ସେସୁ ଶୋଷଣ, ୨ମାସରେ ଦୁଇଗୁଣା ବିଲ୍‌

କଟକ: କରୋନା ପାଇଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ଏହି ବିପତ୍ତିରେ ରାଜ୍ୟ ସରକାର ଭଡାଟିଆଙ୍କ ଘରଭଡା ଛାଡ କରିବାକୁ ନିବେଦନ କରୁଥିବାବେଳେ ସେସୁର ଗ୍ରାହକ ମାରଣ ନୀତି ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ ହୋଇଛି। ମେ ମାସରେ ଆସିଥିବା ଦୁଇ ମାସର ବିଦ୍ୟୁତ ବିଲକୁ ନେଇ ବହୁ ଗ୍ରାହକଙ୍କ ଆଖିରୁ ନିଦ ହଜିଯାଇଛି। ଯେଉଁଠି ଜଣେ ଗ୍ରାହକଙ୍କର ମାସିକ ୫୦୦ରୁ ୭୦୦ଟଙ୍କା ବିଲ ହେବା କଥା ସେଠାରେ ୨୦୦୦ରୁ ୫୦୦୦ ପର୍ୟ୍ୟନ୍ତ ବିଦ୍ୟୁତ ବିଲ ଆସିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ପ୍ରକାର ତ୍ରୁଟିପୂର୍ଣ୍ଣ ବିଲ ସଂଶୋଧନ କରିବାକୁ ବିଦ୍ୟୁତ ଉପଭୋକ୍ତା ମହଲରେ ଦାବି ହୋଇଛି।

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଲକଡାଉନ ଯୋଗୁଁ ଏପ୍ରିଲ ମାସରେ ସେସୁ ପକ୍ଷରୁ ମିଟର ରିଡିଂ ବନ୍ଦ ରହିଥିଲା। ମିଟର ରିଡିଂ ନ ହେବାରୁ ବିଦ୍ୟୁତ ଉପଭୋକ୍ତା ଏପ୍ରିଲ ମାସର ବିଦ୍ୟୁତ ଦେୟ ଦେଇନଥିଲେ। ସେସୁ ପକ୍ଷରୁ ମେ ମାସରେ ମିଟର ରିଡିଂ କରାଯାଇ ଉପଭୋକ୍ତାଙ୍କୁ ଏକକାଳୀନ ଦୁଇମାସର ବିଦ୍ୟୁତ ବିଲ ଦିଆଯାଇଛି। ଏହି ବିଲରେ ସାଧାରଣ ବିଲଠାରୁ ଦୁଇଗୁଣା ବିଲ ଆସିଛି। ସେସୁ ପକ୍ଷରୁ କଟକ ସହରରେ ବିଦ୍ୟୁତ ବଣ୍ଟନ ସହିତ ବିଲ ଆଦାୟ କରାଯାଉଛି। ପ୍ରତି ମାସରେ ଉପଭୋକ୍ତା ବ୍ୟବହାର କରିଥିବା ବିଦ୍ୟୁତ ଅନୁଯାୟୀ ବିଲ ଭରଣା କରିଥାନ୍ତି। ପ୍ରତି ମାସର ଦ୍ୱିତୀୟ ସପ୍ତାହରେ ସେସୁ କର୍ମଚାରୀମାନେ ଘରକୁ ଘର ବୁଲି ମିଟର ରିଡିଂ ନେଇ ବିଲ ଦେଇଥାନ୍ତି। ଏଥିପାଇଁ ସେସୁ ପକ୍ଷରୁ ଉପଭୋକ୍ତାଙ୍କଠାରୁ ୩ଟି ସ୍ଲାବରେ ବିଦ୍ୟୁତ ଦେୟ ଆଦାୟ କରାଯାଉଛି। ପ୍ରଥମ ୫୦ୟୁନିଟ୍‍ ପର୍ୟ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ ପାଇଁ ୟୁନିଟ ପିଛା ୨.୫୦ ଟଙ୍କା, ୫୧ୟୁନିଟ୍‍ରୁ ୧୫୦ୟୁନିଟ ପର୍ୟ୍ୟନ୍ତ ୪.୩୦ଟଙ୍କା ଏବଂ ୧୫୧ୟୁନିଟରୁ ୨୦୦ୟୁନିଟ୍‍ ପାଇଁ ୟୁନିଟ୍‍ ପିଛା ୫.୩୦ଟଙ୍କା ଏବଂ ୨୦୧ୟୁନିଟରୁ ୫.୭୦ଟଙ୍କା ଉପଭୋକ୍ତାଙ୍କଠାରୁ ଆଦାୟ କରାଯାଇଥାଏ। କରୋନା ପାଇଁ ଏପ୍ରିଲ ମାସରେ ସେସୁ ପକ୍ଷରୁ ଉପଭୋକ୍ତାଙ୍କର ମିଟର ରିଡିଂ ନିଆଯାଇନଥିଲା।

ମେ ଦ୍ୱିତୀୟ ସପ୍ତାହରେ ମିଟର ରିଡିଂ ନିଆଯାଇ ଏକକାଳୀନ ଦୁଇମାସର ବିଲ ପ୍ରଦାନ କରାଯାଇଛି। ଏହି ବିଲରେ ଗୁରୁତର ତ୍ରୁଟି ଧରାପଡିଛି। ଅଧିକାଂଶ ଉପଭୋକ୍ତାଙ୍କ ଦୁଇ ମାସର ବିଲରେ ପ୍ରଥମ ୫୦ୟୁନିଟ, ପରବର୍ତ୍ତୀ ୧୦୦ୟୁନିଟ୍‍ ଆଧାରରେ ହିସାବ କରାଯାଇଥିବାବେଳେ ପରବର୍ତ୍ତୀ ୟୁନିଟ୍‍ ପ୍ରତି ୫.୩୦ଟଙ୍କା ନିଆଯାଇଛି। ଏପରି ତ୍ରୁଟିପୂର୍ଣ୍ଣ ବିଲ ଯୋଗୁଁ ଅଧିକାଂଶ ଉପଭୋକ୍ତାଙ୍କର ୨ମାସରେ ୫୦୦ରୁ ୫୦୦୦ପର୍ୟ୍ୟନ୍ତ ଟଙ୍କା ଅଧିକ ବିଲ ଆସିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରି ତ୍ରୁଟିପୂର୍ଣ୍ଣ ବିଲ ସଂଶୋଧନ କରିବାକୁ ବହୁ ଉପଭୋକ୍ତା ଦାବି କରିଛନ୍ତି। କରୋନା ବିପତ୍ତି ସମୟରେ ସେସୁ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବିଲ ଭରଣା ପାଇଁ ଆକର୍ଷଣୀୟ ସୁବିଧା କରିବା ବଦଳରେ ଏ ପ୍ରକାର ଶୋଷଣ ମନୋବୃତ୍ତି ନେଇ ଉପଭୋକ୍ତାଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ମାନବକୃତ ତ୍ରୁଟି ସଂଶୋଧନ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ରାଣୀହାଟସ୍ଥିତ ସେସୁ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ଏପ୍ରିଲରେ ବିଲ ପୈଠ କରିଥିବା ଉପଭୋକ୍ତାଙ୍କୁ ୪ପ୍ରତିଶତ ରିଆତି ପ୍ରଦାନ କରାଯାଇଛି। ମିଟର ରିଡିଂରେ କୌଣସି ତ୍ରୁଟି କରାଯାଇନଥିବା କହିଛନ୍ତି।

Comments are closed.