ଓଏସ୍‌ଏଲ୍‌-ବନ୍ଦର କର୍ତ୍ତୃପକ୍ଷ ମଧୁଚନ୍ଦ୍ରିକା

କଟକ/ଭୁବନେଶ୍ବର : ପାରାଦ୍ବୀପ ବନ୍ଦର କନଭଭେ​‌ୟର ବେଲ୍ଟ ମରାମତି କାମ ଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ବନ୍ଦର ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ଜଣଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବନ୍ଦର ମୁଖ୍ୟଯନ୍ତ୍ରୀ ସରୋଜକୁମାର ଦାସ, ଠିକାଦାର ତଥା ମଧ୍ୟସ୍ଥ ବନା ଓରଫ ସୁମନ୍ତକୁମାର ରାଉତ, କେସିଟି ଗ୍ରୁପର ପରିଚାଳକ ଶଙ୍ଖଶୁଭ୍ର ମିତ୍ର ଏବଂ ଓଡ଼ିଶା ଷ୍ଟିଭଡର୍ସ ଲିମିଟେଡ(ଓଏସ୍‌ଏଲ)ର ଡିଜିଏମ ସୂର୍ଯ୍ୟନାରାୟଣ ସାହୁଙ୍କୁ ଗିରଫ କରିଛି । ଗିରଫ ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସଙ୍କଠାରୁ ଲାଞ୍ଚ ନେଇଥିବା ନଗଦ ୨୩.୩୦ଲକ୍ଷ ଟଙ୍କା ଜବତ କରାଯାଇଛି। ଏଥିସହିତ ୨୦.୨୫ଲକ୍ଷ ଟଙ୍କାର ସୁନାଗହଣା ଏବଂ ବିଭିନ୍ନ ବ୍ୟାଙ୍କରେ ଜମାଖାତା ସହିତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଶ୍ରୀ ଦାସଙ୍କ ବାସଭବନରୁ ଜବତ କରାଯାଇଛି। ଗତକାଲି ସିବିଆଇ ପକ୍ଷରୁ ଓଏସଏଲର ପାରାଦ୍ବୀପ, କଟକ, ଜଗତସିଂହପୁର ଏବଂ ଭୁବନେଶ୍ବରର ପ୍ରାୟ ୧୫ଟି ସ୍ଥାନରେ ଚଢ଼ଉ କରାଯାଇ ନଗଦ ପ୍ରାୟ ୪୧ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଲାଞ୍ଚ କାରବାରରେ ମୁଖ୍ୟ ସୂତ୍ରଧର କୁହାଯାଉଥିବା ମଧ୍ୟସ୍ଥ ସୁମନ୍ତ, ଷ୍ଟିଭଡର୍ସ କମ୍ପାନୀର ଡିଜିଏମ ଶ୍ରୀ ସାହୁ ଏବଂ କେସିଟିର ପରିଚାଳକ ଶ୍ରୀ ମିତ୍ରଙ୍କ ପ୍ରମୁଖ ଭୂମିକା ରହିଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ନୋଟିସ ପାଇ ଓଏସ୍‌ଏଲର ପରିଚାଳନା ନିର୍ଦେଶକ ମହିମାନନ୍ଦ ମିଶ୍ର ଆଜି ସକାଳେ ସିବିଆଇର ଭୁବନେଶ୍ବର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରାୟ ୨ଘଣ୍ଟା ଧରି ସିବିଆଇ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ପଚରାଉଚରା କରିବା ପରେ ଛାଡି ଦେଇଥିଲେ। ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଆଇନ ଉପରେ ତାଙ୍କର ଶତ ପ୍ରତିଶତ ବିଶ୍ବାସ ରହିଛି ବୋଲି ସେ ଗଣମାଧ୍ୟମକୁ କହିଥିଲେ। ଏହି ଲାଞ୍ଚ କାରବାରରେ କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ମହିମାନନ୍ଦଙ୍କ ପୁଅ ତଥା ଓଏସଏଲର ଡାଇରେକ୍ଟର ଚର୍ଚ୍ଚିତ ମିଶ୍ରଙ୍କ ସମେତ
ଓଏସଏଲ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ବୋଲି ସିବିଆଇ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି। ତଦନ୍ତ ଜାରି ରହିଥିବାରୁ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ପାରାଦ୍ବୀପ ବନ୍ଦରରେ ଜାହାଜରେ ପଣ୍ୟ ଖଲାସ ଓ ବୋଝେଇ କରିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଠିକା ଦିଆଯାଇଥାଏ। ଏହି ଠିକାକାମ ଦେବାକୁ ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସ ବେଶ ମୋଟା ଅଙ୍କର ଅର୍ଥ ନେଇଥାନ୍ତି। ଅଧିକାଂଶ ଜାହାଜରୁ ପଣ୍ୟ ଖଲାସ କାର୍ଯ୍ୟ ଓଏସ୍‌ଏଲ ନେଇଥାଏ। ଖଲାସ ହେଉଥିବା କନଭେୟର ବେଲକ୍ଟକୁ ଜାଣିଶୁଣି ଉକ୍ତ କମ୍ପାନୀ କର୍ମଚାରୀଙ୍କ ସହାୟତାରେ ନଷ୍ଟ କରିଦେଇଥାଏ। ନଷ୍ଟ କରିବା ପରେ ଉକ୍ତ କନଭେୟର ବେଲ୍ଟ ମରାମତି କାମ ହିଁ କମ୍ପାନୀ ନେଇଥାଏ। ଏଥିପାଇଁ ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସ କମ୍ପାନୀଠାରୁ ବେଶ ମୋଟା ଅଙ୍କର ଉତ୍କୋଚ ନେଇଥାନ୍ତି। ବାରମ୍ବାର ଏହି କନଭେୟର ବେଲ୍ଟ ମରାମତି ଓ ନୂଆ କନଭେୟର ବେଲ୍ଟ ଲଗାଇବା ବାବଦରେ ବନ୍ଦର କର୍ତ୍ତୃପକ୍ଷଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ନିକଟରେ କନଭେୟର ବେଲ୍ଟ ମରାମତି କାର୍ଯ୍ୟ ଓଏସଏଲକୁ ଦେବା ପାଇଁ ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସ ଠିକାଦାର ସୁମନ୍ତଙ୍କ ମାଧ୍ୟମରେ ୬୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ସେ କଟକସ୍ଥିତ ଓଏସ୍‌ଏଲ କାର୍ଯ୍ୟାଳୟରୁ ଏ ବାବଦରେ ୨୫ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ। ଏଥିରୁ ସେ ୧୦ଲକ୍ଷ ଟଙ୍କା ନିଜ ପାଖରେ ରଖିଥିଲେ। ୧୦ଲକ୍ଷ ଟଙ୍କା ଭୁବନେଶ୍ବରରେ ଏକ ବିଲଡର ସଂସ୍ଥାକୁ ଜମି କିଣିବା ପାଇଁ ଦେଇଥିବା ସିବିଆଇ ଅଧିକାରୀମାନେ ଶ୍ରୀ ଦାସଙ୍କୁ ଜେରା ସମୟରେ କହିଥିଲେ।
ସୂଚନାଯୋଗ୍ୟ, କନଭେୟର ବେଲ୍ଟ ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହେବା ପରେ ଗତକାଲି ସିବିଆଇ ପକ୍ଷରୁ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ କଟକ ଓଡ଼ିଆବଜାରସ୍ଥିତ ବାସଭବନ, ଲିଙ୍କରୋଡ ଏବଂ ପାରାଦ୍ବୀପସ୍ଥିତ ଓଏସ୍‌ଏଲ(ଓଡିଶା ଷ୍ଟିଭଡର୍ସ ଲିମିଟେଡ) କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢଉ କରିଥିଲା। ପାରାଦ୍ବୀପ ବନ୍ଦରର ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସ ଏବଂ ଠିକାଦାର ତଥା ମଧ୍ୟସ୍ଥ ଶ୍ରୀ ରାଉତଙ୍କୁ ଦୀର୍ଘ ସମୟଧରି ପଚରାଉଚରା କରିବା ପରେ ଅଟକ ରଖିଥିଲା। ଚଢଉ ସମୟରେ ସିବିଆଇ ଅଧିକାରୀମାନେ ୧୫ଟି ସ୍ଥାନରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ। ଓଏସଏଲ କମ୍ପାନୀ ଓ କରମଚାନ୍ଦ ଥାପର କମ୍ପାନୀରେ ମଧ୍ୟ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା।

Comments are closed.