ଏସଏସସି ଦୁର୍ନୀତି ମାମଲା: ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟ ଗିରଫ

କଲକାତା: ଏସଏସସି ଦୁର୍ନୀତି ମାମଲାରେ ବିଦ୍ୟାଳୟ ସେବା ଆୟୋଗ(ଏସଏସସି)ର ପୂର୍ବତନ ଅଧ୍ୟକ୍ଷ ତଥା ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ଗିରଫ କରିଛି। ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ସୋମବାର ସିବିଆଇ ତାଙ୍କୁ ଗିରଫ କରିଛି।

ଏହାପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଏବଂ କଲକାତାରେ ୬ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉ ସମୟରେ କ’ଣ ପ୍ରମାଣ ମିଳିଛି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୂଚନାଯୋଗ୍ୟ, ୨୦୧୪ରେ ହୋଇଥିଲା ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି।

ସେ ସମୟରେ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ(ଏସଏସସି) ପକ୍ଷରୁ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ବାହାରିଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ରେ ଆରମ୍ଭ ହୋଇଥିଲା। ପାର୍ଥ ଚାଟାର୍ଜୀ ସେତେବେଳେ ଶିକ୍ଷାମନ୍ତ୍ରୀ ଥିଲେ। ଏହି ମାମଲାରେ ଅନେକ ଅନିୟମିତତା ଅଭିଯୋଗ କୋଲକାତା ହାଇକୋର୍ଟରେ ଦାଖଲ କରାଯାଇଥିଲା।

ଅପରପ​‌କ୍ଷେ,​‌ ଏସସିସି ଦୁର୍ନୀତି ମାମଲାରେ ଅଲିପୁର କୋର୍ଟ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସିବିଆଇ ଏସସିସି ନିଯୁକ୍ତି ଦୁର୍ନୀତି ଯାଞ୍ଚ ମାମଲାରେ ଶୁକ୍ରବାର ଅଲିପୁର ଜିଲା ଅଦାଲତରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ହେପାଜତକୁ ନେବାକୁ ଅନୁମତି ଲୋଡ଼ିଥିଲା। ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଜୁଲାଇ ୨୩ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଇଡି ଏପର୍ଯ୍ୟନ୍ତ ଫ୍ଲାଟଗୁଡ଼ିକରୁ ଅଳଙ୍କାର ଏବଂ ଅନ୍ୟାନ୍ୟ ସମ୍ପତ୍ତି ସମେତ ପ୍ରାୟ ୫୦ କୋଟି ଟଙ୍କା ଜବତ କରିଛି। ଏଥି ସହିତ, ଏସଏସସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲ୍ୟାଣମୟ ଗାଙ୍ଗୁଲିଙ୍କୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଯାଇଛି।

 

Comments are closed.