ସାନିଟାଇଜର ଓ ପିପିଇ କିଣାରେ ସତର୍କତା ପାଇଁ ସିବିଆଇର ସୂଚନା

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ବହୁ ବ୍ୟବହୃତ ସାନିଟାଇଜର ଓ ସୁରକ୍ଷା ପୋଷାକ (ପିପିଇ) ବିକ୍ରି ପଛରେ ବଡ଼ ଧରଣର ରାକେଟ କାମ କରୁଥିବା ନେଇ ସିବିଆଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛି। ବିଶେଷକରି ଅନ୍‌ଲାଇନ୍‌ରେ ଏହାର ବିକ୍ରି-ଖର୍ଦ୍ଦିରେ ବଡ଼ ଧରଣର କାରବାର ହେଉଥିବାର ଗନ୍ଧ ବାରିବା ପରେ ସିବିଆଇ ଏଭଳି ସତର୍କ ସୂଚନା ଜାରି କରିଛି। ବଜାରରେ ବହୁଳ ଉପଲବ୍ଧ ମିଥାନଲ ଆଧାରିତ ସାନିଟାଇଜର ସ୍ବାସ୍ଥ୍ୟପତି ଅତ୍ୟନ୍ତ ବିପଜ୍ଜନକ। ଅଧିକ ଚାହିଦା ରହିଥିବାରୁ ବିଭିନ୍ନ କମ୍ପାନୀ ନକଲି ତଥା ନିମ୍ନମାନର ସାନିଟାଇଜରର ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଇଣ୍ଟରପୋଲ ପକ୍ଷରୁ ବିଭିନ୍ନ ଦେଶରେ ଏଭଳି ସାନିଟାଇଜର ଉପଲବ୍ଧ ହେଉଥିବା ଓ ଭାରତୀୟ ବଜାରକୁ ଏହା ପ୍ରବେଶ କରୁଥିବା ସୂଚନା ପାଇବା ପରେ ସିବିଆଇ ଏହି ପଦକ୍ଷେପ ନେଇଛି। ଏହି ସୂଚନା ପାଇବା ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କଳାବଜାରୀ ଓ ନକଲ ସାନିଟାଇଜର ତଥା ପିପିଇ ପ୍ରସ୍ତୁତକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ସାମଗ୍ରୀ କିଣିବା ପାଇଁ ଅନ୍‌-ଲାଇନ୍‌ ଅର୍ଥ ପ୍ରଦାନ ପ୍ରତି ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ହୋଇଛି।

Comments are closed.