ସହର ସାରା କୁଢ଼କୁଢ଼ ଆବର୍ଜନା: ‘ସ୍ବଚ୍ଛ’ ସହର ବ୍ରହ୍ମପୁର ମହାନଗର ନିଗମର ଅସ୍ବଚ୍ଛ ରୂପକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଖପ୍ପା

ବ୍ରହ୍ମପୁର: ସହର ସଫେଇ ବଦଳେ କେବଳ ଲୋକଙ୍କ ଉପରେ ଭିନ୍ନଭିନ୍ନ ପ୍ରକାରେ ଜୋରିମାନା ଆଦାୟରେ ବ୍ୟସ୍ତ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)କୁ ଝଟ୍‌କା ଲାଗିଛି । ବିପର୍ଯ୍ୟସ୍ତ ପରିମଳ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି) ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ସିପିସିବି । ପରିମଳ ଓ ସଫେଇ ଦିଗରେ କ’ଣ ପଦକ୍ଷେପ ନିଆଯାଉଛି, ସେନେଇ ସୋମବାର ସୁଦ୍ଧା ଆକ୍ସନ ଟେକେନ୍‌ ରିପୋର୍ଟ(ଏଟିଆର୍‌) ମାଗିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତୁରନ୍ତ ଏ ସଂପର୍କରେ ରିପୋର୍ଟ ଦାଖଲ କରିବା ପାଇଁ ବୋର୍ଡ କଡ଼ା ତାଗିଦ୍‌ କରିଛି । ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ ନାମକ ଜଣେ ଯୁବକଙ୍କ ଅଭିଯୋଗ ଉପରେ ବୋର୍ଡ ଏଭଳି ରିପୋର୍ଟ ତଲବ କରିଛି।

ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବିଏମସି ପ୍ରଶାସନ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରତ୍ୟେକ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ନୀଳ ଓ ସୁବଜ ରଙ୍ଗର ଡଷ୍ଟବିନ ବଣ୍ଟନ କରାଯାଇଥିଲା। ସକାଳ ବଦଳରେ ରାତିରେ ସଫେଇ କାର୍ଯ୍ୟ କରାଯାଉଛି । ଦୋକାନୀଙ୍କୁ ନିଜ ଦୋକାନର ୫ ମିଟର ପରିଧି ସଫା ରଖିବାକୁ ବାରମ୍ବାର ତାଗିଦ କରାଯାଉଛି । ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ବଚ୍ଛଭାରତ ରେଙ୍କିଂରେ ବ୍ରହ୍ମପୁର ସହର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର ମଧ୍ୟ କରିସାରିଛି । ତଥାପି ଏହି ସହର ଅଳିଆ ଗଦା ଉପରେ ଠିଆ ହେଲା ଭଳି ମନେ ହେଉଛି । ବ୍ରହ୍ମପୁର ସହର ଏକ ସ୍ବଚ୍ଛ ଓ ସୁନ୍ଦର ସହର ବୋଲି ବିଏମ୍‌ସିର ଅଧିକାରୀମାନେ କହୁଥିଲେ ମଧ୍ୟ ବାସ୍ତବରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି ।

ସହରର ପ୍ରମୁଖ ସାହି ଏବଂ ଛକଗୁଡ଼ିକରେ କୁଢ଼କୁଢ଼ ଅଳିଆ ଗଦା । ମାସକୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା କେବଳ ସଫେଇ ବାବଦରେ ଖର୍ଚ୍ଚ ହେଉଛି । ହେଲେ ଏହାର କୌଣସି ପ୍ରକାର ସଫଳତା ମିଳୁନି । ମହାନଗର ଅଞ୍ଚଳରେ ସଫେଇ ପାଇଁ ବିଏମସିର ନିୟମିତ ସଫେଇ କର୍ମଚାରୀ ଓ ଠିକା ସଂସ୍ଥା ଦ୍ବାରା ନିୟୋଜିତ କର୍ମଚାରୀଙ୍କୁ ମିଶାଇଲେ ୯୦୦ରୁ ଉର୍ଦ୍ଧ୍ବ ଜଣ ଏଥିରେ ନିୟୋଜିତ ହୋଇଛନ୍ତି । ଦୁଇ ବର୍ଷ ହେଲା ଲୋକଙ୍କ ଘର ନିକଟକୁ ଯାଇ ଆବର୍ଜନା ସଂଗ୍ରହ ପାଇଁ ୪୦ଟି ମିନି ଟ୍ରକ ଗାଡ଼ି ନିୟୋଜିତ କରାଯାଇଛି । ସେହିଭଳି ୯୩ଟି ଠେଲା ଗାଡ଼ିରେ କର୍ମଚାରୀମାନେ ରାସ୍ତାକଡର ଅଳିଆ ସଂଗ୍ରହ କରୁଛନ୍ତି । ସଫେଇ ତଦାରଖ କରିବାକୁ ୯ଜଣ ସାନିଟାରୀ ଇନ୍ସ ପେକ୍ଟର ଦାୟିତ୍ବରେ ରହିଛନ୍ତି । ସଂଗୃହୀତ ଅଳିଆକୁ ଭୂତଳ ଆବର୍ଜନ ସ୍ଥଳରେ ରଖାଯାଉଛି । ସେଠାରୁ ଟ୍ରକ୍‌ ଯୋଗେ ଚନ୍ଦନିଆ ପାହାଡକୁ ନେଇ ଡମ୍ପିଂ କରାଯାଉଛି । ସମସ୍ୟା ହେଲା ବିଏମ୍‌ସି ତରଫରୁ ଏତେ ସବୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସହରର ଅନେକ ସ୍ଥାନରୁ ସଠିକ୍‌ ଭାବେ ଅଳିଆ ସଂଗ୍ରହ କରାଯାଉ ନଥିବା ଅଭିଯୋଗ ହୋଇଛି । କିଛି ସାହିରୁ ସଂଗୃହୀତ ଅଳିଆ ସାହି ମୁଣ୍ଡରେ ହିଁ ଗଦା କରି ଦିଆଯାଉଛି । ସିଦ୍ଧାର୍ଥନଗର ଛକ, ନୂଆ ବସଷ୍ଟାଣ୍ଡ ସମ୍ମୁଖ ଖୋଲା ପଡ଼ିଆ ଏହାର ଜ୍ବଳନ୍ତ ଉଦାହରଣ । ସେଠାରେ ଅନେକ ଦିନ ପର୍ଯ୍ୟନ୍ତ ଅଳିଆ ଗଦା ହୋଇ ରହୁଛି । ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସହରର ଆବର୍ଜନା ଗଦାକୁ ନେଇ ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ ନାମରେ ଜଣେ ଯୁବକ ଅଭିଯୋଗ କରିଥିଲେ । ବିଏମ୍‌ସି କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଅଳିଆ ଗଦା ହୋଇଛି । କୁଢ଼କୁଢ଼ ଅଳିଆ ସଂଗ୍ରହ କରାଯାଉ ନାହିଁ ବୋଲି ପ୍ରଦ୍ୟୁମ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ମହାନଗର ନିଗମ, ମୋ ସରକାର, ସ୍ବଚ୍ଛ ଭାରତ ମିଶନ୍‌, ସ୍ବଚ୍ଛ ଗଞ୍ଜାମ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଦ୍ୟୁମ୍ନଙ୍କ ଏହି ଅଭିଯୋଗକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୁରୁତର ସହ ନେଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଆକ୍ସନ ଟେକେନ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।

Comments are closed.