ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି ; ଚାଲିଛି ମୂଷା-ବିଲେଇ ଖେଳ

ରାଜସ୍ଥାନରେ କ୍ଷମତା ସଂଘର୍ଷ ଏବେ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ଫିଲ୍ମର କାହାଣୀ ପରି ଭାବପ୍ରବଣତା ଅଛି, ସଂଶୟ, ସନ୍ଦେହ ଓ କୌତୂହଳ ବି ଅଛି । ରାଜସ୍ଥାନ କ୍ଷମତା ସଂଘର୍ଷର ସବୁଠାରୁ ବଡ଼ କଥା ହେଉଛି ସମସ୍ତେ ପରସ୍ପର ପଛରେ କ୍ଷମତା ନିମନ୍ତେ ଦୌଡ଼ୁଛନ୍ତି । ଏହା ମୂଷା ବିଲେଇ ଖେଳଠାରୁ କିଛି କମ୍ ନୁହେଁ ।

ଏହା କହିବାର ଉଦ୍ଦେଶ୍ୟ ହେଉଛି ରାଜସ୍ଥାନର ବର୍ତମାନ ରାଜନୈତିକ ସ୍ଥିତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିସି ଅଧ୍ୟକ୍ଷ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଛରେ ପଡ଼ିଛନ୍ତି । ସେମିତି ସଚିନ ପାଇଲଟଙ୍କ ପଛରେ ପଡ଼ିଛି ଗେହଲଟଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ଅପରେସନ ଗ୍ରୁପ (ଏସ୍ଓଜି) । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଗେହଲଟଙ୍କ ନିକଟତମ କୁହାଯାଉଥିବା ତାଙ୍କର ଭାଇଙ୍କ ପଛରେ ପଡ଼ିଛି । ପ୍ରବର୍ତନ ନିର୍ଦେଶାଳୟ ଓ ଅନ୍ୟ ବିଭାଗଗୁଡ଼ିକ ଗେହଲଟଙ୍କ ଭାଇଙ୍କୁ ଜେରା କରିଛି । ଅନ୍ୟପକ୍ଷରେ ରାଜସ୍ଥାନର ଆଣ୍ଟି କରପସନ ବ୍ୟୁରୋ ସଚିନ ପାଇଲଟଙ୍କ ସମ୍ପର୍କରେ ଯାଞ୍ଚ ଚଳାଇଛି ।

ଏହି ସ୍ଥିତିରେ ସିବିଆଇ ଅଶୋକ ଗେହଲଟଙ୍କ ବିରୋଧରେ ଆଉ ଏକ ମାମଲା ଯାଞ୍ଚ ଆରମ୍ଭ କରିଛି । ମାମଲା ଚୁରୁ ଅଞ୍ଚଳର । ଏସଏଚଓ ବିଷ୍ଣୁ ଦତ୍ତଙ୍କ ଆତ୍ମହତ୍ୟା ମାମଲାରେ ଅଶୋକ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ବିଧାୟକ କୃଷ୍ଣ ପୁନିଆଙ୍କୁ ଜେରା କରାଯାଇଛି । ଏହି ଘଟଣାରେ ଅଶୋକ ଗେହଲଟଙ୍କ ଓଏସଡ଼ି ଦେବାରାମ ସୈନିଙ୍କୁ ମଧ୍ୟ ସିବିଆଇ ଜେରା କରିଛି । ଏହାପରେ ଅଶୋକ ପାଇଲଟଙ୍କ ପାଳି ବୋଲି କୁହାଯାଇଛି । ଏହିସବୁ ଏମିତି ସମୟରେ ଘଟୁଛି ଯେତେବେଳେ ପାଇଲଟ-ଗେହଲଟ ପରସ୍ପର ମୁହାଁମୁହିଁ ହୋଇଛନ୍ତି ।

ରାଜସ୍ଥାନରେ ଚାଲିଥିବା ଏହି ଛକାପଞ୍ଝା ସ୍ବାଭାବିକ ଭାବରେ ମୂଷା ବିଲେଇ ଖେଳ ପରି ପ୍ରତୀତ ହେଉଛି । ଏଥିରେ ମୂଷା କିଏ ଓ ବିଲେଇ କିଏ ତାହା ସାଧାରଣ ଲୋକମାନେ କଳ୍ପନା କରିନେବା ସ୍ବାଭାବିକ । ରାଜସ୍ଥାନ ମାମଲା ଏବେ ଅଦାଲତରେ ରହିଛି । ଦୁଇଦିନ ପରେ ଅଦାଲତ ବିଧାନସଭା ଅଧ୍ୟକ୍ଷ ସଚିନ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କୁ ନୋଟିସ ଦେଇ ପାରିବେ କି ନାହିଁ ତାହା ଅଦାଲତ ସ୍ଥିର କରିବେ ।  ଅନ୍ୟପକ୍ଷରେ ଗେହଲଟ ବିଧାନସଭା ଅଧିବେଶନ ଡ଼ାକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ମୂଷା-ବିଲେଇ ଖେଳରେ କିଏ ବାଜି ମାରିବ ତାହା ତ ସମୟ କହିବ । ହେଲେ ଗେହଲଟଙ୍କ ଉଦ୍ୟମ ହେଉଛି କୌଣସି ପ୍ରକାରେ ପାଇଲଟଙ୍କୁ ବିଧାନସଭାରୁ ବିତାଡ଼ିତ କରିବା । ରାଜସ୍ଥାନର ଏହି କ୍ଷମତା ସଂଘର୍ଷରେ ପାଇଲଟ୍ ଜିତିବେ ନା ଗେହଲଟ ତାହା ଭିନ୍ନ କଥା, ମାତ୍ର ଏହି କ୍ଷମତା ସଂଘର୍ଷ ରାଜସ୍ଥାନ ନୁହେଁ, ସାରା ଭାରତର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ତାହା ନିଶ୍ଚିତ ।

Comments are closed.