ଚ୍ୟାଲେଞ୍ଜର ଟ୍ରଫିରେ ଓଡ଼ିଆ ଝିଅ ରଶ୍ମି ଗୁଡିଆ

ଓଡ଼ିଶାରେ ସୁଯୋଗ ନପାଇ ଝାଡ଼ଖଣ୍ଡ ଦଳର ପ୍ରତିନିଧିତ୍ବ କରୁଛନ୍ତି

ବଲାଣି : କେନ୍ଦୁଝର ଜିଲାର ଖଣି ସହର ବଲାଣିର ଆଦିବାସୀ ଝିଅ ରଶ୍ମି ଗୁଡ଼ିଆ ୨୩ ବର୍ଷରୁ କମ୍ ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ତେବେ ରଶ୍ମି ଓଡ଼ିଶାରୁ ନୁହେଁ; ପଡ଼ୋଶୀ ଝାଡ଼ଖଣ୍ଡର ଖେଳାଳି ଭାବେ ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳିବେ। ରଶ୍ମିଙ୍କୁ ଚ୍ୟାଲେଞ୍ଜର ଟ୍ରଫିରେ ଭାରତ ‘ସି’ ଦଳରେ ସ୍ଥାନ ମିଳିଛି।
ରଶ୍ମି ଗୁଡ଼ିଆ ୨୦୧୩ରୁ ଝାଡ଼ଖଣ୍ଡର ମହିଳା କ୍ରିକେଟ ଦଳ ପାଇଁ ଖେଳି ଆସୁଛନ୍ତି। ସେ ଝାଡ଼ଖଣ୍ଡର ୧୯ ବର୍ଷରୁ କମ୍ ଦଳର ଅଧିନାୟିକା ମଧ୍ୟ ଥିଲେ। ପୁଡୁଚେରୀରେ ଆସନ୍ତା ୧୧ରୁ ହେବାକୁ ଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ରଶ୍ମି ପ୍ରସ୍ତୁତ ହେଉଛନ୍ତି। ବିସିସିଆଇ ୨୩ ବର୍ଷରୁ କମ୍ ଆନ୍ତଃରାଜ୍ୟ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ରଶ୍ମି ଗୁଡ଼ିଆ ଚ୍ୟାଲେଞ୍ଜର ଟ୍ରଫି ଖେଳିବାର ସୁଯୋଗ ପାଇଛନ୍ତି। ରଶ୍ମି ଝାଡଖଣ୍ଡ ଦଳ ପାଇଁ ୱିକେଟ ରକ୍ଷଣ କରିବା ସହ ଓପ୍‌ନିଂ ବ୍ୟାଟିଂ ମଧ୍ୟ କରିଥାଆନ୍ତି। ସୂଚନାଯୋଗ୍ୟ, ରଶ୍ମି ଓଡ଼ିଶାର ସୀମାନ୍ତ ବଲାଣିରେ ଜନ୍ମ ଗ୍ରହଣ କରିବା ସହ ଏଠାରେ ଶିକ୍ଷା ଗ୍ରହଣକରି ବଲାଣି ସ୍ଥିତ ମହିଳା କ୍ରିକେଟ କୋଚିଂ ସେଣ୍ଟରରୁ କ୍ରିକେଟ ସଂକ୍ରାନ୍ତ ତାଲିମ ଗ୍ରହଣ କରିଛନ୍ତି। ବଲାଣିରୁ ପ୍ରାୟ ୧୦ ଜଣ ଖେଳାଳି ବିଭିନ୍ନ ସମୟରେ ରାଜ୍ୟ ପାଇଁ ଖେଳିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଓଡ଼ିଶାରୁ ସୁଯୋଗ ନପାଇ ଝାଡଖଣ୍ଡରୁ ପ୍ରତିନିଧିତ୍ବ କରୁଛନ୍ତି। ବଲାଣିର ରଶ୍ମି ଚ୍ୟାଲେଞ୍ଜର ଟ୍ରଫି ଖେଳୁଥିବାରୁ ବଲାଣି ମହିଳା କ୍ରିକେଟ କୋଚିଂ ସେଣ୍ଟର ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.