ସାମ୍ବାଦିକଙ୍କୁ ହାତ ଉଠାଇଲେ କେନ୍ଦ୍ର ମନ୍ତ୍ରୀ

ଲଖିମପୁର ଖେରି/ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଔଦ୍ଧତ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଲଖିମପୁର ଖେରିଠାରେ କୃଷକଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ଥିବା ପୁଅ ଅଶିଷ ମିଶ୍ରଙ୍କ ସମ୍ପର୍କରେ ପଚାରିବାରେ ଅଜୟ କ୍ରୋଧାନ୍ବିତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିବା ଭିଡିଓରୁ ଦେଖାଯାଇଛି। ବୁଧବାର ଏକ ଅମ୍ଳଜାନ ଉତ୍ପାଦନ ​‌େ​‌କନ୍ଦ୍ର ଉଦ୍‌ଘାଟନ ପାଇଁ ଲଖିମପୁର ଖେରି ଯାଇଥିବା ମନ୍ତ୍ରୀ ଅଜୟଙ୍କୁ କାରାଗାରରେ ଥିବା ପୁଅ ଆଶିଷଙ୍କ ସମ୍ପର୍କରେ ପଚାରିବାରେ ସେ ଗଣମାଧ୍ୟମକୁ ଗାଳିଦେବା ସହ ସାମ୍ବାଦିକଙ୍କୁ ‘ଚୋର’ ବୋଲି ଆକ୍ଷେପ କରିଥିଲେ। ‘ମୁଣ୍ଡ ଖରାପ ହୋଇଗଲାଣି କି ? ଫୋନ୍‌ ବନ୍ଦ କର୍‌ ବେ, ଏମିତି ବାଜେ ପ୍ରଶ୍ନ ପଚାର୍‌ ନାହିଁ। ଚୋର ମିଡିଆବାଲା ନିର୍ଦୋଷ ଲୋକଙ୍କୁ…ଏମାନଙ୍କୁ ସରମ ନାହିଁ’ ବୋଲି କହିବା ସହ ସେ ସାମ୍ବାଦିକଙ୍କୁ ଧମକ ଦେଇଥିଲେ। ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଏହି ଘଟଣା ପରେ ଟେନିଙ୍କୁ ଦିଲ୍ଲୀ ଡକାଯାଇଥିଲା ଓ ସେ ତୁରନ୍ତ ନିର୍ବାଚନ ମଣ୍ଡଳୀରୁ ଫେରିଆସିଥିବା​ ପ୍ରକାଶ। ମନ୍ତ୍ରୀ ଅଜୟ ମଙ୍ଗଳବାର କାରାଗାରରେ ପୁଅ ଆଶିଷଙ୍କୁ ଭେଟିଥିଲେ। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୩ରେ ଆନ୍ଦୋଳନରତ କୃଷକଙ୍କୁ ଆଶିଷ ମିଶ୍ର ଉଦ୍ଦେଶ୍ୟମୂଳକ ଓ ଯୋଜନାବଦ୍ଧ ଭାବେ ଗାଡ଼ିମଡ଼ାଇ ହତ୍ୟା କରିଥିବା ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଗଠିତ ଏସ୍‌ଆଇଟି ମଙ୍ଗଳବାର ରିପୋର୍ଟ ଦେବା ପରେ ଅଜୟଙ୍କ ମୁଣ୍ଡ ବିଗିଡ଼ି ଯାଇଥିବା କୁହାଯାଉଛି।

ଅପରପକ୍ଷରେ ଏସ୍‌ଆଇଟି ରିପୋର୍ଟ ଆଧାରରେ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ବୁଧବାର ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଦାବି ଉତ୍ଥାପନ ସହ ମୁଲତବୀ ପ୍ରସ୍ତାବ ମାଧ୍ୟମରେ ଆଲୋଚନା ପାଇଁ ଦାବି କରିଥିଲେ। ସବୁ ମହଲରୁ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ରାହୁଲ ଅଭିଯୋଗ କରିଥିଲେ।

Comments are closed.