ସେସୁକୁ କିଣିବାକୁ ସଦିଚ୍ଛାପତ୍ର ପାଇଲା ଟାଟା ପାୱାର

ଭୁବନେଶ୍ବର : ସେସୁର ଘରୋଇକରଣକୁ ନେଇ ଶୁଣାଯାଉଥିବା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପଡ଼ିଛି । ସେସୁର ଘରୋଇକରଣ ଦୌଡରେ ଆଗରେ ଥିବା ଟାଟା ପାୱାର କମ୍ପାନି ଲିମିଟେଡ୍‌କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପକ୍ଷରୁ ସୋମବାର ସଦିଚ୍ଛାପତ୍ର ପ୍ରଦାନ କରାଯାଇଛି । ଏହାଫଳରେ ଓଡ଼ିଶାର ସେଣ୍ଟ୍ରାଲ୍‌ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା(ସେସୁ)ର ପାଞ୍ଚଟି ବିଦ୍ୟୁତ ଆବଣ୍ଟନ ସର୍କଲରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣର ଲାଇସେନ୍ସ ଟାଟା ପାୱାର ନେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସେସୁର ଘରୋଇକରଣ ପ୍ରକ୍ରିୟା ଲାଗି ଓଇଆର୍‌ସି ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ତେବେ ଏଥିରେ କିଛି ପ୍ରତିଯୋଗୀ କମ୍ପାନୀଙ୍କ ଦୌଡର ଆଗରେ ଟାଟା ପାୱାର ରହିଥିଲା। ଇଣ୍ଡିଆ ପାୱାର କର୍ପୋରେସନ୍‌ ଲିମିଟେଡ(ଆଇପିସିଏଲ୍‌) ମଧ୍ୟ କିଣିବାକୁ ଆଗ୍ରହୀ ଥିଲା। ସେସୁ ପାଞ୍ଚଟି ସର୍କଲ ମଧ୍ୟରେ ଭୁବନେଶ୍ୱର(ଇଲେକ୍ଟ୍ରିକାଲ୍‌ ସର୍କଲ ୧ ଓ ୨), କଟକ, ପାରାଦୀପ ଓ ଢ଼େଙ୍କାନାଳ ରହିଛି। ଟାଟା ପାୱାରକୁ ୨୫ ବର୍ଷ ପାଇଁ ସେସୁର ବିଦ୍ୟୁତ୍‌ ଆବଣ୍ଟନ ଲାଇସେନ୍ସ ପ୍ରଦାନ କରାଯିବ। ସେସୁର ବର୍ତ୍ତମାନ ଗ୍ରାହକ ସଂଖ୍ୟା ହେଉଛି ୨୫ ଲକ୍ଷ। ବର୍ତମାନ, ଟାଟା ପାୱାରର ମୁମ୍ବାଇ, ଦିଲ୍ଲୀ ଓ ଆଜମେର୍‌ରେ ୨୫ ଲକ୍ଷ ଗ୍ରାହକ ଅଛନ୍ତି ଏବଂ ସେସୁ ଅଧିଗ୍ରହଣ ପରେ ଏହାର ଗ୍ରାହକ ସଂଖ୍ୟା ଦ୍ୱିଗୁଣିତ ହେବ। ଗ୍ରାହକ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିବ ବୋଲି ଜଣାଯାଇଛି। ଟାଟା ପାୱାର ସେସୁକୁ ସ୍ପେସିଆଲ ପରପସ୍‌ ଭେଇକିଲ୍‌(ଏସପିଭି) ମାଧ୍ୟମରେ ଅଧିଗ୍ରହଣ କରିଛି। ସେସୁରେ ଟାଟା ପାୱାରର ୫୧ ପ୍ରତିଶତ ଅଂଶଧନ ରହିବ। ରାଜ୍ୟ ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ରହିବ। ଘରୋଇ ସରକାରୀ ସହଭାଗିତା(ପିପିପି) ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଦେଶରେ ଟାଟା ପାୱାରର ଅନେକ ଅଭିଜ୍ଞତା ରହିଛି ବୋଲି ଟାଟାପାୱାରର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀର ସିହ୍ନା ସୂଚନା ଦେଇଛନ୍ତି। ଓଡ଼ିଶାର ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରି ଏକ ରାଜ୍ୟର ବିଦ୍ୟୁତ୍‌ ଆବଣ୍ଟନ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାକୁ ଆମେ ଆଶା ରଖିଛୁ ବୋଲି ଟାଟା ପାୱାର ସଭାପତି ସଞ୍ଜୟ ବାଙ୍ଗା କହିଛନ୍ତି। ସେସୁର ୫୧ ପ୍ରତିଶତ ଅଂଶଧନକୁ ଟାଟା ପାୱାର କେତେ ଟଙ୍କାରେ କ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ ତାହା କିଭଳି ଚୂଡାନ୍ତ ହୋଇଛି ସ୍ପଷ୍ଟ ହୋଇନାହିଁ।

Comments are closed.