବିଭିନ୍ନ ନେତାମାନଙ୍କ ସହିତ ମିଶି ଆଲୋଚନା କରୁଛନ୍ତି। ସେ ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀ ଏବଂ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ କଥା ହୋଇଛନ୍ତି।

ନାଇଡୁ ପ୍ରଥମେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘୱୀଙ୍କୁ ଭେଟି ନିଜର ଏଜେଣ୍ଡା ବିଷୟରେ ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯିବା, ଦେଶବ୍ୟାପୀ ଇଭିଏମ ଅଚଳ ହେବା ଏବଂ ନିର୍ବାଚନ ଆୟୋଗଙ୍କ ପକ୍ଷପାତିତା ସହିତ ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା।

ୟେଚୁରୀ, କେଜ୍ରିୱାଲ ଏବଂ ସିଂଘୱୀଙ୍କୁ ଭେଟିବା ପରେ ଶନିବାର ନାଇଡୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଶରଦ ଯାଦବଙ୍କୁ ସାକ୍ଷାତ କରିବେ। ଏହା ପୂର୍ବରୁ ନାଇଡୁ ବିଜେପିର ଅନ୍ୟତମ ପ୍ରମୁଖ ବିରୋଧୀ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ ସମର୍ଥନ ହାସଲ କରିଥିଲେ। ତେବେ ରାହୁଲଙ୍କ ସହ ସାକ୍ଷାତ ପରେ ସେ ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ଆଲୋଚନା କରିବେ। ଅନ୍ୟପଟେ ଶୁକ୍ରବାର ରାହୁ ଏକ ସାମ୍ବାଦିକ ସମ୍ମିଳନୀରେ ମହାମେଣ୍ଟର ସମ୍ଭାବନାକୁ ନେଇ ସଙ୍କେତ ଦେଇଥିଲେ। ମାୟାବତୀ ଏବଂ ଅଖିଳେଶ ବିଜେପିକୁ ସମର୍ଥନ କରିବେ ନାହିଁ ବୋଲି ସେ ଆଶା କରୁଥିବା କହିଥିଲେ।

Comments are closed.