ଦେଶରେ ୨୯.୪ ଲକ୍ଷ କୋଟି ଟଙ୍କା ନଗଦ କାରବାର

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୨୯ ତାରିଖ ସୁଦ୍ଧା ୨୯.୪ ଲକ୍ଷ କୋଟି ଟଙ୍କା ନଗଦ କାରବାର ହେଉଥିବା ଜଣାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୂତ୍ର ଅନୁଯାୟୀ ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୪.୫% ହୋଇଛି । ୟୁପିଆଇ ଠାରୁ ନେଇ କ୍ରେଡିଟ ଓ ଡେବିଟ କାର୍ଡ, ଫାସଟ୍ୟାଗ ଭଳି ଡିଜିଟାଲ ଦେଣନେଣ ବ୍ୟବସ୍ଥାର ଅଧିକ ବ୍ୟବହାର ସତ୍ୱେ ଦେଶରେ ନଗଦ ଟଙ୍କା କାରବାର ବୃଦ୍ଧିପାଇବା ଏକ ଉଲ୍ଲେଖଯୋଗ୍ୟ ଘଟଣା ହୋଇଛି । ଆରବିଆଇର ଡିଜିଟାଲ ଦେଣନେଣ ସୂଚୀରେ ୨୦୧୮କୁ ମୂଳବର୍ଷ ଭାବରେ ନିଆଯାଇ ପ୍ରାରମ୍ଭିକ ଅଙ୍କକୁ ୧୦୦ ଭାବରେ ନିଆଯାଇଥିଲା । ସଂପ୍ରତି ତାହା ୨୭୦କୁ ବୃଦ୍ଧିପାଇଛି । କେନ୍ଦ୍ର ସରକାର ପାଞ୍ଚବର୍ଷ ତଳେ ଯେଉଁ ଚାରିଟି ମୁଖ୍ୟ ଉଦ୍ଦେଶ୍ୟ ରଖି ବିମୁଦ୍ରାକରଣ କରିଥିଲେ, ସେଥିମଧ୍ୟରୁ ଗୋଟିକୁ ସଫଳତା ମିଳିଥିବା କୁହାଯାଉଛି ଏବଂ ତାହା ହେଉଛି ଡିଜିଟାଲ ଦେଣନେଣ । ଦେଶରେ ଡିଜିଟାଲ ଦେଣନେଣ ବୃଦ୍ଧିପାଇଛି । ତାହାସହିତ ଜାଲ ନୋଟ କାରବାର ମଧ୍ୟ କମିଛି । ଏସବୁ ସହିତ ଦେଶର ଅର୍ଥନୀତି ଅଧିକ ବ୍ୟବସ୍ଥିତ ହେଉଥିବା ସୂଚନା ମିଳିଛି । ଏକ ରିପୋର୍ଟ ମୁତାବକ କିଛିବର୍ଷ ତଳେ ଦେଶରେ ଆଣଆନୁଷ୍ଠାନିକ ଅର୍ଥନୀତି ଜିଡିପିର ୫୦% ରହିଥିବାବେଳେ ସଂପ୍ରତି ତାହା ୨୦%କୁ ହ୍ରାସପାଇଛି । ଏହା ୟୁରୋପ ସହିତ ତୁଳନୀୟ ହୋଇଥିବାବେଳେ ଲାଟିନ ଆମେରିକୀୟ ରାଷ୍ଟ୍ରଗୁଡିକ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଛି ।

Comments are closed.