କରୋନାକୁ ନେଇ ସଚେତନ କରାଉଛନ୍ତି ଟେଲିକମ୍ କମ୍ପାନୀ : ପ୍ରସ୍ତୁତ କରୁଛନ୍ତି କଲର୍ ଟ୍ୟୁନ୍

ନୂଆଦିଲ୍ଲୀ : ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ସମଗ୍ର ବିଶ୍ୱରେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏପରିକି ସାମାନ୍ୟ ଛିଙ୍କିବା ଦ୍ବାରା ମଧ୍ୟ ଆଖପାଖ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି। ବିଜ୍ଞାପନ ମାଧ୍ୟମରେ ସରକାର ଲୋକଙ୍କୁ ସଚେତନ କରାଉଛନ୍ତି। ଏହି ସମୟରେ ଜିଓ ଏବଂ ବିଏସ୍ଏନ୍ଏଲ୍ ଭଳି ବିଭିନ୍ନ ଟେଲିକମ୍ କମ୍ପାନୀମାନେ ମଧ୍ୟ କରୋନାକୁ ନେଇ ସେମାନଙ୍କର କଲର୍ ଟ୍ୟୁନରେ ପରିବର୍ତ୍ତନ କରିଛନ୍ତି। ଜିଓ ଏବଂ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ କଲର୍ ଟ୍ୟୁନ୍ ମାଧ୍ୟମରେ କରୋନା ଭାଇରସ୍ ବିଷୟରେ ସଚେତନ କରାଉଛନ୍ତି।
ଜିଓ ଏବଂ ବିଏସଏନଏଲର ନମ୍ବରକୁ କଲ୍ କରିବା ଦ୍ବାରା ଏକ ବାର୍ତ୍ତା ଶୁଣାଯଉଛି। ଯେଉଁଥିରେ ଜଣେ ବ୍ୟକ୍ତି କାଶୁଥିବାର ଶୁଣାଯାଉଛି ଏବଂ ତା’ପରେ ଜଣେ ମହିଳାଙ୍କ ସ୍ୱର ଶୁଣାଯାଉଛି। ମହିଳାଜଣଙ୍କ କହୁଛନ୍ତି ଯେ, କରୋନା ଭାଇରସକୁ ସଂକ୍ରମଣ ହେବାରୁ ରୋକା ଯାଇପାରିବ। କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁରେ ରୁମାଲ ରଖନ୍ତୁ। ଲଗାତାର ସାବୁନରେ ହାତ ଧୁଅନ୍ତୁ। ଆଖି, ନାକ, ପାଟି ସ୍ପର୍ଶ କରିବାରୁ ସାବଧାନ ରୁହନ୍ତୁ।
ଯଦି କାହାର କାଶ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହୁଏ, ତେବେ ତାଙ୍କଠାରୁ ଅତି କମରେ ଏକ ମିଟର ଦୂରତା ଅବଲମ୍ବନ କରନ୍ତୁ। ଯଦି ଆବଶ୍ୟକ ହୁଏ ତେବେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରନ୍ତୁ କିମ୍ବା ହେଲ୍ପଲାଇନ ନମ୍ବର ୦୧୧୧୨୩୯୫୮୦୪୬୭ରେ ଯୋଗାଯୋଗ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଜାରି।

Comments are closed.