ଜିଏସ୍‌ଟିର ୩ ଅଧୀକ୍ଷକଙ୍କୁ ମିଶାଇ ୪ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର : ରାଜ୍ୟରେ ଶହ ଶହ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଧରୁଥିବା ଜିଏସ୍‌ଟି ଓ ସେଣ୍ଟ୍ରାଲ୍ ଏକ୍ସାଇଜ୍‌ ବିଭାଗର ୩ ଜଣ ଅଧୀକ୍ଷକ ଏବଂ ଅନ୍ୟ ଜଣଙ୍କୁ ମିଶାଇ ୪ଜଣ ମଙ୍ଗଳବାର ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି। ଏକ ହୋଟେଲ୍‌ ପରିସରରେ ଏହି ଲାଞ୍ଚ କାରବାର ଚାଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସିବିଆଇର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ୩ ଅଧିକାରୀ ଓ ଅନ୍ୟ ଜଣଙ୍କୁ ସିବିଆଇ ଅଧିକାରୀମାନେ କାବୁ କରି ନେଇଥିଲେ। ସେମାନେ ହେଲେ ଜିଏସ୍‌ଟି ଓ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ର ୩ ଅଧୀକ୍ଷକ ଆର୍ତ୍ତଭଞ୍ଜ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଏନ୍ ଏନ୍‌ ସାହୁ। ଅନ୍ୟ ଜଣକ ହେଲେ ଜଟଣୀ ରାମଚନ୍ଦ୍ରପୁରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଆକାଉଣ୍ଟ୍ ଅଫିସର ଆଶୁତୋଷ ପାଢ଼ୀ ।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ଅନୁଷ୍ଠାନର ଜିଏସ୍‌ଟି ଏବଂ ସେଣ୍ଟ୍ରାଲ୍ ଏକ୍ସାଇଜ୍‌ ନେଇ ରହିଥିବା ବିବାଦ ସମାଧାନ କରିବା ଲାଗି ମଙ୍ଗଳବାର ହୋଟେଲ୍‌ ମାରିଅନ୍‌ ପରିସରରେ ଜିଏସ୍‌ଟି ଓ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ବିଭାଗର ୩ ଅଧିକ୍ଷକ ଏବଂ ଆକାଉଣ୍ଟାଣ୍ଟ ଆଶୁତୋଷଙ୍କ ମଧ୍ୟରେ ବୈଠକ ହୋଇଥିଲା। ତେବେ ଏହି ବିବାଦ ସମାଧାନ ଲାଗି ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିଲ। ଏନେଇ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ବର ସିବିଆଇର ଏକ ଟିମ୍‌ ଚଢ଼ଉ କରିଥିଲା। ଜିଏସ୍‌ଟି ଓ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ର ଅଧୀକ୍ଷକ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହା ପରେ ସିବିଆଇ ପକ୍ଷରୁ ୩ ଅଧୀକ୍ଷକ ଏବଂ ଆଶୁତୋଷଙ୍କ ବାରସଭବନ ଓ ଅଫିସରେ ସିବିଆଇ ଅଧିକାରୀମାନେ ଚଢ଼ଉ କରି ଯାଞ୍ଚ ଚଳାଇଛନ୍ତି। ଗତ କିଛି ଦିନ ଧରି କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ ନେଇ ବିଭାଗ ଚର୍ଚ୍ଚାରେ ରହିଥିବା ବେଳେ ମଙ୍ଗଳବାର ବିଭାଗର ୩ ବରିଷ୍ଠ ଅଧିକାରୀ ଲାଞ୍ଚ ନେଇ ଧରାପଡିବା ଘଟଣା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି।

Comments are closed.