କଂଗ୍ରେସକୁ ଅଡ଼ୁଆ: କେନ୍ଦ୍ରର ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ନେତୃତ୍ବ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ପୁଣି ଏକ ଅଡ଼ୁଆ । ଦଳର ପୂର୍ବତନ ସଭାପତି ତଥା ସାଂସଦ ରାହୁଳ ଗାନ୍ଧୀ ପ୍ରତିଦିନ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦା ଓ ସମାଲୋଚନା କରୁଥିବାବେଳେ ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏକ ସଙ୍କଟଜନକ ସମୟରେ କେନ୍ଦ୍ର ସରକାର ରାଜ୍ୟସରକାରଗୁଡ଼ିକ ସହ ମିଳିମିଶି କାମ କରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ଶର୍ମା ମୋଦୀ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ସୋମବାର ଶ୍ରୀ ଶର୍ମା କହିଛନ୍ତି ଯେ ଦେଶ ଏବେ ଏକ ସଙ୍କଟଜନକ ସମୟ ଦେଇ ଗତି କରୁଛି । ଏହା ସତ୍ବେ ସାରା ଦେଶ ଏକଜୁଟ ହୋଇ ରହିଛି । ଜିଡ଼ିପିର ପ୍ରତିକୂଳ ପ୍ରଭାବ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିଲା । ଦ୍ବିତୀୟ ତ୍ରୟମାସିକରେ ପରିସ୍ଥିତିରେ କିଛିଟା ସୁଧାର ଆସିଛି । ପରବର୍ତୀ ଦୁଇ ତ୍ରୟମାସିକରେ ଫଳାଫଳ ଭଲ ହେବ ବୋଲି କୁହାଯାଉଛି । ଫଳରେ ଦେଶର ଅର୍ଥନୀତି ସନ୍ତୁଳିତ ହୋଇ ରହିବ ।

ଏହି ଅବସରରେ ଆନନ୍ଦ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । କରୋନା ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ଗସ୍ତ କରି ମୋଦୀ ଏକ ଭିନ୍ନ ପରିଚୟ ଦେଇଛନ୍ତି ଓ ତାଙ୍କର ପଦକ୍ଷେପ ପ୍ରଶଂସନୀୟ ବୋଲି କହିଛନ୍ତି ଶ୍ରୀ ଶର୍ମା ।

କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ପ୍ରଶଂସା ଦଳରେ ହଲଚଲ ସୃଷ୍ଟି କରିଛି । ଏ ସମ୍ପର୍କରେ କୌଣସି ନେତା କିଛି ଟିପ୍ପଣୀ ଦେଇ ନ ଥିଲେ ମଧ୍ୟ ଦଳ ଏହାକୁ ଗୁରୁତର ସହ ଗ୍ରହଣ କରିଥିବା ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସର ନେତୃତ୍ବ ପରିବର୍ତନ ଲାଗି ଦଳର ଯେଉଁ ୨୩ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଦୁଇମାସ ତଳେ ଚିଠି ଲେଖିଥିଲେ ସେମାନଙ୍କ ମଧ୍ୟରେ ଆନନ୍ଦ ଶର୍ମା ମଧ୍ୟ ଜଣେ ଥିଲେ । ଦଳର ତଳଠାରୁ ଉପର ପର୍ଯ୍ୟନ୍ତ ପରିବର୍ତନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

Comments are closed.