ସିବିଏସ୍ଇ ର ‘ଫି’ ବୃଦ୍ଧିକୁ ବିରୋଧ; ମଙ୍ଗଳବାରଠାରୁ ଅଭିଭାବକ ମହାସଙ୍ଘର ଆନ୍ଦୋଳନ ଧମକ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଏହି କ୍ରମରେ ଅଭିଭାବକ ମହାସଙ୍ଘ ମଙ୍ଗଳବାରଠାରୁ ଅନ୍ଦୋଳନ କରିବେ ବୋଲି ଧମକ ​ଦେଇଛନ୍ତି । ଅଭିଭାବକ ମହାସଙ୍ଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ, ଭୁବନେଶ୍ବରସ୍ଥିତ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରାଯିବ । ବର୍ଦ୍ଧିତ ପରୀକ୍ଷା ‘ଫି’ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଅଭିଭାବକ ମହାସଙ୍ଘର ସଭାପତି ବାସୁଦେବ ଭଟ୍ଟଙ୍କ କହିବା ଅନୁସାରେ, ଓଡିଶାରେ ସିବିଏସ୍‌ଇରେ ପ୍ରାୟ ୯ରୁ ୧୦ ଲକ୍ଷ ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଯେପରି ଭାବରେ ପରୀକ୍ଷା ‘ଫି’ ବୃଦ୍ଧି କରାଯାଉଛି ନିମ୍ନ ଓ ମଧ୍ୟମ ବର୍ଗ ପରିବାରର ପିଲାମାନେ ସିବିଏସ୍‌ଇ ନାମ ଲେଖାଇବାରୁ ବଞ୍ଚିତ ରହିବେ ।

ସୂଚନାଯୋଗ୍ୟ, ପାଞ୍ଚ ବର୍ଷ ପର ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ‘ଫି’ ବୃଦ୍ଧି କରାଯାଇଛି । ଭାରତରେ ସିବିଏସ୍‌ଇ ମାନ୍ୟତା ପ୍ରାପ୍ତ ସ୍କୁଲରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବର୍ଦ୍ଧିତ ‘ଫି’ଲାଗୁ କରାଯାଇଛି । ପୂର୍ବରୁ ଛାତ୍ରଛାତ୍ରୀମାନେ ୭୫୦ ଟଙ୍କା ‘ଫି’ ଦେଉଥିବା ବେଳେ ବର୍ତ୍ତମାନ ୧୫୦୦ଟଙ୍କା ଦେବାକୁ ପଡିବ । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ଉଭୟ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତୀଙ୍କ ‘ଫି’ ୨୪ ଗୁଣ ବଢି ଯାଇଥିବା ବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରଙ୍କ ପାଇଁ ଏହି ‘ଫି’ ଦୁଇ ଗୁଣ ବୃଦ୍ଧି ପାଇଛି ।

ପୂର୍ବରୁ ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପାଞ୍ଚଟି ବିଷୟ ପାଇଁ ୫୦ ଟଙ୍କା ଦେଉଥିବା ବେଳେ ନୂତନ ନିୟମ ଅନୁସାରେ ସେମାନଙ୍କୁ ୧୨୦୦ ଟଙ୍କା ଦେବାକୁ ପଡିବ । ଅତିରିକ୍ତ ବିଷୟ ପାଇଁ ଏହି ବର୍ଗର ଛାତ୍ରଛାତୀଙ୍କୁ ୩୦୦ଟଙ୍କା ଅଧିକ ଦେବାକୁ ପଡିବ । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ପାଞ୍ଚଟି ବିଷୟ ପାଇଁ ପୂର୍ବରୁ ୭୫୦ ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ୧୫୦୦ ଟଙ୍କା ଦେବାକୁ ପଡିବ । ମାଇଗ୍ରେସନ୍‌ ଫି ବାବଦକୁ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ୧୫୦ ଟଙ୍କା ବଦଳରେ ୩୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଲାଗୁ କରାଯାଇନାହିଁ। ଭରତରେ ନାମଲେଖା ହୋଇଥିବା ଛାତ୍ରଛାତ୍ରୀ ବିଦେଶରେ ରହୁଥିଲେ ସେମାନଙ୍କୁ ପାଞ୍ଚଟି ବିଷୟ ପାଇଁ ୧୦ ହଜାର ଟଙ୍କା ‘ଫି’ ଦେବାକୁ ପଡିବ । ପୂର୍ବରୁ ସେମାନେ ଏହି ବିଷୟ ପାଇଁ ୫ ହଜାର ଟଙ୍କା ଦେବାକୁ ପଡୁଥିଲା

Comments are closed.