ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର : ସିଡିଏସ୍‌ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ

ଦେଶର ଉଚ୍ଚ ସାମରିକ ସ୍ତରରେ ସଂସ୍କାର ଆଣିବାକୁ ବହୁଦିନରୁ ଦାବି ହୋଇଆସୁଥିଲା। ବିଶେଷକରି ସାମରିକ ଅଭିଯାନ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ଓ ଯୋଗାଣ, ପରିବହନ, ତାଲିମ, ସହାୟକ ସେବା, ମରାମତି ଓ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ତିନିବାହିନୀ ପାଇଁ ଗୋଟିଏ ପ୍ରକାର ନୀତି ଓ ଏକକ ବାତାୟନ ବ୍ୟବସ୍ଥା ସପକ୍ଷରେ ସାମରିକ ବିଶେଷଜ୍ଞମାନେ ମତ ଦେଉଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଭାରତର ତିନିବାହିନୀ କାମ କରୁଥିଲେ ମଧ୍ୟ ଆନ୍ତଃବାହିନୀ ସମନ୍ବୟର ଓ ଏକକ ପରାମର୍ଶ ବ୍ୟବସ୍ଥା ଦୁର୍ବଳ ଥିଲା। ସମନ୍ବୟ ଅଭାବରୁ ପ୍ରତିରକ୍ଷାର ତିନିଅଙ୍ଗ ବିଭିନ୍ନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲା। ଜଣେ ତୁଙ୍ଗ ସାମରିକ ଅଧିକାରୀ ଏସବୁ ସମସ୍ୟାର ଗୁରୁତ୍ବ ଯେତେ ଭଲ ଭାବେ ବୁଝିବେ ବେସାମରିକ ପ୍ରତିରକ୍ଷା ସଚିବଙ୍କ ପକ୍ଷେ ତାହା ଅବଶ୍ୟ ସମ୍ଭବ ନୁହେଁ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିରକ୍ଷା ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଅନୁସାରେ ପ୍ରଥମକରି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରିବାକୁ କେନ୍ଦ୍ର ମନ୍ତ୍ରିପରିଷଦ ଅନୁମତି ଦେଇଛି। ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ଲାଲକିଲ୍ଲା ଭାଷଣରେ ପ୍ରଥମେ ଏହାର ସୂଚନା ଦେଇଥିଲେ।
ପାକ୍‌ ସୀମାନ୍ତରେ ସାମରିକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ପ୍ରସ୍ତୁତି ବେଳେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ରର ଅଭାବ କଥା ଜଣାପଡ଼ିଥିଲା। ଏହାଛଡ଼ା ତିନିବାହିନୀରେ ଆବଶ୍ୟକ ସମନ୍ବୟ ବ୍ୟବସ୍ଥା ନଥିବାରୁ ସାଂଗଠନିକ ଓ ପ୍ରସ୍ତୁତି କ୍ଷେତ୍ରରେ ଥିବା ତ୍ରୁଟି ଧରାପଡ଼ିଥିଲା। ତେଣୁ ସିଡିଏସ ପଦ ସୃଷ୍ଟି ଅପରିହାର୍ଯ୍ୟ ହୋଇଛି। ଯାହା ଜଣାପଡ଼ୁଛି ଅବସର ନେବାକୁ ଯାଉଥିବା ପଦାତିକ ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଦେଶର ପ୍ରଥମ ସିଡ଼ିଏସ୍‌ ବା ସେନା ପ୍ରମୁଖ ହେବେ। ନୂଆ ବ୍ୟବସ୍ଥା ଅନୁସାରେ ତାଙ୍କୁ ଚାରିତାରକା ବିଶିଷ୍ଟ ଜେନେରାଲଙ୍କ ମର୍ଯ୍ୟାଦା ଓ ତିନି ବାହିନୀର ମୁଖ୍ୟଙ୍କ ସହ ସମାନ ବେତନ ତଥା ଅନ୍ୟାନ୍ୟ ସୁବିଧା ମିଳିବ। ସେ ନବଗଠିତ ସାମରିକ ବ୍ୟାପାର ବିଭାଗର ମୁଖ୍ୟଭାବେ କାର୍ଯ୍ୟ କରିବେ ଏବଂତାଙ୍କ ଅଧୀନରେ ତିନିବାହିନୀର ମୁଖ୍ୟଙ୍କୁ କାମ କରିବାକୁ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏହି ସାମରିକ ବ୍ୟାପାର ବିଭାଗ କାର୍ଯ୍ୟ କରିବ ଓ ସିଡିଏସ୍‌ ତାହାର ସଚିବ ଭାବେ କାର୍ଯ୍ୟ କରିବେ। ସେ ତିନି ବାହିନୀ ମଧ୍ୟରେ ସୁସମନ୍ବୟ ରକ୍ଷା କରିବେ ଏବଂ ତାଙ୍କର ଅନ୍ୟାନ୍ୟ କ୍ଷମତା ଓ ଦାୟିତ୍ବ ଏକ କମିଟି ନିର୍ଦ୍ଧାରଣ କରିବ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସେନାକୁ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ସହ ଏହାର ଦକ୍ଷତା ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୃହତ୍ତର ପ୍ରତିରକ୍ଷା ମନ୍ତ୍ରଣାଳୟର ଯାବତୀୟ କାର୍ଯ୍ୟରେ ସାମରିକ ବ୍ୟାପାରକୁ ମିଶାଇ ନରଖି ଏହାକୁ ସ୍ବତନ୍ତ୍ର ଓ ଏକୀକୃତ କରି ନୂଆ ବିଭାଗ କରାଯିବ ଏକ ଉଚିତ ପଦକ୍ଷେପ। ଦେଶର ବିକାଶ ପ୍ରକ୍ରିୟାକୁ ସୁରକ୍ଷିତ କରିବାରେ ପ୍ରତିରକ୍ଷାର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ତେଣୁ ଆମ ପ୍ରତିରକ୍ଷା ବାହିନୀର ବିଶାଳତା ଓ ଦେଶର ସାଂପ୍ରତିକ ପ୍ରତିରକ୍ଷା ସ୍ଥିତି ଦୃଷ୍ଟିରୁ ଏହା କରିବା ଉଚିତ ଥିଲା। ଏହା ପ୍ରତିରକ୍ଷା କ୍ଷେତ୍ରରେ ଏକ ବହୁ ପ୍ରତୀକ୍ଷିତ ସଂସ୍କାରବାଦୀ କାର୍ଯ୍ୟକ୍ରମ। ଏହାଫଳରେ ଆମ ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ ଓ ଅଧିକ ଦକ୍ଷ ହେବ ବୋଲି ଆଶା କରାଯାଏ।

Comments are closed.