MEllora 950×100

ହଜିଯାଉଥିବା ପାରମ୍ପାରିକ ଜୀବନ ଶୈଳୀକୁ ଉଜ୍ଜିବୀତ କରୁଛି ସଂସ୍କୃତି ସଂଗ୍ରହାଳୟ 

ପୁରୁଣା ସଭ୍ୟତା ଓ ସଂସ୍କୃତି ପରମ୍ପରା ଏବେ ପର୍ଯ୍ୟଟକଙ୍କ ମନ ମୋହୁଛି

ଚାନ୍ଦିପୁଟ :  ପଛୁଆବର୍ଗ ଭାବେ ଜୀବନ ଯ଼ାପନ କରି ଆସୁଥିବା ଆଦିମ ଜନଜାତି ମଧ୍ୟରୁ ଓଡିଶାର ସୌରା ସଂପ୍ରଦାୟ ଅନ୍ୟତମ। ଆଦିମ କାଳରୁ ଅବହେଳିତ ଏହି ଜନଜାତି ପାଇଁ ସର୍ବଦା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ଉଦ୍ଦେଶ୍ୟ ଏହି ଜାତିର ସଂସ୍କୃତି ପରମ୍ପରା ଓ ଐତିହକୁ ସଂରକ୍ଷିତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ହେଲେ ଆଧୁନିକ ଯୁଗ ବଦଳିବା ସହ ଜାତିର ଭାଷା ଓ ଢାଞ୍ଚା ବଦଳିଯାଇଛି ,ଏହା ସହ ଲୋପ ପାଇବାରେ ଲାଗିଛି ସଉରା ନୃତ୍ୟ ସଂସ୍କୃତି । ପୁର୍ବରୁ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡ଼ିକ ମଧ୍ୟ ଏବେ ବିଲୋପ ପ୍ରାୟ ହେବାକୁ ବସି ଥିବା ବେଳେ ଜିନିଷ ଗୁଡ଼ିକ ଦେଖିବା ଏବେ ସ୍ବପ୍ନ ସଦୃଶ । ହଜିଯାଉଥିବା ସଉରା ଆଦିବାସୀଙ୍କ ପାରମ୍ପାରିକ ନିଆରା ଜୀବନ ଶୈଳୀକୁ ଗଜପତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିଜସ୍ଵ ପ୍ରଚେଷ୍ଟାରେ ଏସବୁ ଜିନିଷକୁ ପୁନଃ ଉଦ୍ ଜୀବିତ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରଗିରିରେ ନିର୍ମାଣ କରାଯାଇଛି ଜନଜାତିଙ୍କ ସଂସ୍କୃତି ସଂଗ୍ରହାଳୟ  । ଯାହା ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି।
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସୌରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ହୋଇଛି ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀଙ୍କ ପାରମ୍ପାରିକ ସଂସ୍କୃତି ସଂଗ୍ରାହଳୟ  ଓ ଆଦିବାସୀ ଅଡିଟୋରିୟମ । ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହାକୁ ଗତ ୧୩.୦୭.୨୦୨୨ରେ ଉଦ୍-ଘାଟନ କରିବା ସହ ଏହି ସଂଗ୍ରାହଳୟଟି ଲୋପ ପାଇ ଯାଉଥିବା ଆଦୀମ ଜନଜାତୀଙ୍କ ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ପ୍ରୟାସ ହେବ ବୋଲି କହିଥିଲେ । ବିଶେଷତଃ ବହୁ ପୁରାତନ କାଳରୁ ଆଦିବାସୀ ମାନେ ବ୍ୟବହାର କରିଆସୁଥିବା ବସ୍ତ୍ର ,ଅସ୍ତ୍ର , ଅଳଙ୍କାର, ବାଦ୍ୟ ଯନ୍ତ୍ର, ଖାଦ୍ୟ ସାମଗ୍ରୀ ସହ ଅବିକଳ ବାସସ୍ଥାନକୁ ସଂଗ୍ରାହଳୟରେ ସୁସଜ୍ଜିତ କରାଯାଇଛି ।

ତେବେ ଏବେ ସମୟ ସ୍ରୋତରେ କ୍ରମଶଃ ଆଦିବାସୀଙ୍କ ଅନେକ ପରିବର୍ତ୍ତନ ଘଟିଛି।
ଯାଫଳରେ ପୁରାତନ ସଂସ୍କୃତି କାର୍ଯ୍ୟକଳାପ ବିଲୋପ ପ୍ରାୟ ଯାହା ଅତି ମନୋରୋମ । ଏମାନଙ୍କ ସଂସ୍କୃତି ଉପରେ ଆଧାରିତ ଅନେକ ବିଷେଶଜ୍ଞ ଅଧ୍ୟୟନ କରୁଥିବା ବେଳେ ଏହି ସଂଗ୍ରାହଳୟକୁ ଆସିଥାନ୍ତି । ସେହିଭଳି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଆସି ପରିଦର୍ଶନ କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଉପକାରୀ ହୋଇପାରିଛି । ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ତରଫୁରୁ ଏହି ସଂଗ୍ରାହଳୟଟି ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ମାଣ ଲାଗି ଅନେକ ଅନୁସନ୍ଧାନ କରି ସଂଗୃହିତ କରି ରଖାଯାଇଛି ବିରଳ ଜିନିଷ । ଏହି ସଂଗ୍ରାହଳୟର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯିବା ସହ କୁତ୍ରିମ ପାହାଡି ଝରଣା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଶିତ କରିପାରୁଛି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓ ପାହାଡ଼ ପର୍ବତ ଘେରା ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଶତକଡା ୮୦ ଭାଗ ଲାଞ୍ଜିଆ ସଉରା ଓ ସୌରା ଆଦିବାସୀ ସଂପ୍ରଦାୟର ଜୀବନ ଜିବିକା କରୁଛନ୍ତି । ଆଦିମ ଜନଜାତି ତଥା ସୌରା ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାର ମୋହନା ବ୍ଳକ ଚନ୍ଦ୍ରଗିରି ଠାରେ ୧୯୭୯ମସିହାରେ ନିର୍ମାଣ କରିଛନ୍ତି ସଉରା ଉନ୍ନୟନ ସଂସ୍ଥା ‌। ଏହି ସଂସ୍ଥା ମାଧ୍ୟମରେ ଅତି ଗରୀବ ଅନଗ୍ରସର ଅନୁନ୍ନତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ୩୨ ଗୋଟି ଆଦୀମ ଜନଜାତି ଗାଁ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ , ଜୀବନ ଜୀବିକା ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରକାର ବିଭିନ୍ନ ସଂସ୍ଥାର ସଂଯୋଜନାରେ କରୁଛନ୍ତି । ସମୟର ତାଳ ସହିତ ବିକାଶ ବଜାୟ ରହିଥିବା ବେଳେ ଏବେ ବଦଳିଛି ଜୀବନ ଜିବିକା , ଏଥିସହ ସଉରା ଆଦିବାସୀଙ୍କ ଜୀବନ ଶୈଳୀରେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ମଧ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ମଧ୍ୟ ସରକାର ନେଇଛନ୍ତି ପଦକ୍ଷେପ ।

ଲୋପ ପାଇଥିବା ସୈରା ଜନଜାତିଙ୍କ ଅଳଙ୍କାର ବସ୍ତ୍ର , ଅସ୍ତ୍ରଶସ୍ତ୍ର,ବାଦ୍ୟ ଯନ୍ତ୍ର, କୃଷି ବିହନ , ଆଦି ବିଭିନ୍ନ ସାମଗ୍ରୀ, ଖାଦ୍ୟ, ଦୈନନ୍ଦିନ ଚଳଣିରେ ବ୍ୟବହାରିକ ଜିନିଷ ମଧ୍ୟକୁ ସଂଗ୍ରହ କରି ଏକ ସଂଗ୍ରହାଳୟ ରଖାଯାଇଛି ।
ଏହି ସଂଗ୍ରହାଳୟରେ ସେମାନଙ୍କ ସମସ୍ତ ଜିନିଷ ଥିବା ବେଳେ ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।  ଗତ ମାସରେ ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ଏହି ସଂଗ୍ରହାଳୟ ପରିଦର୍ଶନ କରି ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ।  ଆଦିବାସୀଙ୍କ ଜିନିଷ ଧୀରେ ଧୀରେ ଲୋପ ପାଇ ଯାଉଥିବା ଯୋଗୁଁ ଏହାକୁ ଉଦ୍ ଜୀବିତ ରଖିବା ପାଇଁ ସଂଗ୍ରହାଳୟ କରାଯାଇଥିବା ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ର ସ୍ଵତନ୍ତ୍ର ଅଧିକାରୀ ଭନମାଳି ଭୁଆଁ କହିଛନ୍ତି ।
ପର୍ଯ୍ୟଟନୀ କ୍ଷେତ୍ର ଭାବେ ବେଶ ପ୍ରସିଦ୍ଧ ପାହାଡିଆ ଝରଣା ମାଙ୍କଡଡିଆଁ ବୃହତ ଜଳପ୍ରପାତ , ଖସଡ଼ା ଜଳପ୍ରପାତ , ଜୀରାଙ୍ଗ ସ୍ଥିତ ବୌଦ୍ଧ କିର୍ତ୍ତିର ସମ୍ଭାର ତଥା ପ୍ରସିଦ୍ଧ ପଦ୍ମସମ୍ଭଭ ମହା ବିହାର , ନିକଟରେ ରହିଥିବା ହେତୁ ଏହା ମଧ୍ୟ ପର୍ଯ୍ୟଟନ ସ୍ଥଳରେ ଅଳଙ୍କାର ରୁପି ବେଶ ଆକର୍ଷଣୀୟ ।

ଆଦିମ ଜନଜାତିଙ୍କ ଏହି ସଂଗ୍ରାହଳୟକୁ ଲୋକେ ଜାଣିବା ସହ ଆଦିବାସୀ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ନିଜ ଜାତିର ମହାନ ପରମ୍ପରାକୁ ଗୌରବ ସୃଷ୍ଟି ହୋଇପାରିବ ବୋଲି ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର କହିଛନ୍ତି । ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମାରୀୟମ ରାଉତ ଏହି ସଂଗ୍ରାହଳୟ ପରିଦର୍ଶନରେ ଆସି ନିଜ ଜାତି ଓ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବାରେ ଜିଲ୍ଲା ପ୍ରସାଶନର ସୁପଦକ୍ଷେପ ବୋଲି କହିଛନ୍ତି ।  ଅନ୍ୟ ପକ୍ଷରେ ଏହାକୁ କେବଳ ସଂଗ୍ରହାଳୟ ଭିତରେ ସୀମିତ ନ ରଖି ଏଥିପାଇଁ ଶିକ୍ଷାନୁଷ୍ଠାନରେ ଏକ ସ୍ବତନ୍ତ୍ର ପାଠ୍ୟ କ୍ରମ କରିବାକୁ ପଦକ୍ଷେପ ନେଲେ ଭଲ ହୁଅନ୍ତା ଏବଂ ସୌରା ଭାଷା ମଧ୍ୟ ବିଲୋପ ହେବାକୁ ବସିଥିବା ଯୋଗୁଁ ଭାଷା ପ୍ରଚଳନ ପାଇଁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ।

Comments are closed.