ଆଉ ତିନି ମାସ ମାଗଣା ରେସନ

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ଆଉ ୩ ମାସ ବୃଦ୍ଧି କରାଯାଇଛି। ମାଗଣା ରେସନ୍‌ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଏହି ଯୋଜନା ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୦ ମାର୍ଚ୍ଚରେ କରୋନା ଜନିତା ତାଲାବନ୍ଦ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଘୋଷଣା ହୋଇଥିଲା। ମାଗଣା ରେସନ୍‌ ଯୋଜନାରେ ୮୦ କୋଟି ଜନତାଙ୍କୁ ମୋଦୀ ସରକାର ପ୍ରତି ମାସରେ ମୁଣ୍ଡପିଛା ହିସାବରେ ୫ କିଲୋ ଗହମ କିମ୍ବା ଚାଉଳ ପ୍ରଦାନ କରିଥାଆନ୍ତି। ଏହା ସହିତ ମୁଣ୍ଡପିଛା ଏକ କିଲୋଗ୍ରାମ ଲେଖାଏଁ ଚଣା ଦିଆଯାଇଥାଏ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସବସିଡି ମାଧ୍ୟମରେ ଲୋକଙ୍କୁ ଏହି ଯୋଜନାରେ ମାଗଣା ରେସନ୍‌ ଯୋଗାଇ ଥା’ନ୍ତି ସରକାର। ଏଥିସହିତ ସେହି ବ୍ୟକ୍ତିମାନେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରିଆତି ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି। ଏକ ୫ଜଣିଆ ଯୋଗ୍ୟ ପରିବାର ମାସକୁ ପ୍ରାୟ ୫୦ କେଜି ଖାଦ୍ୟଶସ୍ୟ
ପାଇଥା’ନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଗରିବଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା। ତେବେ ମାଗଣା ରେସନ୍‌ ଯୋଜନା ବନ୍ଦ କରାଯିବ ବୋଲି କିଛି ଦିନ ପୂର୍ବରୁ ଖବର ଆସିଥିଲା। ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲେ। ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଥିଲା।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବରୁ ଗହମ ପ୍ରତି କିଲୋ ୩ଟଙ୍କା ଓ ଚାଉଳ ୨ଟଙ୍କାରେ ମୁଣ୍ଡପିଛା ୫କିଲୋ ଖାଦ୍ୟାନ୍ନ ସବୁ ରାଜ୍ୟର ଗରିବ ପରିବାରକୁ ଯୋଗାଇ ଦେଇଆସୁଛନ୍ତି। ତେବେ କରୋନା ପରଠାରୁ ପୂର୍ବ ରିଆତି ରେସନ ସହ ଅତିରିକ୍ତ ଚାଉଳ/ଗହମ ଓ ଚଣାଡାଲି ଏସବୁ ପରିବାରକୁ ଯୋଗାଇ ଦିଆଯାଇ ଆସୁଛି।

Comments are closed.