କରୋନା ମୁକାବିଲା ପାଇଁ କେନ୍ଦ୍ରର ୫ ପର୍ଯ୍ୟାୟ ଯୋଜନା

ନୂଆଦିଲ୍ଲୀ: କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାର ପାଞ୍ଚ ପର୍ୟ୍ୟାୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଶନିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦିଆଯାଇଛି। ପରୀକ୍ଷଣ ବୃଦ୍ଧି, ଏକାନ୍ତବାସକୁ କଡ଼ାକଡ଼ି କରାଯିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସନ୍ଧାନ ଜୋର୍‌ଦାର କରାଯିବା, ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବୃଦ୍ଧି କରିବା, କରୋନା ପ୍ରୋଟୋକଲକୁ ଯଥାଯଥ ପାଳନ କରାଯିବା ଏବଂ ଟିକାକରଣକୁ ବ୍ୟାପକ କରାଯିବା ଉପରେ ସରକାର ଜୋର୍‌ ଦେଇଥିବା ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ପହଞ୍ଚି ଥିବାରୁ ଏଗୁଡ଼ିକ ଉପରେ ସର୍ବାଧିକ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଦେଶରେ ୪୬ଟି ଜିଲା ଏବେ ବିସ୍ଫୋରକ ଅବସ୍ଥାରେ ପହଞ୍ଚିଛି। ଏଠାରେ ୭୧ପ୍ରତିଶତ ନୂଆ ସଂକ୍ରମଣ ହୋଇଛି। ସେହିପରି ମୃତକଙ୍କ ମଧ୍ୟରୁ ୬୯ପ୍ରତିଶତ ଏହି ଅଞ୍ଚଳରୁ ବୋଲି ଭୂଷଣ କହିଛନ୍ତି। ଏଥିମଧ୍ୟରେ କେବଳ ମହାରାଷ୍ଟ୍ରର ୩୬ଟି ଜିଲା ରହିଛି।

ଅପରପକ୍ଷରେ ଗତବର୍ଷ ଅକ୍ଟୋବର ମଧ୍ୟଭାଗ ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୬୨,୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୧୯ କୋଟି ଟପିଯାଇଛି। ଗତକାଲିଠାରୁ ଏହି ସଂକ୍ରମଣ ସଂଖ୍ୟା ୫.୩% ଅଧିକ।

Comments are closed.