ଫାଶୀ ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହେଉ

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ନିବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ନେଇ ଅନଶ୍ଚିତତା ଲାଗି ରହିଥିବାବେଳେ ଏହାକୁ ତ୍ବରିତ କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାୟର କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟର କରିଥିବା ପିଟିସନରେ ଉଲ୍ଲେଖ କରିିଛନ୍ତି ​ ​ଯେ ମୃତ୍ୟୁଦଣ୍ଡ ପାଇବାକୁ ଥିବା ଦୋଷୀମାନଙ୍କୁ ରାଜକ୍ଷମା ଆବେଦନ କରିବାକୁ ୭ଦିନର ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଉ।

ରାଜକ୍ଷମା ଆବେଦନ ସହିତ ଦୋଷୀମାନଙ୍କୁ ସମୀକ୍ଷା ଆବେଦନ ଓ ପୁନର୍ବିଚାର ଆବେଦନର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଉ। ସରକାର କହିଛନ୍ତି ଯେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କ୍ଷେତ୍ରରେ ରହିଥିବା ବିଭିନ୍ନ ନ୍ୟାୟିକ ପ୍ରକ୍ରିୟାକୁ ଆଧାର କରି ଦୋଷୀମାନେ ସମୟ ଗଡାଇଚାଲୁଛନ୍ତି। ସେମାନେ ଆଇନ ସହିତ ଖେଳି ଫାଶୀକୁ ବିଳମ୍ବିତ କରୁଛନ୍ତି। ଏହାଦ୍ବାରା ଜଣେ ପୀଡିତା ତ୍ବରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି। ଫାଶୀ ଦଣ୍ଡ କାର୍ଯ୍ୟକାରୀ କ୍ଷେତ୍ରରେ ରହିଥିବା ନିୟମ ଦୋଷୀଙ୍କୁ ସୁହାଉଥିବା ବେଳେ ଏବେ ଏହାକୁ ପୀଡିତାଙ୍କ ଅନୁକୂଳ କରାଯାଉ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଦୋଷୀଙ୍କୁ ଗୁପ୍ତରେ ଫାଶୀ ଦିଆଯିବାକୁ କେନ୍ଦ୍ର ସରକାର ନାପସନ୍ଦ କରିଛନ୍ତି। ରାଜକ୍ଷମା ଆବେଦନ ଅଗ୍ରାହ୍ୟ ପରେ ଦୋଷୀଙ୍କୁ ୧୪ଦିନିଆ ନୋଟିସ ଦେବା ଲାଗି ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏହା ସହିତ ୨୦୧୪ରେ ଶତ୍ରୁଘ୍ନ ଚୌହାନ ମାମଲାରେ ଦେଇଥିବା ରାୟକୁ ସଂଶୋଧନ କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

Comments are closed.