କୃଷକଙ୍କ ପାଇଁ ସିଇଟି ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ ଅତ୍ୟାଧୁନିକ ଗାଡ଼ି

ଭୁବନେଶ୍ୱର:କମ୍‌ ଖର୍ଚ୍ଚରେ ଚାଷ କାମ କରିବାକୁ ନୂଆ ଅତ୍ୟାଧୁନିକ ଯନ୍ତ୍ରପାତିରେ ତିଆରି ଗାଡ଼ି ପ୍ରସ୍ତୁତ କରିଛନ୍ତି କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ର ଛାତ୍ରଛାତ୍ରୀ। ଏହି ଗାଡିର ନାମ ବିଶ୍ବ-୪ ରଖାଯାଇଥିବାବେଳେ ଆଗାମୀ ଦିନରେ ଏହି ଗାଡ଼ି ଇଞ୍ଜିନ୍‌ ବ୍ୟବହାର କରି ଦୁର୍ଗମ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ଗାଡ଼ି ନିର୍ମାଣ ପାଇଁ ଗବେଷଣା କରୁଛନ୍ତି ଛାତ୍ରଛାତ୍ରୀ। ଏହି ଗାଡ଼ି ସାହାଯ୍ୟରେ କୃଷକ କ୍ଷେତରେ ହଳ କରିବା ସହ ମଞ୍ଜି, କୀଟନାଶକ ‌‌ଔଷଧ ସିଞ୍ଚନ ଭଳି କୃଷି ସମ୍ବନ୍ଧୀୟ କାର୍ଯ୍ୟ ସହଜରେ କରିପାରିବେ। ଏହା ଏକ ଛୋଟ ଗାଡ଼ି ହୋଇଥିବାବେଳେ ଏଥିପାଇଁ କମ୍‌ ଖର୍ଚ୍ଚ ହେବ।
ଏହି ଗାଡ଼ିକୁ ସିଇଟି କଲେଜର ସୋସାଇଟି‌ ଅଫ୍‌ ଅଟୋମୋଟିଭ ଇଞ୍ଜିନିୟର କ୍ଲବ୍‌ର ୨୫ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି। ୨୦୧୯-୨୦ରେ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାରେ ଏହି ଗାଡ଼ି ଚତୁର୍ଥ ସ୍ଥାନ ପାଇଥିଲା। ଇମ୍ପେରିଆଲ ସୋସାଇଟି ଅଫ୍‌ ଇନୋଭେଟିଭ୍‌ ଇଞ୍ଜିନିୟର ପକ୍ଷରୁ ଲକ୍‌ଡାଉନ୍‌ରେ ସର୍ବଭାରତୀୟ ଡିଜାଇନ୍‌ ପ୍ରତିଯୋଗିତା(ଅଲ୍‌ ଇଣ୍ଡିଆ ଡିଜାଇନ୍‌ କମ୍ପିଟେସନ୍‌)ରେ ମଧ୍ୟ ଏହି ଗାଡ଼ି ଦ୍ବିତୀୟ ସ୍ଥାନ ହାସଲ କରିଛି।

ଗାଡ଼ି ନିର୍ମାଣ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଅଧିକ ଗାଡ଼ି ଏକା ସାଙ୍ଗରେ ତିଆରିରେ କଲେ ୨.୫ ଲକ୍ଷ ଖର୍ଚ୍ଚ ହେବ ବୋଲି ବିଦ୍ୟାର୍ଥୀ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ପାହାଡ଼, ଖାଲୁଆ, କାଦୁଆ ଓ ପାଣି ଥିବା ରାସ୍ତାରେ ମଧ୍ୟ ଗାଡ଼ି ସହଜରେ ଚାଲିପାରିବ। ଏହି ଗାଡି ଗୋଟିଏ ଲିଟ‌ର ପେଟ୍ରୋଲରେ ୧୩ରୁ୧୪ କିମି ଚାଲିବ। ୫୦ ଡିଗ୍ରୀ ପାହଡ଼ିଆ, ଅଧା ମିଟର ଖାଲ ଓ ୧ ମିଟର ପାଣି ଥିବା ରାସ୍ତାରେ ମଧ୍ୟ ଗାଡ଼ି ସହଜରେ ଚାଲିପାରିବ। ଗାଡିରେ ୧୦ ହର୍ସ ପାୱାର ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ସବୁ ପ୍ରକାର ସ୍ଥିତିରେ ଚାଲୁଥିବା ଏହି ଗାଡ଼ିକୁ ଅଲ୍‌ ଟେରେଇନ୍‌ ଭେଇକିଲ୍‌ କୁହାଯାଉଛି। ଗାଡ଼ିର ଡିଜାଇନ୍‌ଠାରୁ ଆରମ୍ଭ କରି ସମସ୍ତ କାମ ଛାତ୍ରଛାତ୍ରୀ କରିଛନ୍ତି। ଗାଡ଼ିରେ ବ୍ୟବହୃତ ହୋଇଥିବା ୯୦ ପ୍ରତିଶତ ଯନ୍ତ୍ରାଂଶ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତ କରିଛନ୍ତି।
୨୫ ଛାତ୍ରଛାତ୍ରୀ ଏହି ଗାଡ଼ି ପ୍ରସ୍ତୁତ କରିଥିବାବେଳେ ଶିକ୍ଷାନୁଷ୍ଠାନ ପକ୍ଷରୁ ଖୁବ୍‌ଶୀଘ୍ର ପେଟେଣ୍ଟ ପାଇଁ ଆବେଦନ କରାଯିବ । ଗାଡ଼ିରେ କେବଳ ଜଣେ ଚାଳକ ହିଁ ବସିପାରିବେ। ଭାରତୀୟ ସଡ଼କ ସୁରକ୍ଷା ନିୟମାବଳୀ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି। ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇ ୫ ହାରନେସ୍‌ ପ୍ରଯୁକ୍ତିବିଦ୍ୟାରେ ଚାଳକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି। ଗାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିବାବେଳେ ସୁରକ୍ଷା ପାଇଁ ସ୍ବତନ୍ତ୍ର ସେଫ୍ଟି ସୁଇଚ୍‌ ଲଗାଯାଇଛି। ଗାଡ଼ି କୌଣସି କାରଣରୁ ନିୟନ୍ତ୍ରଣ ହରାଇବା ମାତ୍ରେ ଏହି ସୁଇଚ୍‌ ବ୍ୟବହାର କରି ଗାଡ଼ିକୁ ରୋକା ଯାଇପାରିବ। ୧୪୨ କେଜି ଗାଡ଼ିର ଓଜନ ଥିବାବେଳେ ୬୦ ଇଞ୍ଚ ଲମ୍ବା ଓ ୪୮ ଇଞ୍ଚ ଚଉଡା ରହିଛି। ଏହି ଗାଡ଼ି ପାହାଡ଼ିଆ ଅଞ୍ଚଳରେ ଚାଲିବାକୁ ଉପଯୋଗୀ ହୋଇଥିବାରୁ ଦୁର୍ଗମ ଅଞ୍ଚଳ ପାଇଁ ଆମ୍ବୁଲାନ୍ସ କିଭଳି ନିର୍ମାଣ କରିବା ନେଇ ଛାତ୍ରଛାତ୍ରୀ ପ୍ରଚେଷ୍ଟା ଚଳାଇଛନ୍ତି। ଛୋଟ ଆମ୍ବୁଲାନ୍ସର ଡିଜାଇନ‌ ପ୍ରସ୍ତୁତ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆମ୍ବୁଲାନ୍ସ ନିର୍ମାଣ କରାଯିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।
ସୋସାଇଟି ଅଫ୍‌ ଅଟୋମୋଟିଭ ଇଞ୍ଜିନିୟର କ୍ଲବ୍‌ର କ୍ୟାପଟେନ୍‌ ଛାତ୍ର ଶାଶ୍ବତ ପଣ୍ଡା କହିଛନ୍ତି ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷଙ୍କ ସହଯୋଗ ଯୋଗୁଁ ଏହି ଗାଡ଼ି ନିର୍ମାଣ ହୋଇଛି। ୨୦୧୬ରେ ଆମ ପୂର୍ବ ଛାତ୍ରଛାତ୍ରୀ ଏଭଳି ଏକ ଗାଡ଼ି ପାଇଁ ପରିକଳ୍ପନା କରିଥିଲେ। ସେତେବେଳେ ନିର୍ମାଣ କରିଥିବା ଗାଡ଼ିରେ ବହୁ ଅସୁବିଧା ଥିଲା। ଏହାକୁ ଗବେଷଣା କରି ଏହି ଗାଡ଼ି ନିର୍ମାଣ କରିଛୁ। ଆଶା କରୁଛି ଆଗାମୀ ପିଢି ଆହୁରି ଗବେଷଣାକୁ ଆଗକୁ ନେବା ସହ ଆମ୍ବୁଲାନ୍ସ ଓ ବ୍ୟାଟେରି ଗାଡି ନିର୍ମାଣ କରିବେ।

Comments are closed.