ସାମାଜିକ ସୂରକ୍ଷା ଯୋଜନାରୁ ବଞ୍ଚିତ ୫୪% ଘରୋଇ ଶ୍ରମିକ

ଭୁବନେଶ୍ୱର: ସହର ତଳି ଅଞ୍ଚଳରେ ରହୁଥିବା ବସ୍ତି ଲୋକମାନଙ୍କ ମଧ୍ୟରୁ ୮୩% ଜରି ଗୋଟାଳିଙ୍କ ପାଖରେ ପ୍ୟାନ୍‍ କାର୍ଡ, ୮୧% କିନ୍ନରଙ୍କ ପାଖରେ ଭୋଟର କାର୍ଡ ଓ ୮୩% କିନ୍ନରଙ୍କ ପାଖରେ ଖାଦ୍ୟ ସୂରକ୍ଷା ବା ରାଶନ କାର୍ଡ ନଥିବାର ସୂଚନ ମିଳିଛି। ସେଂଟର୍‍ ଫର୍‍ ଆଡ୍‍ଭୋକେସୀ ଆଣ୍ଡ୍‍ ରିସର୍ଚ୍ଚ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା କରାଯାଇଥିବା ସର୍ଭେକ୍ଷଣ ଅନୁଯାୟୀ ଏହି ତଥ୍ୟ ମିଳିଛି। ରିପୋର୍ଟ ଅନୁଯାୟୀ ୮୪% ଘରୋଇ ଶ୍ରମିକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନଥିବା ବେଳେ ୭୫% କିନ୍ନର ମଧ୍ୟ ଏହି ସେବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ୫୪% ଘରୋଇ ଶ୍ରମିକ ସାମାଜିକ ସୂରକ୍ଷା ଯୋଜନାରୁ ବଞ୍ଚିତ ଥିଲା ବେଳେ ୩୪% ନିର୍ମାଣ ଶ୍ରମିକ ମାନେ ଲେବର କାର୍ଡରୁ ବଞ୍ଚିତ ହୋଇଛନ୍ତି। ୮୨% ଲୋକଙ୍କ ମତ ଯେ, ପାଣିର ମାନ ଉତମ ନୁହେଁ। ୯୦% ଘରୋଇ ଶ୍ରମିକଙ୍କର ନିଜର ପାଇଖାନା ନଥିବା ବେଳେ ୫୫% ଲୋକ ମତ ରଖିଛନ୍ତି ଯେ ବିଜୁଳି ଖୁଂଟ ଗୁଡିକ ଠିକ୍‍ ରୁପେ କାମ କରୁନାହିିଁ।

 

ଏହି ସଂଗଠନର ଆଜିମ୍‍ ପ୍ରେମ୍‍ଜି ଫିଲାନ୍ଥ୍ରୋପିକ୍‍ ଇନିସିଏଟିଭ୍‍ସ୍‍ ପ୍ରକଳ୍ପ ମାଧ୍ୟମରେ ସହରୀ ଗରୀବମାନଙ୍କୁ ସାମାଜିକ ପରିସର ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜ ମଙ୍ଗଳକାରୀ ଯୋଜନା ଓ ମୈାଳିକ ସେବା ଗୁଡିକର ଲବ୍ଧତା ଉପରେ ୪୨୧ ଜଣଙ୍କ ଠାରୁ ଗୋଷ୍ଠୀ ସ୍ତରୀୟ ସର୍ବେକ୍ଷଣର ଏଭଳି ତଥ୍ୟକୁ ନେଇ ଏକ ସଭାରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଏଥିରେ ୧୮ ଜଣ ଗୋଷ୍ଠୀ ସ୍ତରରେ କାର୍ଯ୍ୟରତ ଆଗ ଧାଡିର ମହିଳାମାନଙ୍କୁ ନେଇ ୮ଟି ୱାର୍ଡରେ ସର୍ବେକ୍ଷଣ କରାଯାଇଥିଲା।

 

ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ସନ୍ୟାସୀ ବେହେରା ଶିଶୁ ଅଧିକାର ଆଇନ୍‍, ମହିଳା ହିଂସା, ଘରୋଇ ହିଂସା ବିରୋଧ ଆଇନ୍‍ ଏବଂ ଜିଲ୍ଲା ପ୍ରାଧିକରଣ ଆଇନ୍‍ ସେବା ଉପରେ ଆଲୋଚନା କରିଥିଲେ। ଖାଦ୍ୟ କମିଶନ ସଭ୍ୟା ତଥା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ୍‍ ସରକାରଙ୍କର ୫ଞ ବ୍ୟବସ୍ଥା କିଭଳି ଲୋକାଭୀମୁଖୀ ହୋଇ ପାରିଛି ଏବଂ ଏହା ଦ୍ୱାରା ସମସ୍ତ ବସ୍ତି ଅଞ୍ଚଳରେ ବାସ କରୁଥିବା ଲୋକମାନେ କିଭଳି ଉପକୃତ ହୋଇ ପାରୁଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ସେ ଖାଦ୍ୟ ସୂରକ୍ଷା ଆଇନ୍‍ କିଭଳି ଗରୀବ ଲୋକମାନଙ୍କ ପେଟକୁ ଆହାର ଯୋଗାଇ ପାରିଛି କହିଥିଲେ। ଆବଶ୍ୟକ ପଡିଲେ ସେ ନୂଆ ଅଂଗନବାଡି କେନ୍ଦ୍ର ଖୋଲିବା ପାଇଁ ସମସ୍ତ ସହଯୋଗ ସି.ଏଫ୍‍.ଏ.ଆର୍‍ ମାଧ୍ୟମରେ ଯୋଗାଇ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ବିଏମସି ନର୍ଥ ଜୋନ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ସି.ଏଫ୍‍.ଏ.ଆର୍‍ର ଗୋଷ୍ଠୀ ଭିତିକ କାର୍ଯ୍ୟକ୍ରମ, ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତ କରିବା ଏବଂ କିନ୍ନରମାନଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ କରି ସମାଜର ମୂଖ୍ୟ ଶ୍ରୋତକୁ ଫେରାଇ ଆଣିବା ଭଳି କାର୍ଯ୍ୟଗୁଡିକର ପ୍ରଶଂସା କରିଥିଲେ।

ସେହିପରି ଅନୁସୂଚିତ ଜାତି ଜନଜାତି ବିଭାଗର ଅତିରିକ୍ତ ପରିଚାଳକ ଜଗନ୍ନାଥ ପାତ୍ର କହିଥିଲେ ଯେ ଆଗାମୀ ଦିନରେ ସି.ଏଫ୍‍.ଏ.ଆର୍‍କୁ ଅକୁଣ୍ଠ ସହଯୋଗ ଯୋଗାଇ ଦିଆଯିବ। ସେ ହରିଜନ ଏବଂ ଆଦିବାସୀ ଉନ୍ନୟନ ବିଭାଗ ତରଫରୁ ସଫେଇ କର୍ମଚାରୀମାନଙ୍କ ପାଇଁ ଥିବା ଆର୍ଥକ ସହାୟତା ବ୍ୟବସ୍ଥା, ହରିଜନ ଆଦିବାସୀ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀମାନେ ପାଠ ପଢା ସମୟରେ ସେମାନଙ୍କୁ ଛାତ୍ର ବୃତ୍ତି ସମ୍ବନ୍ଧରେ ବିସ୍ତାର ଆଲୋଚନା କରିଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ଏନଏଲୟୁଏମ ଏକ୍ସପର୍ଟ ଦେବାସିସ୍‍ ମହାପାତ୍ର, ଓକାକର ରାଜ୍ୟ ଅଧିକାରୀ ମନୋରଞ୍ଜନ ସାହୁ, ମହିଳା ହେଲ୍ପ ଲାଇନର ସେଫାଳୀ ମହାନ୍ତି ଓ ଲୋପାମୁଦ୍ରା ସେଠୀ ଏବଂ ଅଣ ସଂଗଠିତ ଶ୍ରମିକ ସଂଗଠନର ସଭାନେତ୍ରୀ ନିତୁ ଚାଖିଆ ପ୍ରମୁଖ ଉପସ୍ଥିତ ରହି ଅଲଜନ କରିଥିଲେ।

Comments are closed.