ରିୟାଙ୍କୁ ସିବିଆଇ ଜେରା

ଗଣମାଧ୍ୟମ ସୁଶାନ୍ତଙ୍କ ମୃତ୍ୟୁର ସମାନ୍ତରାଳ ବିଚାର ନ କରୁ : ପ୍ରେସ କାଉନ୍‌ସିଲ

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି। ସିବିଆଇର ସମନ ଅନୁଯାୟୀ ପୂର୍ବାହ୍ଣ ୧୦ଟା ୩୦ରେ ରିୟା ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜେରା ନିମନ୍ତେ ରିୟାଙ୍କ ସହିତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଓ ଘରୋଇ ସହାୟକ ଦିପେଶ ସାୱନ୍ତ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ଓ ତାଙ୍କ ଅର୍ଥ ଆତ୍ମସାତ ସମ୍ପର୍କରେ ସିବିଆଇ ସେମାନଙ୍କୁ ଜେରା କରିଥିବା ଜଣାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ଘଟଣା ଉପରେ ତଦନ୍ତ କରୁଥିବା ଅନ୍ୟତମ ତଦନ୍ତକାରୀ ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଠାରୁ ସବିଶେଷ ତଥ୍ୟ ଲୋଡିଛି। ଅନ୍ୟପଟେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ପ୍ରକାଶ ସମୟରେ ସାମ୍ବାଦିକତାର ନିୟମ ଅନୁସରଣ କରିବାକୁ ପ୍ରେସ କାଉନସିଲ ଅଫ ଇଣ୍ଡିଆ (ପିସିଆଇ) ସମସ୍ତ ଗଣମାଧ୍ୟମକୁ ପରାମର୍ଶ ଦେଇଛି। ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସମାନ୍ତରାଳ ବିଚାର (ପାରାଲାଲ ଟ୍ରାଏଲ) ନ କରିବାକୁ ପ୍ରେସ କାଉନସିଲ ପରାମର୍ଶ ଦେଇଛି। ଗଣମାଧ୍ୟମ ଖବରକୁ ଏପରି ପରିବେଷଣ କରିବା ଉଚିତ ନୁହେଁ ଯେଉଁ ଥିରେ ସାଧାରଣ ଲୋକେ ଜଣଙ୍କୁ ଦୋଷୀ ବୋଲି ବିବେଚନା କରିବେ ନାହିଁ। ଏ କ୍ଷେତ୍ରରେ ପ୍ରେସ୍‍ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛି।

ଜୁନ୍‍ରୁ ସୁଶାନ୍ତ ଔଷଧ ଖାଇବା ବନ୍ଦ କରିଦେଇଥିଲେ: ଡାକ୍ତର
ସୁଶାନ୍ତ ସିଂହ ରାଜପୁତଙ୍କ ମାନସିକ ଅବସାଦ ଉପରେ ଚିକିତ୍ସା କରୁଥିବା ଡାକ୍ତର କେରସି ଚଭଡା କହିଛନ୍ତି ଯେ ଜୁନ୍‍ ପ୍ରଥମ ସପ୍ତାହରୁ ସୁଶାନ୍ତ ଔଷଧ ଖାଇବା ବନ୍ଦ କରିଦେଇଥିଲେ। ମୁମ୍ବଇ ପୁଲିସର ତଦନ୍ତ ସମୟରେ ଡାକ୍ତର ଚଭଡା କହିଥିଲେ ଯେ ଔଷଧ ଖାଇବା ବନ୍ଦ କରିବାରୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଆରମ୍ଭ କରିଥିଲା। ପ୍ରାୟ ୫ଜଣ ମନସ୍ତତ୍ତ୍ୱବିଦ୍‍ଙ୍କର ବୟାନକୁ ମୁମ୍ବଇ ପୁଲିସ ରେକର୍ଡ କରିଛି।

Comments are closed.