କ୍ୟାପିଟାଲ ହସ୍ପିଟାଲ ; ଖୋଲିଲା ହାଇ-ଏଣ୍ଡ ପାଥୋଲୋଜି ସେବା

ଭୁବନେଶ୍ୱର : ଏଣିକି କ୍ୟାପିଟାଲ ହସ୍ପିଟାଲରେ ହାଇ-ଏଣ୍ଡ୍‍ ପାଥୋଲୋଜି ସେବା ମିଳିବ। ଏଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ। ଦୀର୍ଘଦିନ ବନ୍ଦ ରହିବା ପରେ ପୁଣି ନିଦାନ ଖୋଲିଛି। ଆଜିଠୁ ସେବା ମଧ୍ୟ ପ୍ରଦାନ କରାଯାଇଛି। ଯେଉଁଠି ବ୍ଲଡ କଲଚରରୁ ଆରମ୍ଭ କରି ଏଫ୍‍ଏନ୍‍ସି ପର୍ଯ୍ୟନ୍ତ ୧୬ଟି ପରୀକ୍ଷା କରାଯାଉଥିଲା।

କରୋନା ପରଠାରୁ ରାଜ୍ୟ ସରକାର ମାଗଣାରେ ସେବା ଯୋଗାଇଦେଉଥିବା ନିଦାନ ସେବା ସମ୍ପୂର୍ଣ୍ଣ ଫେଲ ମାରିଥିଲା। ଯେହେତୁ ତାଲାବନ୍ଦ ସମୟରେ ରୋଗୀଙ୍କ ସଂଖ୍ୟା କମ୍‍ ରହିଥିଲା ଏବଂ କରୋନ ନମୁନା ପରୀକ୍ଷା ଅନ୍ୟସ୍ଥାନରେ ହେଉଥିଲ ତେଣୁ ନିଦାନ ପରୀକ୍ଷାକୁ ଗୁରୁତ୍ୱ ଦେଉନଥିଲେ। ରୋଗୀ ସଂଖ୍ୟା ବୃଦ୍ଧି ହେବା ପରେ ନିଦାନ ଅବ୍ୟବସ୍ଥା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଦିନକୁ ୧୦ରୁ ଅଧିକ ଅଭିଯୋଗ ଆସିଥିଲା। ପରୀକ୍ଷା କରୁଥିବା ଟେକ୍‍ମେଡ ସଂସ୍ଥା ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କ ଚିଠି ଲେଖି ଏସମ୍ପର୍କରେ ଜଣାଇଥିଲେ। ବିକଳ୍ପ ଭାବେ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଘରୋଇ ପାଥୋଲାବ ମୁହାଁ ହୋଇଥିଲେ ସାଧାରଣ ଗରିବ ରୋଗୀ। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିଥିଲେ। ଏନେଇ ମନ୍ତ୍ରିସ୍ତରୀୟ ଆଲୋଚନା ମଧ୍ୟ କରାଯାଇଥିଲା। ଆଗକୁ ସଠିକ୍‍ ସେବା ଯୋଗାଇଦେବାକୁ ସଂସ୍ଥାକୁ କୁହାଯାଇଥିଲା। ସଂସ୍ଥା ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲା। ଆଗକୁ ଏଭଳି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଥିବା ସୂଚନା ମିଳିଛି।

Comments are closed.