ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ୭ଟି ନୂଆ ଆନ୍ତଃବିଭାଗୀୟ ପାଠ୍ୟକ୍ରମ

ଶୈକ୍ଷିକ ପରିଷଦ ବୈଠକରେ ନିଷ୍ପତି

ଜୟପୁର : କୋରାପୁଟ ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ସାତଟି ନୂଆ ଆନ୍ତଃବିଭାଗୀୟ ପାଠ୍ୟକ୍ରମ ଆରମ୍ଭ କରାଯିବା ଲାଗି ନିଷ୍ପତି ନିଆଯାଇଛି । ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାମାଜିକ କାର୍ଯ୍ୟ, ମନୋବିଜ୍ଞାନ, ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନ ଏବଂ ଜନସ୍ୱାସ୍ଥ୍ୟ ବିଷୟରେ ୨୦୨୧ ଶିକ୍ଷା ବର୍ଷ ଠାରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ ।
କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ସୁନାବେଡ଼ାଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ୧୮ତମ ଶୈକ୍ଷିକ ପରିଷଦ ବୈଠକ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂଆ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମ ବ୍ରହ୍ମମ ପ୍ରସ୍ତାବ ଦେଇଥିଲେ । ପ୍ରଥମ ଥର ଲାଗି କୋରାପୁଟ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଶୈକ୍ଷିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ହାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ. ଦେବାଶିଷ ଦେବ, ଡିଆରଡିଓ ଆରସିଏମଏ ଆଂଚଳିକ ନିର୍ଦ୍ଦେଶକ ଡ.ବେଣୁଧର ସାହୁ ଏବଂ ଏକ୍ୟୁଏ ଏଡିଜି ଶ୍ରୀ ସଞ୍ଜୟ ଚାଓଲା ଯୋଗ ଦେଇଥିଲେ । ବୈଠକରେ କୁଳପତି ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବା ସହିତ ବିଶ୍ୱବିଦ୍ୟାଳୟର ପ୍ରଗତି, ବିଶେଷ କରି ପୂର୍ବତନ କୁଳପତିମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ। ପୂର୍ବ ବୈଠକରେ ଉପସ୍ଥାପିତ ପ୍ରସଙ୍ଗ ଅଗ୍ରଗତି ନେଇ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶିକ୍ଷାଦାନ କ୍ଷେତ୍ରରେ କେତେକ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯିବା ସହିତ ସେଥିରେ ସୁଧାର ନେଇ ମତପ୍ରକାଶ ପାଇଥିଲା ।
ସାତଟି ନୂଆ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପରିଷଦ ଅନୁମୋଦନ କରିଥିଲା । ସେହିପରି ଲୋକନୀତି ଗବେଷଣା ଏବଂ ସ୍ଥାୟୀ ବିକାଶ ଉପରେ ଏକ ବିଶିଷ୍ଟ କେନ୍ଦ୍ରକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଥିଲା । ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଉପଲବ୍ଧି ଉପରେ ଆଲୋକପାତ କରାଯାଇଥିଲା । ସଂରକ୍ଷିତ ବର୍ଗଠାରୁ ଆରମ୍ଭ କରି ସାଧାରଣ ବର୍ଗ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବାକୁ ସଦସ୍ୟମାନେ ପ୍ରଶଂସା କରିଥିଲେ।
ସେହିପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି)କୁ ପରିଷଦର ସଦସ୍ୟମାନେ ପ୍ରଶଂସା କରିଥିଲେ। ୨୦୨୦-୨୧ ଶିକ୍ଷାବର୍ଷରେ ୧୨,୦୦୦ ଆବେଦନକାରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ସୂଚନା ଦିଆଯାଇଥିଲା । ଜୁନ ୬, ୨୦୨୦ରେ ଅନଲାଇନ ନାମଲେଖାର ଶେଷ ତାରିଖ ପୂର୍ବରୁ ଆହୁରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିବେ ବୋଲି ଆଶା କରାଯାଉଛି ।
ନାଲକୋ ଓ ହାଲ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଡିଆରଡିଓ ଏବଂ ଓଡ଼ିଶା ସରକାରଙ୍କ ଏସସି/ଏସଟି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଭଳି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ଶିକ୍ଷାଦାନ ଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଲାଗି ଚୂଡ଼ାନ୍ତ ନିଷ୍ପତି ହୋଇଛି। ଭିତିଭୂମି ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଯଥେଷ୍ଟ ପରିମାଣର ପାଣ୍ଠି ମିଳିବ ବୋଲି କୁଳପତି ସୂଚନା ଦେଇଥିଲେ । ପରିଷଦର ପଦାସୀନ ସଚିବ ତଥା ରେଜିଷ୍ଟ୍ରାର ପ୍ରଫେସର ଅସିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.