ବିଜୁଳି ବିଭାଗରେ ସର୍ଟସର୍କିଟ:  ’କାପେକ୍ସ’ ଫ୍ୟୁଜ୍

୮୭୭ କୋଟି ଟଙ୍କା ବ୍ୟୟ ପରେ ବନ୍ଦ ହେଲା ଯୋଜନା

୯% ବିଜୁଳି କ୍ଷତି ହ୍ରାସ ଲକ୍ଷ୍ୟରୁ ପୂରଣ ହେଲା ୦.୪%

ଭୁବନେଶ୍ବର : ବିଜୁଳି ସେବାକୁ ଶୃଙ୍ଖଳିତ କରି ପରିବହନ ଓ ବିତରଣ କ୍ଷତି ହ୍ରାସ କରିବା ଲାଗି ସରକାର କଲେ ଯୋଜନା । ପ୍ରତିବର୍ଷ ବିଜୁଳି କ୍ଷତି ଅନ୍ୟୂନ ୩% ଲେଖାଏଁ ହ୍ରାସ କରିବା ଲାଗି ଏଥିରେ ଲକ୍ଷ୍ୟ ରଖାଗଲା । ଏହାବ୍ୟତୀତ ନୂଆ ଟ୍ରାନ୍ସଫରମର ବସାଇବା, ବିଜୁଳି ତାର ଟାଣିବା, ବିଜୁଳି ସେବାରେ ଉନ୍ନତିକରଣ ଲାଗି ପୁରୁଣା ବିଦ୍ୟୁତ୍ ଯନ୍ତ୍ରାଂଶ ପରିବର୍ତନ କରି ନୂଆ ଯନ୍ତ୍ରପାତି ଲଗାଇବା ଆଦି ଏଥିରେ ବ୍ୟବସ୍ଥା ହୋଇଥିଲା ।  ଏଥିପାଇଁ ଏକ ବ୍ୟୟ ଅଟକଳ ପ୍ରସ୍ତୁତ କରାଗଲା । କେନ୍ଦ୍ର ସରକାରଙ୍କ ଅର୍ଥ କମିଶନ, ଓଡ଼ିଶା ସରକାର ଓ ବିଜୁଳି ବଣ୍ଟନକାରୀ ସଂସ୍ଥା (ଡ଼ିସକମ)ମାନେ ଏଥିପାଇଁ ଅର୍ଥ ଦେବାକୁ ସ୍ଥିର ହେଲା । ବିଜୁଳି ସଂସ୍କାର ନିମନ୍ତେ ୨୪୦୦ କୋଟି ଟଙ୍କାର ଏହି ଯୋଜନାର ନାଁ ରଖାଗଲା ‘କାପେକ୍ସ’ (କ୍ୟାପିଟାଲ ଏକ୍ସପେଣ୍ଡିଚର ପ୍ରୋଗ୍ରାମ) ।  ଯୋଜନା ସିନା ହେଲା, ମାତ୍ର ତାହା ପୂର୍ଣତଃ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ୮୭୭ କୋଟି ଟଙ୍କା ଖର୍ଚ ପରେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଗଲା । ଏହି କାର୍ଯ୍ୟକ୍ରମ ବନ୍ଦ ହେବା ଲାଗି ସରକାର ୪ଟି କାରଣ ଦର୍ଶାଇଛନ୍ତି । ମାତ୍ର ଯେଉଁ ମୁଖ୍ୟ କାରଣ ନିମନ୍ତେ କାର୍ଯ୍ୟକ୍ରମଟିର ଅକାଳ ମୃତ୍ୟୁ ଘଟିଲା ସେଥିପ୍ରତି ସମସ୍ତେ ଆଖି ମୁଦି ଦେଇଛନ୍ତି । ଏହି କାରଣ ଖୋଜିଲେ ସରକାରଙ୍କ କିଛି ବଡ଼ବଡ଼ ବାବୁ ଅଡ଼ୁଆରେ ପଡ଼ିବାର ଆଶଙ୍କା ଥିବାରୁ ଏହାକୁ ଗୁରୁତ୍ବ ଦିଆଗଲା ନାହିଁ ବୋଲି କୁହାଯାଉଛି ।

ବୈଷୟିକ ଓ ବାଣିଜ୍ୟିକ କ୍ଷତି ରୋକିବା ପାଇଁ ‘କାପେକ୍ସ’କୁ ଏକ ମହତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯାଇଥିଲା। ୨୦୧୦ ମସିହାରେ ଏହାକୁ ଆରମ୍ଭ କରାଯାଇଥିଲା ଏବଂ ଏହାର ବ୍ୟୟ ଅଟକଳ ଥିଲା ୨୪୦୦ କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ଅର୍ଥ କମିଶନ ଏଥିନିମନ୍ତେ ୫୦୦ କୋଟି ଟଙ୍କା, ରାଜ୍ୟ ସରକାର ୭୦୦ କୋଟି ଟଙ୍କା ଦେବାକୁ ସ୍ଥିର ହୋଇଥିଲା ଓ ଡ଼ିସକମମାନଙ୍କର ଅଂଶ ଥିଲା ୧୨୦୦ କୋଟି ଟଙ୍କା । କେନ୍ଦ୍ର ସରକାର ଏଥିପାଇଁ ୨୦୧୧-୨୦୧୫ ମସିହା ମଧ୍ୟରେ ୪ଟି ପର୍ଯ୍ୟାୟରେ ୪୫୦ କୋଟି ଟଙ୍କା ପ୍ରଦାନ କଲେ । ରାଜ୍ୟ ସରକାର ପ୍ରଥମ ୨ ବର୍ଷ ଯଥାକ୍ରମେ ୨୯୫.୮୩ କୋଟି ଟଙ୍କା ଓ ୧୦ କୋଟି ଟଙ୍କା ପ୍ରଦାନ କଲେ । ପରବର୍ତୀ ବର୍ଷଗୁଡ଼ିକରେ ଆଉ ସରକାର ଏଥିଲାଗି କୌଣସି ଅନୁଦାନ ଦେଲେ ନାହିଁ । ସେମିତି ୧୨୦୦ କୋଟି ଟଙ୍କାମଧ୍ୟରୁ ଡ଼ିସକମମାନେ ଗୋଟିଏ ବି ଟଙ୍କା ପଇଠ କଲେ ନାହିଁ । ପରିଣତିସ୍ବରୂପ କାର୍ଯ୍ୟାନ୍ବୟନରେ ବିଳମ୍ବ ଓ ଅର୍ଥାଭାବ ଯୋଗୁଁ ‘କାପେକ୍ସ’କୁ  ବନ୍ଦ କରିଦିଆଗଲା ।

ବିଡ଼ମ୍ବନା ହେଉଛି ଯେଉଁ  ବିଜୁଳି ପରିବହନ ଓ ବିତରଣ କ୍ଷତି ରୋକିବା ଲାଗି ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ତାହାର ଦଶ ଭାଗରୁ ଭାଗେ ଲାଭ ମଧ୍ୟ ଏଥିରୁ ମିଳି ପାରିଲା ନାହିଁ । ୨୦୧୦ରୁ ଯୋଜନା ଆରମ୍ଭ ପରେ ବିଜୁଳି କ୍ଷତି ୨୦୧୪ ସୁଦ୍ଧା ୯% ହ୍ରାସ କରାଯିବାକୁ ରଖାଯାଇଥିବା ଲକ୍ଷ୍ୟ ଫୁରସିଗଲା । ୪ ବର୍ଷ ପରେ ୪ ବିଜୁଳି ବଣ୍ଟନକାରୀ ସଂସ୍ଥା ମାତ୍ର ୦.୪% ବିଜୁଳି କ୍ଷତି ରୋକିବାକୁ ସକ୍ଷମ ହୋଇ ପାରିଲେ ।  ବିଜୁଳିବଣ୍ଟନକାରୀ ସଂସ୍ଥା,  ଶକ୍ତି ବିଭାଗ, କାର୍ଯ୍ୟକ୍ରମର ନୋଡ଼ାଲ ଏଜେନ୍ସି ଥିବା ଗ୍ରୀଡ଼କୋ ସବୁ ହାତଝାଡ଼ି ବସି ପଡ଼ିଲେ । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରିଥିବା ୭୫୫.୮୩ କୋଟି ଟଙ୍କା ଓ ଏହା ଉପରେ ମିଳିଥିବା ବ୍ୟାଙ୍କ ସୁଧ ୧୨୧.୬୬ କୋଟି ଟଙ୍କାକୁ ମିଶାଇ ମୋଟ ୮୭୭.୪୯ କୋଟି ଟଙ୍କା ବ୍ୟୟ ପରେ ମହତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ‘କାପେକ୍ସ’ ବିଜୁଳି ବଣ୍ଟନକାରୀ ସଂସ୍ଥାର ସର୍ଟସର୍କିଟରେ ବନ୍ଦ ହୋଇଗଲା ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶକ୍ତି ବିଭାଗର ତତ୍କାଳୀନ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ବନ୍ଦ ଲାଗି ମୁଖ୍ୟତଃ ୪ଟି କାରଣ ଦର୍ଶାଇଛନ୍ତି । ତାହା ହେଲା କେବୁଲ୍ ବିଛାଇବା ବେଳେ ଲୋକଙ୍କ ବିରୋଧ, ନୂଆ ବିଜୁଳି ତାର ଟାଣିବାରେ ସମସ୍ୟା, ବିଜୁଳି କଣ୍ଡକ୍ଟର ବଦଳାଇବା ଲାଗି ସମୟ (ସଟଡ଼ାଉନ) ଅଭାବ ଓ ଉପଯୁକ୍ତ (ସୁଇଟେବୁଲ୍) ଠିକାଦାରଙ୍କ ଅଭାବ । ମାତ୍ର ପ୍ରଶ୍ନ ଉଠୁଛି ଯେତେବେଳେ ଏହି କାର୍ଯ୍ୟକ୍ରମ ୨୦୧୦ରେ ଆରମ୍ଭ କରାଗଲା, ସେତେବେଳେ ଏହି ଦିଗକୁ ଦୃଷ୍ଟି ଦିଆଯାଇ ନ ଥିଲା କାହିଁକି ?  ୬ ବର୍ଷ ପରେ ୮୭୭ କୋଟି ଟଙ୍କା ବ୍ୟୟ ପରେ କ’ଣ ପାଇଁ ଏହି ପ୍ରଶ୍ନ ଉଠିଲା ?

Comments are closed.