ଓଡ଼ିଶାମୁହାଁ ହେବ କି ସିବିଆଇର ଚିଟ୍‌ଫଣ୍ଡ ତଦନ୍ତ

ଭୁବନେଶ୍ବର : ପୁଣିଥରେ ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଦେଖାଇଛି ତତ୍ପରତା। ଶାରଦା ଚିଟଫଣ୍ଡ ମାମଲାରେ କଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିଛି। କଲକତାର ପୂର୍ବତନ କମିସନର ଶାରଦା ଚିଟଫଣ୍ଡ ମାମଲାର ତଦନ୍ତ ନିମନ୍ତେ ଗଠିତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ର ଅଂଶ ଥିଲେ। ଦୀର୍ଘ ବ୍ୟବଧାନ ପରେ ସିବିଆଇ ପୁଣି ଥରେ ତାଙ୍କୁ ପଚରାଉଚରା କରିବା ଅର୍ଥ ଚିଟଫଣ୍ଡ ଏବେ ବି ସିବିଆଇ ପାଇଁ ଏକ ପ୍ରସଙ୍ଗ ହୋଇ ରହିଛି ବୋଲି ମନେ କରାଯାଉଛି। ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇର ଭୂମିକାକୁ ନେଇ ପ୍ରଶ୍ନ ଉଠାଉଥିବା ପ୍ରତିପକ୍ଷଙ୍କ ପାଇଁ ଏହା ଭିନ୍ନ ବାର୍ତ୍ତା ଦେଇଛି । ଅନୁରୂପ ଭାବରେ ପଶ୍ଚିମବଙ୍ଗ ଚିଟଫଣ୍ଡ ତଦନ୍ତ ନେଇ ସିବିଆଇ ଯେଉଁ ଆଭିମୁଖ୍ୟ ପୋଷଣ କରିଛି ତାହା ବି ଭବିଷ୍ୟତରେ ଓଡ଼ିଶାର କିଛି ନେତା ଓ ଅଫିସରଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ମଝିରେ ମଝିରେ ସିବିଆଇ ଚିଟଫଣ୍ଡ ପ୍ରସଙ୍ଗରେ ବିଭିନ୍ନ ଲୋକଙ୍କୁ ଜେରା ପାଇଁ ଡ଼ାକୁଥିବାରୁ ଓଡ଼ିଶାରେ ଚିଟଫଣ୍ଡ ପ୍ରସଙ୍ଗ ଏବେ ବି ଜିଇଁ ରହିଥିବା ବିଶ୍ବାସ କରାଯାଉଛି।
ଚଳିତ ବର୍ଷ ଚିଟଫଣ୍ଡ ପ୍ରସଙ୍ଗରେ ଶୁଭଙ୍କରକୁ ସିବିଆଇ ହାଜର ହେବାକୁ ନୋଟିସ ଦେଇଥିଲା । କରୋନାକାଳରେ ଜଣେ ଶାସକ ଦଳର ନେତା ତଥା ପୂର୍ବତନମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଘରେ ମଧ୍ୟ ସିବିଆଇ ପହଞ୍ଚି ଯାଇଥିଲା । ଶୁଭଙ୍କର ଡାଏରିରେ ଯେଉଁ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ନାଁ ରହିଥିଲା ସେମାନଙ୍କ ମଧ୍ୟରୁ ପୂର୍ବରୁ କେତେକଙ୍କୁ ସିବିଆଇ ଜେରା କରିସାରିଛି। ଏହାସତ୍ତ୍ବେ ଆଉ କିଛି ଅଧିକାରୀଙ୍କୁ ସିବିଆଇ ଏଯାଏ ସମନ କରି ନାହିଁ । ସିସୋର, ଅର୍ଥତତ୍ତ୍ବ, ସ୍ବସ୍ତିକ ପରି ଚିଟଫଣ୍ଡ ଅନିୟମିତତାର ତଦନ୍ତ ନେଇ ଚୂଡ଼ାନ୍ତ ରିପୋର୍ଟ ସିବିଆଇ ଏଯାବତ୍ ଦାଖଲ କରି ନାହିଁ । ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ଭିଜିଲାନ୍ସଠାରୁ ସିବିଆଇ ଯେଉଁ ଚିଟଫଣ୍ଡ ତଦନ୍ତ ଦସ୍ତାବିଜ ପାଇଥିଲା ତାହା ପୁଣିଥରେ ତର୍ଜମା ଆରମ୍ଭ ହୋଇଛି। ଯେଉଁସବୁ ପ୍ରସଙ୍ଗକୁ ତଦନ୍ତ ପରିସରରୁ ବାଦ ଦିଆଯାଇଥିଲା ତାହାକୁ ପୁନର୍ବାର ଯାଞ୍ଚ କରାଯିବା ପରେ ଚିଟଫଣ୍ଡ ପ୍ରସଙ୍ଗର ତଦନ୍ତକୁ ସିବିଆଇ ନୂଆ ଦିଶା ଦେବାର ସମ୍ଭାବନା ରହିଛି। ଇତିମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ‘ତାଲିକା ୮୨’। ୨୦୧୫ରେ ଓଡ଼ିଶାରେ ଚିଟ୍‌ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବା ପ୍ରାୟ ୮୨ ରାଜନେତାଙ୍କ ନାମ ଥିବା ଏକ ତାଲିକା କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିଥିଲା। ସେତେବେଳେ କୌଣସି କାରଣରୁ ଏହାକୁ ଗୁରୁତ୍ବ ଦିଆଯାଇ ନ ଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଏହି ‘ତାଲିକା ୮୨’ କୁଆଡ଼େ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି। ଆଗାମୀ ଦିନରେ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଥିବାବେଳେ କଲକାତାର ପୂର୍ବତନ ପୁଲିସ କମିସନରଙ୍କୁ ପଚରାଉଚରା ନିମନ୍ତେ ସିିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିବାକୁ ଅନେକ ସଂଯୋଗ କହୁଥିବାବେଳେ ଅନେକ ଏହାକୁ ରାଜନୀତି ସହ ଯୋଡ଼ିବା ଆରମ୍ଭ କରିଛନ୍ତି। ଅନୁରୂପ ଭାବରେ ଓଡ଼ିଶାରେ ଯଦି ଚିଟଫଣ୍ଡ ତଦନ୍ତ ପେଡ଼ି କେତେବେଳେ ଆକସ୍ମିକ ଭାବରେ ଖୋଲେ ତାହାକୁ ବି ‘ସଂଯୋଗ’ ଓ ‘ରାଜନୀତିକରଣ’ ନେଇ ଚର୍ଚ୍ଚା ହେବା ଅମୂଳକ ନୁହେଁ ।

Comments are closed.